ଅଯୋଧ୍ୟା,୨୫/୧୧: ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଆଉ ଏକ ଭବ୍ୟ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛି । ଏହି ପ୍ରତୀକ୍ଷାର ଅନ୍ତ ଖୁବଶୀଘ୍ର ହେବ । ମଙ୍ଗଳବାର ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରରେ ଉଡ଼ିବ ଧର୍ମଧ୍ୱଜା । ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଓ ନବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଯୋଧ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ପୂର୍ବାହ୍ନ ୧୧ଟା ୫୨ରୁ ଅପରାହ୍ନ ୧୨ଟା ୩୫ ମଧ୍ୟର ଶୁଭ ମୁହୂର୍ତ୍ତରେ ଧ୍ୱଜାରୋହଣ କରିବେ । ଏହାର ସାକ୍ଷୀ ସାଜିବେ ୮ ହଜାରରୁ ଅଧିକ ଅତିଥି । ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ଏସ୍ପିଜି ଅଧିକାରୀ ମୋର୍ଚ୍ଚା ସମ୍ଭାଳିବେ ।
ରାମ ମନ୍ଦିରରେ କାର୍ଯ୍ୟକ୍ରମ ହେବା ସମୟରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ମିଶାଇ ମୋଟ ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସୋମବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅଯୋଧ୍ୟାର ଆଇଜି ଓ ଏସ୍ପିଙ୍କ ସହ ସେ ଆଲୋଚନା କରିଛନ୍ତି । ଧ୍ୱଜାରୋହଣ ଉତ୍ସବ ଲାଗି ଅଯୋଧ୍ୟା ଧାମକୁ ୧୦୦ ଟନ୍ ଫୁଲରେ ସଜାଯାଇଛି । ଏହା କେବଳ ଏକ ଧାର୍ମିକ ଉତ୍ସବ ହେବନାହିଁ । ବରଂ ସମସ୍ତଙ୍କୁ ସେହି ବାର୍ତ୍ତା ଦେବ, ଯାହା ପ୍ରଭୁ ଶ୍ରୀରାମ ନିଜ ଜୀବନରେ ବିତାଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି, ଏଥର କାର୍ଯ୍ୟକ୍ରମକୁ ଏଭଳି ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି, ଯେଉଁମାନଙ୍କୁ ପୂର୍ବରୁ କଦାପି ବଡ଼ ଆୟୋଜନରେ ସାମିଲ ହେବାକୁ ଡକାଯାଇ ନ ଥିଲା । ଭଗବାନ ଶ୍ରୀରାମ ନିଷାଦରାଜଙ୍କୁ ଆଲିଙ୍ଗନ କରିଥିଲେ । ଶବରୀଠାରୁ କୋଳି ଖାଇଥିଲେ ଏବଂ କେଉଟର ପାଦ ଧୋଇ ସମାଜକୁ ବତାଇଥିଲେ କି ପ୍ରତ୍ୟେକ ବ୍ୟକ୍ତି ସମାନ । ଏହି ସମାରୋହରେ ସେହି ଭାବନାକୁ ସମ୍ମାନ ଦିଆଯିବ ।
ଏହି କାର୍ଯ୍ୟକ୍ରମରେ ନେତା କିମ୍ବା ଅଧିକାରୀ ନୁହନ୍ତି, ବରଂ ସେହି ଲୋକମାନେ ସାମିଲ ହେବେ ଯେଉଁମାନଙ୍କ ନାମ ଲୋକେ ପିଲାଦିନେ ଶୁଣିବାକୁ ପାଇଥିଲେ । ନିଷାଦରାଜଙ୍କ ସମୁଦାୟ ସହ ଜଡ଼ିତ ଲୋକ, ମାତା ଶବରୀଙ୍କ ସମୁଦାୟର ଲୋକମାନେ ଏଥିରେ ଯୋଗଦେବେ । ସେମାନଙ୍କୁ ସମାରୋହକୁ ସମ୍ମାନର ସହ ନିମନ୍ତ୍ରଣ କରାଯାଇଛି । ଏହି ପଦକ୍ଷେପ ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ଭାବନାକୁ ଦର୍ଶାଉଛି, ଯାହା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ନିଜ ଜୀବନରେ ଦର୍ଶାଇଥିଲେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସେ ରାମ ମନ୍ଦିରର ଶିଖରରେ ଧର୍ମଧ୍ୱଜା ଉଡ଼ାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ସେ ସାକେତ ମହାବିଦ୍ୟାଳୟରେ ପହଞ୍ଚିବେ ଏବଂ ସେଠାରୁ ଶ୍ରୀରାମ ଜନ୍ମଭୂମି ପର୍ଯ୍ୟନ୍ତ ଭବ୍ୟ ରୋଡ୍ ସୋ’ରେ ଯିବେ । ଏଥିପାଇଁ ରାମପଥକୁ ବିଶେଷ ଭାବେ ୮ଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନ୍ରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାଳି, ଆରତି ଏବଂ ପୁଷ୍ପ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ । ଏହି ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ତଥା ସାଂସ୍କୃତିକ ବାତାବରଣରେ ଭରପୂର ହେବ ।