ଆଠଗଡ଼ ୦୩/୧୧: ମହାକାର୍ତ୍ତିକ ମାସର ସବୁଠାରୁ ବଡ଼ ପର୍ବ ବଡଓଷା। ଆଜି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କ ପୀଠ ଲୋକାରଣ୍ୟ ହେଶଇଛି । ବିଶ୍ବପ୍ରସିଦ୍ଧ ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ରାତ୍ର ୩ଟରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରଫିଟା ଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଆସି ଦର୍ଶନ କରୁଛନ୍ତି। ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ବରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। ବଡ଼ ଓଷା ପାଇଁ ପୂଜକ ପରିବାରର ମୁଖ୍ୟ ଚତୁର୍ଦ୍ଦଶୀ ତିଥିରେ ସଂକଳ୍ପ କରିଥାନ୍ତି । ଏହି ଓଷା ଖ୍ରୀଷ୍ଟୀୟ ନବମ କିମ୍ୱା ଦଶମ ଶତାଦ୍ଦୀରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।

ପରମ୍ପରା ଅନୁଯାୟୀ ପୂଜକ ପରିବାରର  ମହିଳା ମାନେ ଶୁଦ୍ଧପୂତ ଭାବରେ ସ୍ନାନ କରି  ଉପବାସ ରହି ନିଜ ଘରେ ଥିବା ଢିଙ୍କିକୁ ପୂଜା  ଅର୍ଚ୍ଚନା କରିଥିଲେ । ଅରୁଆ ଚାଉଳକୁ ଢିଙ୍କିରେ  କୁଟିବା ସହିତ ମହିଳାମାନେ ଅତି ଆନନ୍ଦରେ ଗଜଭୋଗ ନିମନ୍ତେ ଚୂନା ପ୍ରସ୍ତୁତ କରିଛନ୍ତି । ସେହି ଚୂନା ବାବା ଧବଳେଶ୍ବରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ପ୍ରସ୍ତୁତ ହୋଇଥାଏ। 

ଧବଳେଶ୍ୱର ପୀଠରେ ବଡ଼ଓଷା ପର୍ବ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୀଠରେ ୬ଟି ଏଡ୍‌ପୋଷ୍ଟ୍‌ କରାଯାଇ ଥିବା ବେଳେ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ୮ଟି ଏଡ୍‌ପୋଷ୍ଟ କରାଯାଇଛି । ବିଶେଷ କରି ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ବ୍ୟାପକ ଗୁରୁତ୍ୱ ଦିଆଯାଇଛି । ସେହିପରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ପୀଠ ପରିସରରେ ମୁତୟନ ହୋଇଛନ୍ତି । ଏଥିସହିତ ବ୍ୟାପକ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।