ମୁମ୍ବାଇ ୧୨/୦୮: ଟାଇଗର୍‌ ଶ୍ରଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗୀ-୪’ର ଟିଜର୍‌ ରିଲିଜ୍‌ ହୋଇଛି । ୧ ମିନିଟ୍‌ ୪୯ ସେକେଣ୍ଡ୍‌ର ଏହି ଟିଜର୍‌ରେ ଟାଇଗର ଶ୍ରଫ୍‌ ଓ ସଞ୍ଜୟ ଦତ୍ତଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୫ରେ ମୁକ୍ତିଲାଭ କରିବ । ଟିଜର୍‌ ଆରମ୍ଭରେ ପ୍ରଚ୍ଛଦରେ ଟାଇଗରଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଛି । ପରଦାରେ ଫିଲ୍ମର ଖଳନାୟକ ସଞ୍ଜୟ ଦତ୍ତ ଓ ନାୟକ ଟାଇଗରଙ୍କୁ ଦେଖିବାକୁ ମିଳିଛି । ଟିଜର୍‌ରେ କେବଳ ଟାଇଗର ସଞ୍ଜୟଙ୍କ ମଧ୍ୟରେ ନୁହେଁ, ହରନାଜ ସନ୍ଧୁ ଓ ସୋନମ ବାଜୱାଙ୍କ ଦମ୍‌ଦାର ଆକ୍ସନ୍‌ ବି ଦେଖିବାକୁ ମିଳିଛି । ଟିଜର୍‌କୁ ଦର୍ଶକଙ୍କ ତରଫରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ଟାଇଗର୍‌ଙ୍କ ଦମ୍‌ଦାର ଆକ୍ସନ୍‌ ଓ ସଞ୍ଜୁଙ୍କ ଭୟଙ୍କର ଭିଲେନ୍‌ ଲୁକ୍‌କୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି । ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’କୁ ଏହା ନକଲ କରିଥିବା ଚର୍ଚ୍ଚା ହେଉଛି । ପ୍ରଚ୍ଛଦ ସଙ୍ଗୀତଠୁ ଫାଇଟ୍‌ ସିନ୍‌, ଟିଜର୍‌ରେ ଦର୍ଶକ ‘ଆନିମଲ୍‌’ର ଝଲକ୍‌ ଦେଖିବାକୁ ପାଉଛନ୍ତି । ‘ବାଗୀ’ ଫ୍ରାଞ୍ଚାଇଜିର ୪ର୍ଥ ସଂସ୍କରଣ ‘ବାଗୀ-୪’ର ନିର୍ଦ୍ଦେଶନା ଦେଇଛନ୍ତି ଏ. ହର୍ଷ, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସାଜିଦ ନାଡିୟାଡୱାଲା । ପୂର୍ବର ସମସ୍ତ ଫିଲ୍ମ ତୁଳନାରେ ଏହା ଅନେକ ଗୁଣ ଅଧିକ ଓ ଦମ୍‌ଦାର ଆକ୍ସନ୍‌ ସହିତ ପରଦାକୁ ଫେରିବ ।