ନୂଆଦିଲ୍ଲୀ, ୨୭।୭: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଥାଏ । ବର୍ତ୍ତମାନ ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଜଣେ ଛାତ୍ରଙ୍କ ମାର୍କସିଟ୍ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଭିଡିଓକୁ ଦେଖି ସାଧାରଣଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଏହାକୁ 'ଆସଲି IIT ଲେବଲ୍' ବୋଲି କହୁଛନ୍ତି । ଏହି ଭାଇରାଲ୍ ଭିଡିଓଟିକୁ 'ଏକ୍ସ' ରେ @2Varalakshmi ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓର ଆରମ୍ଭରେ ଜଣେ ଛାତ୍ରଙ୍କର ୧୦ମ କିମ୍ବା ସ୍କୁଲ ସ୍ତରର ମାର୍କସିଟ୍ ଦେଖାଯାଇଛି । ଏହା ଆନ୍ଧ୍ର ପ୍ରଦେଶ ବୋର୍ଡର ଏସଏସସି ମାର୍କସିଟ୍ ବୋଲି ଜଣାପଡ଼ିଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମାର୍କସିଟ୍ରେ ଛାତ୍ରଜଣକ ସମସ୍ତ ବିଷୟରେ ୧୦୦ରୁ ୧୦୦ ନମ୍ବର ଅର୍ଥାତ୍ ମୋଟ୍ ୬୦୦ ରୁ ୬୦୦ ନମ୍ବର ହାସଲ କରିଛନ୍ତି ।
ମାର୍କସିଟ୍ ପ୍ରଦର୍ଶନ କରିବା ପରେ ଭିଡିଓରେ ଏକ କ୍ଲାସରୁମ୍ର ଦୃଶ୍ୟ ଦୃଶ୍ୟମାନ ହୁଏ, ଯେଉଁଠାରେ ଜଣେ ଛାତ୍ର ତାଙ୍କ ବନ୍ଧୁଙ୍କ ଏହି ଅସାଧାରଣ ମାର୍କସିଟ୍ ଉପରେ କ୍ୟାମେରା ଫୋକସ୍ କରନ୍ତି ଏବଂ ପର ମୁହୂର୍ତ୍ତରେ କ୍ୟାମେରାଟି ସେହି ଛାତ୍ରଙ୍କ ଆଡକୁ ବୁଲାଇଥାନ୍ତି, ଯିଏ ଏହି ରେକର୍ଡ ଭଙ୍ଗ କରୁଥିବା ନମ୍ବର ଆଣିଛନ୍ତି । ଭିଡିଓ ଉପରେ କ୍ୟାପ୍ସନରେ ଲେଖାଯାଇଛି- "Avg. IIT Bombay Student" (ଅର୍ଥାତ୍ ଜଣେ ସାଧାରଣ IIT ବମ୍ବେ ଛାତ୍ରଙ୍କ ସ୍ତର) । ଏହି ଭିଡିଓଟି ସାମନାକୁ ଆସିବା ପରେ ଇଣ୍ଟରନେଟ୍ରେ ହଇଚଇ ସୃଷ୍ଟି ହୋଇଛି ଏବଂ ଏହାକୁ ଏପର୍ଯ୍ୟନ୍ତୀ ଲକ୍ଷାଧିକ ଲୋକ ଦେଖିସାରିଲେଣି ।
ଏହା ବି ପଢ଼ନ୍ତୁ... Garbage in Mumbai beach: ସମୁଦ୍ର ଫେରାଇଲା ୨୫ ଶହ ମେଟ୍ରିକ୍ ଟନ୍ ଅଳିଆ, ଜୁହୁରେ ସର୍ବାଧିକ, ଭର୍ସୋଭା ଦ୍ୱିତୀୟ !
ଲୋକମାନେ ଏହି ମାର୍କସିଟ୍ ଦେଖି ପ୍ରଭାବିତ ହେବା ସହ ନିଜର ବିଭିନ୍ନ ମତ ରଖିଛନ୍ତି । ଅଧିକାଂଶ ୟୁଜର୍ସ କମେଣ୍ଟ କରି କହିଛନ୍ତି ଯେ ଆଇଆଇଟି ପରି କଠିନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରମାନେ ସ୍କୁଲ ଜୀବନରୁ ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ଟପ୍ଟର ରହିଥାନ୍ତି । ଭିଡିଓ ଦେଖି ଜଣେ ୟୁଜର୍ ମଜାକିଆ ଭାବେ ଲେଖିଛନ୍ତି ଯେ, "ଆମେ ୬୦୦ରୁ ୪୫୦ ନମ୍ବର ଆଣି ମଧ୍ୟ ନିଜକୁ ଗର୍ବିତ ମନେ କରୁଥିଲେ ।" ଆଉ କେତେକ ୟୁଜର୍ ଏହାକୁ ପରଫେକ୍ଟ ଏକାଡେମିକ୍ ଜର୍ନିର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି । ଏହି ଭିଡିଓଟି କେବଳ ମନୋରଞ୍ଜନ ନୁହେଁ, ବରଂ ଦେଶର ଶ୍ରେଷ୍ଠ ବୈଷୟିକ ପ୍ରତିଷ୍ଠାନରେ ପଢୁଥିବା ପିଲାମାନଙ୍କର ପିଲାଦିନରୁ ଥିବା ପାଠପଢ଼ା ପ୍ରତି ନିଷ୍ଠା ଓ ମେଧାକୁ ବେଶ୍ ସୁନ୍ଦର ଭାବେ ପରଦାକୁ ଆଣିଛି ।