ଭୁବନେଶ୍ୱର,୧୩/୦୩: ରାଜ୍ୟରେ  କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆସନ୍ତା ଏପ୍ରିଲ୍‌ ପହିଲାରୁ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ କରାଯିବ । ଏଥିସହ  ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମଧ୍ୟ ଶୁଭାରମ୍ଭ  ହେବ । ରାଜ୍ୟର ସମୁଦାୟ ୩.୫୨ କୋଟି ଲୋକ  ଉପକୃତ ହେବେ । ଏନେଇଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ରାଜ୍ୟର  ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯିବ ।  ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ସଚେତନତା  ଅଭିଯାନ ଆରମ୍ଭ ହେବ । 

ବୈଠକର ତଥ୍ୟ  ଅନୁଯାୟୀ, ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାର,  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ  ପରିବାର ଉପକୃତ ହେବେ । ଅର୍ଥାତ୍‌ ରାଜ୍ୟର  ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ  ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ  ଲୋକ ଉପକୃତ ହେବେ । ଏହି ୨ଟି ଯୋଜନାରେ  ଓଡ଼ିଶାରେ ସଂଯୁକ୍ତ ଭାବେ କାର୍ଯ୍ୟକାରୀ ହେବ ।  ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଦିଆଯିବ ।  ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା  ଏକ ସ୍ୱତନ୍ତ୍ର କାର୍ଡ ପାଇବେ ।

୭୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଆୟୁଷ୍ମାନ  ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ୭୦  ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୨  ହଜାର ୯୭୯ ଥିବା ବେଳେ ଏଥିରୁ ୧୭ ଲକ୍ଷ  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ  ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ  ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ  ଏହି ଯୋଜନାରେ ଯୋଡ଼ି ହେବେ। ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା, ମହିଳା  ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା  ସୁବିଧା ଯୋଗାଇଦିଆଯିବ । ଗୋଟିଏ ପରିବାରରେ  ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ । ହିତାଧିକାରୀମାନେ ଦେଶର ୨୯ ହଜାରରୁ  ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ  ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ,  ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ  ସଚିବ ସଞ୍ଜୟ କୁମାର ସିଂହ, ଆଇଟି ବିଭାଗ ସଚିବ  ବିଶାଲ ଦେବ, ସ୍ୱାସ୍ଥ୍ୟ ବିଭାଗ ଅଶ୍ୱତୀ ଏସ୍‌ ପ୍ରମୁଖ  ଉପସ୍ଥିତ ଥିଲେ ।

ନୂଆ ଡ୍ରାଫ୍ଟ ଆଇଟି ନୀତି ଜାରି,ରାଜ୍ୟ ପାଲଟିବ ଆଇଟି ପାୱାର ହାଉସ୍