ମୁମ୍ବାଇ,୧୫/୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ସୁଟରମାନେ ସିଦ୍ଦିକିଙ୍କ ଉପରକୁ ୬ ଟି ଗୁଳି ଚଳାଇଥିଲେ। ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ରାଜ କାନୌଜିଆଙ୍କୁ ମଧ୍ୟ ଗୁଳି ଲାଗିଥିଲା। ଏହି ସମ୍ବେଦନଶୀଳ ହତ୍ୟା ଘଟଣା ସମଗ୍ର ମୁମ୍ବାଇକୁ ଥରାଇ ଦେଇଛି। ତମାମ ମାମଲାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି, ଯାହାର ଉତ୍ତର ଖୋଜୁଛି ମୁମ୍ବାଇ ପୁଲିସ । ଏହାରି ଭିତରେ ବାବା ସିଦ୍ଦିକି ହତ୍ୟା ମାମଲାରେ ଅନ୍ୟ କିଛି ବଡ ଖୁଲାସା ସାମ୍ନାକୁ ଆସିଛି। ବାବା ସିଦ୍ଦିକି ହତ୍ୟା ଜରିଆରେ ସଲମାନଙ୍କୁ ଭୟଭୀତ କରିବା ଏବଂ ମୁମ୍ବାଇରେ ଆତଙ୍କବାଦ ବିସ୍ତାର କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜାତୀୟ ଗଣମାଧ୍ୟମ ଏନ୍ଡିଟିଭି ବିଶେଷ ସୂତ୍ରରୁ ପ୍ରକାଶ କରିଛି।
ଆସିଲା ନୂଆ ଡନ୍, ଦାଉଦ୍କୁ ମେସେଜ୍:
ମୁମ୍ବାଇ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସଲମାନ ଖାନ ଏବଂ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିବା ବ୍ୟତୀତ ବାବା ସିଦ୍ଦିକି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଦାଉଦଙ୍କୁ ଏକ ବାର୍ତ୍ତା ପଠାଇବା ଥିଲା ଯେ, ଦେଶରେ ଏକ ନୂଆ ଡନ୍ ଆସିଛି। ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଥିଲା ନିଜକୁ ମୁମ୍ବାଇର ଡନ୍ ବୋଲି ପ୍ରମାଣ କରିବା। ହତ୍ୟାକାଣ୍ଡର ୨୮ ଦିନ ପୂର୍ବରୁ ସୁଟର ମୁମ୍ବାଇ ଆସିଥିଲେ। ଏମାନେ ୨୮ ଦିନରେ ୫ ଥର ବାବା ସିଦ୍ଦିକିଙ୍କ ଘର ଏବଂ କାର୍ଯ୍ୟାଳୟ ଆଗରେ ନଜର ରଖୁଥିଲେ।
ହତ୍ୟା ପାଇଁ ବିଦେଶୀ ଅସ୍ତ୍ରର ବ୍ୟବହର:
ହତ୍ୟା ଷଡ଼ଯନ୍ତ୍ର ଚଳିତ ବର୍ଷ ଜୁନ୍ରେ ଆରମ୍ଭ ହୋଇଥିଲା। ଘଟଣା ସମୟରେ ସେଠାରେ ତିନିଜଣ ସୁଟର ଧରମରାଜ, ଶିବା ଏବଂ ଗୁରୁମେଲ ଥିଲେ। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଜିଶାନ ଅଖତର ମୁମ୍ବାଇରୁ ବାହାରେ ଥାଇ ପୁରା ଅପରେସନ୍ର ନେଟଓ୍ବର୍କ ବୁଝୁଥିଲା। ଶୁଭମଙ୍କ ଭାଇ ପ୍ରବୀଣ ପୁଣେରୁ ମୁମ୍ବାଇ ଆସିଥିଲେ। ଶୁଭମ୍ ସୁଟରମାନଙ୍କୁ ଟଙ୍କା ଦେଇଥିଲେ। ସମସ୍ତ ସୁଟରଙ୍କୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟାରେ ବିଦେଶୀ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ଅସ୍ତ୍ରଶସ୍ତ୍ର ପଞ୍ଜାବ ଦେଇ ବିଦେଶରୁ ଆସିଥିଲା।
ଲରେନ୍ସ ସୁଟରଙ୍କୁ କିପରି ମିଳିଥିଲା ନିର୍ଦ୍ଦେଶ:
ଜିଶାନ ଅଖତର ମାଧ୍ୟମରେ ମୁମ୍ବାଇକୁ ଅସ୍ତ୍ର ପଠାଯାଇଥିଲା। ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ୯ MM ବିଦେଶୀ ପିସ୍ତଲ ଜବତ କରିଛି। ଉଭୟ ଶୁଟରଙ୍କଠାରୁ ତିନୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ନଜର ରଖିବା ପାଇଁ ଏକ ବାଇକ୍ ବ୍ୟବହୃତ ହୋଇଥିଲା, ସେହି ବାଇକ୍କୁ ମଧ୍ୟ ଜବତ କରିଛି ପୁଲିସ। ଶିବକୁ ଲରେନ୍ସ ଗ୍ୟାଙ୍ଗରୁ ସିଗ୍ନାଲ, ଟେଲିଗ୍ରାମ ଏବଂ ସ୍ନାପଚାଟରେ ନିର୍ଦ୍ଦେଶ ଦିଆଯାଉଥିଲା। ଶିବ ସେହି ସୂଚନା ଅନ୍ୟ ସୁଟରମାନଙ୍କ ସହ ସେୟାର କରୁଥିଲା। ଶିବ ଏବଂ ତାର ମୋବାଇଲ୍ ମିଳିବା ମାତ୍ରେ ତଦନ୍ତକୁ ନୂଆ ଦିଗ ମିଳିବ।
ଆମେରିକାରୁ ସାରା ଅପରେସନ୍କୁ ଅପରେଟ କରୁଥିଲା ଲରେନ୍ସ ଭାଇ:
ସନ୍ଦେହ କରାଯାଉଛି ଯେ ଆମେରିକାରେ ଥିବା ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇ ପୁରା ଅପରେସନକୁ ଅପରେଟ କରୁଥିଲେ। ସୁଟର ମାନଙ୍କୁ ଜଣାଥିଲା ଯେ, ସେମାନେ କାହାକୁ ଏବଂ କାହିଁକି ହତ୍ୟା କରିବାକୁ ଯାଉଛନ୍ତି। ହତ୍ୟା ପରେ ଶିବକୁ ଉଜ୍ଜୈନ ନିକଟ ଓଁକାରେଶ୍ୱର ଯିବାର ଥିଲା, ସେଠାରେ ତାକୁ ଲରେନ୍ସ ଗ୍ୟାଙ୍ଗର ଜଣେ ଲୋକକୁ ଭେଟିବାର ଥିଲା। ପଞ୍ଜାବର ପଟିଆଲା ଜେଲରେ ଜିଶାନ ଅଖତର ଗୁରୁମେଲକୁ ଭେଟିଥିଲେ। ଜିଶାନ୍ ହିଁ ଗୁରୁମେଲଙ୍କୁ ଲରେନ୍ସ ଗ୍ୟାଙ୍ଗରେ ସାମିଲ କରିଥିଲା।