ଧରାପୃଷ୍ଠକୁ ଆଲୋଡ଼ିତ କରି ଆଉ ଥରେ ଆସିଛି ୨୦୨୫ର ବହୁ ପ୍ରତୀକ୍ଷିତ ବଡ଼ଦିନ । ସାରା ବିଶ୍ୱ ଆଜି ଆନନ୍ଦ ଜର୍ଜରିତ ଏବଂ ସଙ୍ଗୀତମୁଖରିତ । ସ୍ରଷ୍ଟା ଈଶ୍ୱର ଆଜି ମାନବ ରୂପରେ ଧରାବତରଣ କରିଥିଲେ । କିନ୍ତୁ କେକ୍ ପିଠାର ଆଦାନପ୍ରଦାନ ଏବଂ ଉତ୍ସବ ପାଳନର ବାହ୍ୟ ଆଡମ୍ବର ମଧ୍ୟରେ ଆମେ ଏହି ଐତିହାସିକ ଘଟଣା ମଧ୍ୟରେ ଲୁକ୍କା =ୟିତ ଥିବା ଗଭୀର ଆଧ୍ୟାତ୍ମିକ ରହସ୍ୟ ଉଦ୍ଘାଟନ କରିବାର ଇଚ୍ଛାଶକ୍ତି ହରାଇଥାଉ ।
ଏହି ବିଶେଷ ଘଟଣା ବିଷୟରେ ମାନସପଟ୍ଟରେ ତିନିଟି ଚିନ୍ତାର ଉଦ୍ରେକ ହୁଏ । ସେଦିନ ସ୍ୱର୍ଗ କିଛି ସମୟ ପାଇଁ ନିରବିଗଲା । ପିତା ଈଶ୍ୱର ଧ୍ୟାନମଗ୍ନ ଅବସ୍ଥାରେ ଥିଲେ । ତାଙ୍କ ସମ୍ମୁଖରେ ଏକ ବିରାଟ ପ୍ରଶ୍ନବାଚୀ । ପାପକ୍ଳିଷ୍ଟ ଜଗତକୁ ଉଦ୍ଧାର କରିବାପାଇଁ କିଏ ଯିବ? ସୃଷ୍ଟି ପ୍ରାରମ୍ଭରୁ ବିଚାରକର୍ତ୍ତା ଓ ଭାବବାଦୀମାନେ ଏହି ଜଗତକୁ ଆସିଥିଲେ । ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରିଥିଲେ । କିନ୍ତୁ ସେହିପରି ଫଳପ୍ରଦ ସମାଧାନ ସମ୍ଭବ ହେଲାନାହିଁ । ଅବଶ୍ୟ କେତେକ ଭାବବାଦୀ ଏହାର ନିର୍ଦ୍ଦିଷ୍ଟ ସଙ୍କେତ ଦେଇଥିଲେ । ସ୍ୱର୍ଗଦୂତ ଓ ସାଧୁଗଣ ଏବଂ ଭକ୍ତ ସେବକ ସେବିକାମାନେ ଉପସ୍ଥିତ ଥିଲେ ସୁଦ୍ଧା ଏକ ଦୀର୍ଘ ନିରବତା ସମସ୍ତଙ୍କୁ ବ୍ୟଥିତ କରୁଥିଲା । ହଠାତ୍ କାହାର ମଧୁର ଆଶ୍ୱାସନାର କଥା ନିରବତା ଭଙ୍ଗକରି ପିତାଙ୍କ ମନକୁ ସତେଯେପରି ପ୍ରେମର ଆକର୍ଷଣୀ ଶକ୍ତିରେ ବିମୁଗ୍ଧ କଲା । "ପିତା, ମୁଁ ଯିବି । ମତେ ପଠାନ୍ତୁ' ।
ଧର୍ମଶାସ୍ତ୍ର ବାଇବଲରେ ଉଲ୍ଲେଖ ଅଛି "କାରଣ ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ଯେ ସେ ଆପଣାର ଅନନ୍ୟ ପୁତ୍ରଙ୍କୁ ପଠାଇଲେ, ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନହୋଇ ଅନନ୍ତ ଜୀବନ ପାଇବ' (ଯୋହନ ୩:୧୬) । ପୁରାତନ ନିୟମର କେତେକ ଭାବବାଦୀ ମଧ୍ୟ ଯୀଶୁଙ୍କ ଜନ୍ମ ସଂପର୍କିତ ଭାବବାଣୀ ପ୍ରକାଶ କରିଥିଲେ । ଯିଶାଇୟଙ୍କ ଭାଷାରେ– କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ ହୋଇଛନ୍ତି ଓ ତାହାଙ୍କ ଉପରେ କର୍ତ୍ତୃତ୍ୱ ଭାର ଥୁଆଯିବ, ପୁଣି ତାହାଙ୍କର ନାମ, ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜ ହେବ ।' (ଯିଶାଇୟ ୯:୫) ଭାବବାଦୀ ମୀଖା ଯୀଶୁଙ୍କ ଜନ୍ମସ୍ଥାନ ବେଥଲିହିମ ସମ୍ପର୍କରେ ସୂଚନା ଦେଇ ଲେଖନ୍ତି- ହେ ବୈଥଲେହେମ୍ ଇଫ୍ରାଥା, ଯିହୁଦାର ସହସ୍ରଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ, ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି (ମୀଖା ୫:୨) ।
ଈଶ୍ୱରଙ୍କ ପରିତ୍ରାଣ ଯୋଜନା ଅନୁସାରେ ଏକ ଅଖ୍ୟାତ ପଲ୍ଲୀ ବେଥଲିହିମରେ ଯୀଶୁଙ୍କର ଜନ୍ମ ହେଲା । ସେମାନଙ୍କର ରହିବା ପାଇଁ କୌଣସି ସ୍ଥାନ ନଥିଲା । ସେଥିପାଇଁ ଯୋସେଫ ଏବଂ ମରିୟମ ଏକ ଗୋରୁ ଗୁହାଳରେ ଆଶ୍ରୟ ନେଲେ ଏବଂ ସେହି ପରିବେଶରେ ନବଜାତ ଶିଶୁଙ୍କୁ ସେମାନେ ଲୁଗାରେ ଗୁଡ଼ାଇ କୁଣ୍ଡରେ ରଖିଲେ । ରାତ୍ରିର ଉଦାସ ଆକାଶରେ ହଠାତ୍ ଉଦ୍ଭାସିତ ହେଲା ଏକ ଉଜ୍ୱଳ ତାରକା । ପୂର୍ବ ଦେଶର ତିନି ଜ୍ଞାନୀ ପଣ୍ଡିତ ସେହି ତାରାର ଇଙ୍ଗିତରେ ପଥ ଅନୁସରଣ କରି ଶିଶୁ ଯୀଶୁଙ୍କ ଦର୍ଶନ କରିବା ପାଇଁ ଆସିଲେ । ରାତିରେ ପଲ ଜଗୁଥିବା ମେଷପାଳକମାନଙ୍କୁ ମଧ୍ୟ ସ୍ୱର୍ଗଦୂତ ଏହି କଥା ଜଣାଇଲେ "ଭୟ କରନାହିଁ, ମୁଁ ସମସ୍ତ ଲୋକଙ୍କ ପାଇଁ ଆନନ୍ଦଜନକ ଶୁଭବାର୍ତ୍ତା ଆଣିଛି? ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି । ସେ ଖ୍ରୀଷ୍ଟ ପ୍ରଭୁ' ।
ଯୀଶୁ ସ୍ୱର୍ଗୀୟ ଜ୍ଞାନରେ ବୃଦ୍ଧିପାଇଲେ । ଜଗତରେ ତାହାଙ୍କ ପ୍ରେମ ଓ ସେବା ଆଧାରିତ କାର୍ଯ୍ୟ ଜୀବନ ଆରମ୍ଭ କଲେ । ତାହାଙ୍କ ପାର୍ବତ୍ୟ ଉପଦେଶ ଆମର ଦୈନନ୍ଦିନ ଆଦର୍ଶ ଜୀବନ ସଂପର୍କିତ ଏକ ଉପାଦେୟ ବ୍ୟାବହାରିକ ଶିକ୍ଷା ଉପରେ ଆଧାରିତ । ଏହି ପାର୍ବତ୍ୟ ଉପଦେଶ ମଧ୍ୟ ମହାତ୍ମା ଗାନ୍ଧୀଙ୍କର ଅତି ପ୍ରିୟ ଅଂଶ ଥିଲା ।
ସମାଜର ଅବହେଳିତ, ଅସହାୟ, ଦୁଃଖୀ ଓ ରୋଗୀମାନଙ୍କ ସେବାରେ ଯୀଶୁ ଆପଣାକୁ ଉତ୍ସର୍ଗ କରିଥିଲେ । ଅନ୍ଧକୁ ଦୃଷ୍ଟିଶକ୍ତି, କୁଷ୍ଠୀକୁ ସ୍ପର୍ଶଜନିତ ସୁସ୍ଥତା, ଭୂତଗ୍ରସ୍ତକୁ ସ୍ୱାଭାବିକ ସ୍ୱାସ୍ଥ୍ୟ ପ୍ରଦାନ କରିଥିଲେ । ସେ ସମୟରେ ଯିହୁଦୀମାନେ ଅଣଯିହୁଦୀ (ଶମିରାଣ ନିବାସୀ)ମାନଙ୍କୁ ଅତି ନୀଚ ଓ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ଯୀଶୁ ସେହିଭଳି ଘୃଣ୍ୟ ଓ ଅସ୍ପୃଶ୍ୟ ସମାଜ ପ୍ରତି ସମ୍ବେଦନଶୀଳ ଥିଲେ । ତତ୍କାଳୀନ ପୁରୁଷପ୍ରଧାନ ଯିହୁଦୀ ସମାଜରେ ନାରୀର କୌଣସି ସମ୍ମାନ ନଥିଲା । ସେ ଘୃଣା, ଅପମାନ, ତାଚ୍ଛଲ୍ୟ ଓ ସମାଲୋଚନାର ଶିକାର ହେଉଥିଲା । କିନ୍ତୁ ଯୀଶୁ ଏହି ନାରୀସମାଜ ପ୍ରତି ଅତି ତତ୍ପର ଓ ଯତ୍ନବାନ ଥିଲେ । ଫାରୁଶୀ, ସାଦ୍ଦୁକୀ ଏବଂ ଧର୍ମଯାଜକମାନଙ୍କ ଛଳନାପୂର୍ଣ୍ଣ ଅନ୍ୟାୟ ଆଚରଣ ଏବଂ ଜୀବନଶୈଳୀ ପ୍ରତି ଯୀଶୁ ସ୍ୱର ଉତ୍ତୋଳନପୂର୍ବକ ସେମାନଙ୍କୁ ସଚେତନ କରାଉଥିଲେ ତାଙ୍କ ଶିକ୍ଷା ମାଧ୍ୟମରେ । ଫଳରେ ସେମାନେ ହିଂସାପରାୟଣ ହୋଇ ଯୀଶୁଙ୍କୁ ଦେଶଦ୍ରୋହୀ ସାବ୍ୟସ୍ତ କରି କ୍ରୁଶୀୟ ମୃତ୍ୟୁଦଣ୍ଡ ପାଇଁ ରୋମୀୟ ଶାସକଙ୍କ ନିକଟରେ ଅଭିଯୋଗ କଲେ । ଶେଷରେ କାଲବରୀ ପାହାଡ଼ ଶିଖରରେ ଯୀଶୁଙ୍କୁ ଆଉ ଦୁଇଜଣ ଅପରାଧୀଙ୍କ ସହିତ ମୃତ୍ୟୁଦଣ୍ଡ ଦିଆଗଲା ।
କ୍ରୁଶୀୟ ମୃତ୍ୟୁ ଯନ୍ତ୍ରଣା ସହ୍ୟକରି ମଧ୍ୟ ଅନ୍ତିମ ମୁହୂର୍ତ୍ତରେ ଶତ୍ରୁମାନଙ୍କ ପାଇଁ ଯୀଶୁଙ୍କ ମୁଖରୁ ଝରିଗଲା ଏହି ବ୍ୟାକୁଳ ପ୍ରାର୍ଥନା "ପିତଃ, ଏମାନେ କ’ଣ କରୁଛନ୍ତି ତାହା ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର’ । କ୍ରୁଶ ଏକ ବିଫଳ କାହାଣୀ ନୁହେଁ । ମୃତ୍ୟୁର ତିନିଦିନ ପରେ ଯୀଶୁ ସ୍ୱଶରୀରରେ କବର ମଧ୍ୟରୁ ପୁନରୁତ୍ଥିତ ହେଲେ ଏବଂ ୪୦ଦିନ ଏହି ଧରାବକ୍ଷରେ ରହିଲେ । ଶିଷ୍ୟମାନଙ୍କୁ ଦର୍ଶନ ଦେଇ କହିଲେ "ତୁମ୍ଭମାନଙ୍କର ଶାନ୍ତି ହେଉ' । ପ୍ରଶ୍ନ ଉଠେ, ୨୦୨୫ର ଏହି ଅବସରରେ ବଡ଼ଦିନର ବିଶେଷତ୍ୱ କ'ଣ ଆମର ପାରିବାରିକ ସାମାଜିକ ଓ ମୌଳିକ ଜୀବନରେ? ବର୍ଷ ବର୍ଷ ଧରି ଏହି ପର୍ବ ଗତାନୁଗତିକ ରୂପେ ପାଳିତ ହୋଇଆସୁଛି ।
ଯୀଶୁ କୌଣସି ଧର୍ମ ପ୍ରତିଷ୍ଠା କରିବା ପାଇଁ ଜଗତକୁ ଆସିନଥିଲେ, ମାତ୍ର ପାପୀ ମନୁଷ୍ୟ ଜାତିର ଚ୍ଛିନ୍ନ ସଂପର୍କର ପୁନଃପ୍ରତିଷ୍ଠା ପାଇଁ ମନୁଷ୍ୟ ରୂପେ ଧରାରେ ଅବତୀର୍ଣ୍ଣ ହେଲେ । ଆଜିର ବଡ଼ଦିନ ସୂଚାଇଦିଏ ଯେ, ସେ ପୁନର୍ବାର ଏହି ଧରାପୃଷ୍ଠକୁ ଆସିବେ । କିନ୍ତୁ ଅସହାୟ ଶିଶୁରୂପେ ନୁହେଁ । ମାତ୍ର ସମଗ୍ର ଜଗତର ବିଚାରକର୍ତ୍ତାଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ଆଜିର ଶୁଭ ଅବସରରେ ଏହି ପ୍ରାର୍ଥନା ଉତ୍ତୋଳିତ ହେଉ– ହେ ପ୍ରଭୁ, ଆଜିର ଏ ଅଶାନ୍ତ ଜଗତରେ ତୁମର ଅନୁଗ୍ରହରୁ ଭରିଯାଉ ପ୍ରଥମ ବଡ଼ଦିନର ପ୍ରେମ, ଶାନ୍ତି, ଆଶା ଓ ଆନନ୍ଦର ଅମୃତ ଝର । ସର୍ବେ ଭବନ୍ତୁ ସୁଖଃନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମାଂ କଶ୍ଚିତ ଦୁଃଖଭଗ୍ଭବେତ୍ ।
୨୦୨୫ର ବଡ଼ଦିନ ଏବଂ ଆଗାମୀ ନବବର୍ଷ ସମଗ୍ର ପୃଥିବୀବାସୀଙ୍କ ପାଇଁ ଶୁଭ, ଶାନ୍ତି ଓ ମଙ୍ଗଳମୟ ହେଉ ।