କୋକସରା,୧୪/୦୨ : କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତର ଉପାନ୍ତ ଅଞ୍ଚଳ ତଥା ସାହାଜଖୋଲ ଜଙ୍ଗଲର ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଏମିତି ଏକ ଅନାଲୋଚିତ ଶୈବପୀଠ । ଯେଉଁଠି ବାବା କାଳେଶ୍ୱର ନାମରେ ପୂଜା ପାଉଛନ୍ତି ମହାଦେବ। ଏଠି କୌଣସି ମନ୍ଦିର ନାହିଁ ଜଙ୍ଗଲର ଏକ ମାଟି କୁଡ଼ିଆରେ ଆଜିକୁ ୨୧ ବର୍ଷ ହେବ ନିକାଞ୍ଚନ ଜଙ୍ଗଲ ମଧ୍ୟରେ ବାବାଙ୍କୁ ପୂଜା କରାଯାଉଛି।
ଏହି ମନ୍ଦିରରେ ପୂଜା କରୁଥିବା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ଗଉଡ଼ ସମ୍ପ୍ରଦାୟର ପୂଜକ ଟିକଚନ ରାଉତ ଙ୍କ କହିବା ଅନୁଯାୟୀ ଆଜିକୁ ୨୫ ବର୍ଷ ପୂର୍ବେ ଦିନେ ରାତିରେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସେ ନିଦ ବାଉଲା ରେ ଚାଲି ଚାଲି ଏହି ସ୍ଥାନକୁ ଆସିଥିଲେ,ଯେଉଁଠି ସେ ବାବାଙ୍କ ଶିବଲିଙ୍ଗ ଦେଖିବାକୁ ପାଇଥିଲେ ଓ ସେଠାରେ ୨୧ ଦିନ ଧରି ନିର୍ଜ୍ଜଲା ଉପବାସରେ ରହି ବାବାଙ୍କ ଶରଣାପନ୍ନ ହୋଇଥିଲେ। ଏହାପରେ ସେ ଦୀଘ ୫ ବର୍ଷ ଧରି ପୂଜାର୍ଚ୍ଚନା କରିବା ପରେ ସ୍ଥାନୀୟ ଝୁଲେନବର ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଦେବ ଦଳପତି ଓ ଗ୍ରାମବାସୀଙ୍କ ସହାୟତାରେ ପାହାଡ଼ ଉପରେ ଥିବା ଶୈବପୀଠରେ ଏକ ମାଟି କୁଡ଼ିଆ ଘର କରି ସେହି କୁଟିଆ ମଧ୍ୟରେ ଏବେ ବାବା କାଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି। ଅତି ମନୋରମ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପରିବେଶ ମଧ୍ୟରେ ଥିବା ଏହି ଅନାଲୋଚିତ ଶୈବପୀଠ ଏବେ ମଧ୍ୟ ଲୋକଲୋଚନକୁ ଆସି ପାରିନାହିଁ। ପ୍ରତି ସୋମବାର ଓ ମହା ଶିବରାତ୍ରୀରେ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତେବେ ଏହି ଅନାଲୋଚିତ ଶୈବପୀଠକୁ ଲୋକ ଲୋଚନକୁ ଆଣିବା ସହ ମନ୍ଦିର ନିର୍ମାଣ ନଳକୂପ ଖନନ,ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।