କାଶୀପୁର,୧୫/୧୨ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରୁ ପୁଲିସ ଆଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଏକ ମୃତଦେହକୁ ଉଦ୍ଧାର କରିଛି।  ମୃତକ ଜଣକ ସ୍ଥାନୀୟ ନୂଆପଡ଼ା ଗ୍ରାମରେ ରହୁଥିବା ଅଟୋ ଚାଳକ ବଳରାମ ଖରା । ତାଙ୍କୁ ଗଳା କାଟି ହତ୍ୟା କରାଯାଇ ଥିବାର ପରିବାର ଲୋକେ ଟିକିରି ଥାନାରେ ଅଭିଯୋଗ କରିଛନ୍ତି ।

 ବନ୍ଧୁଗାଁ ବ୍ଲକ ଗାରେଡି ଗ୍ରାମବାସିନ୍ଦା ବଳରାମ ଖରା ଗତ କିଛି ବର୍ଷହେଲା ପରିବାର ସହ ନୂଆପଡ଼ା ଗ୍ରାମରେ ରହି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ସବୁଦିନ ଭଳି ଶନିବାର  ସକାଳେ ଅଟୋ ଧରି ଘରୁ ବାହାରି ଥିଲେ  । ଶନିବାର ଭଡ଼ାରେ ରାୟଗଡ଼ା ଯାଇ ସନ୍ଧ୍ୟା ପାଞ୍ଚ ଘଣ୍ଟାସୁଦ୍ଧା ନୂଆ ପଡ଼ା ଫେରିଥିଲେ । କିନ୍ତୁ ସନ୍ଧ୍ୟା ପ୍ରାୟ ସାଢ଼େ ଛଅଘଣ୍ଟା ସମୟରେ ପତ୍ନୀ ତାଙ୍କୁ ଫୋନ କରିବାରୁ ନୂଆପଡ଼ାରେ ଥିବାର କହିଥିଲେ ।ଏହାର କିଛି ସମୟ ପରେ ପୁଣି ଫୋନ କରିବାରୁ ମୋବାଇଲ ସୁଇଚ ଅଫ ହୋଇ ଯାଇ ଥିଲା । କିନ୍ତୁ ରାତି ପ୍ରାୟ ଆଠଟା ବେଳକୁ ସ୍ୱାମୀ ଦୁର୍ଘଟଣା ସମ୍ମୁଖୀନ ହୋଇ ଥିବାର ଖବର ପାଇ ଫୁଲଜବା ଛକରେ ପହଞ୍ଚିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ମରି ପଡ଼ିଥିଲେ ବୋଲି ମୃତକ ପତ୍ନୀ କହିଛନ୍ତି ।

 ଅଭିଯୋଗ ପାଇବା ପରେ ଟିକିରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ରାୟଗଡ଼ାଏସଡିପିଓ, ଆର ଏନ ସେନାପତି ନେତୃତ୍ବରେ ଫରେନ୍ସିକ ଟିମ  ପହଞ୍ଚି ଘଟଣା ସ୍ଥଳରୁ ରକ୍ତ ଭିଜା ମାଟି ନମୁନା ସଂଗ୍ରହ କରିଛି । କାଶୀପୁର ଥାନାର ଆଇଆଇସି ପହଞ୍ଚି ତଦନ୍ତରେ ସହଯୋଗ କରୁଥିବା ଜଣା ଯାଇଛି । ସେହିପରି ଅକ୍ଷତ ଅବସ୍ଥାରେ ଥିବା ବଳରାମଙ୍କ ଅଟୋ  ପୁଲିସ ଜବତ କରିଛି । ଏହି ଘଟଣାରେ ଟିକିରି ଥାନା ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କାଶୀପୁର ସିଏଚସିକୁ ପଠାଯାଇଛି ।