ଉତ୍ତରପ୍ରଦେଶ ୦୭/୦୩: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ କୁକୁର ଆତଙ୍କ । ସ୍ଥିତି ଏପରି ହୋଇଛି ଯେ ଜିଲ୍ଲା ପ୍ରଶାସନ ଗାଁରୁ ଗାଁ ବୁଲି ଲୋକଙ୍କୁ ଏକୁଟିଆ ଘରୁ ନ ବାହାରିବାକୁ ଚେତାଉଛି । ଦରକାର ପଡ଼ିଲେ ଲୋକଙ୍କୁ କାହା ସଙ୍ଗରେ ନଚେତ ହାତରେ ବାଡ଼ି କିମ୍ବା ଅନ୍ୟ କିଛି ହତିଆର ଧରି ଆସିବାକୁ ପରାମର୍ଶ ଦିଆଯାଉଛି । ଆତଙ୍କର ଏହି ବାତାବରଣରେ ପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି । ପିଲାଙ୍କୁ ବାହାରକୁ ଛାଡ଼ିବାକୁ ପରିବାର ଲୋକେ ଭୟ କରୁଛନ୍ତି । ବିଶେଷକରି ଖେରିଘାଟ ଅଞ୍ଚଳ ଶିବପୁର ବ୍ଲକର ୪ ଗାଁ ମଟେରା କଳା, ବକ୍ସିପୁରା, ରଖୌନା, ଖେରିଘାଟରେ ଭୟଙ୍କର କୁକୁର ଆତଙ୍କ ଦେଖାଦେଇଛି ।
କୁକୁରଗୁଡ଼ିକ ଦଳଦଳ ହୋଇ ଗାଁରେ ବୁଲୁଛନ୍ତି । କାହାରିକୁ ଏକୁଟିଆ ଦେଖିଲେ କିମ୍ବା କାହା ହାତରେ ବାଡ଼ି କିମ୍ବା ଅନ୍ୟ କିଛି ହତିଆର ନ ଥିଲେ କୁକୁରପଲ ସେମାନଙ୍କୁ ଆକ୍ରମଣ କରୁଛନ୍ତି । ଫଳରେ ଗାଁ ରାସ୍ତା ଶୂନ୍ଶାନ ରହୁଛି । କୌଣସି କାମ ପଡ଼ିଲେ ଲୋକେ ଡକାଡକି ହୋଇ ଏକସଙ୍ଗରେ ବାହାରକୁ ବାହାରୁଛନ୍ତି । କୁକୁରପଲ ବିଶେଷକରି ଛୋଟ ପିଲାଙ୍କୁ ଝୁଣି ଦେଉଛନ୍ତି । ପ୍ରଶାସନ ପକ୍ଷରୁ କୁକୁର ଧରିବାକୁ ଉଦ୍ୟମ ଜାରିଥିବାବେଳେ ମାଇକ୍ ଦ୍ୱାରା ଘୋଷଣା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଗତ ୧୦ ଦିନ ହେଲା ୪ ଗ୍ରାମରେ କୁକୁର ଆତଙ୍କ ବଢ଼ିଛି । ନିକଟରେ କୁକୁର କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଏକାଧିକ ଶିଶୁଙ୍କୁ କୁକୁରଙ୍କ କବଳରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । କୁକୁର ଆତଙ୍କ ଯୋଗୁ ଏହି ୪ ଗ୍ରାମର ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି । ଘର ଭିତରକୁ ଯେପରି କୁକରପଲ ମାଡ଼ି ନ ଯାଆନ୍ତି ସେଥିପାଇଁ ପାଳିକରି କେତେକ ଲୋକ ଗୋଷ୍ଠୀ ହୋଇ ବାହାରେ ଜଗୁଛନ୍ତି ।

କ୍ଷେତ କାମ ପାଇଁ ମଧ୍ୟ ଲୋକେ ଏକାଠି ହୋଇ ଘରୁ ବାହାରୁଛନ୍ତି । ପିଲାଙ୍କ ସମେତ ବୟସ୍କ ଲୋକଙ୍କୁ ଘର ଭିତରେ ରହିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାର ପ୍ରତିକାର ବାହାର କରା ନ ଗଲେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ ଏବଂ ପିଲାଙ୍କ ଭବିଷ୍ୟତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି କହି ବହୁସଂଖ୍ୟାରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଖୁବ୍ଶୀଘ୍ର ଆତଙ୍କ ଖେଳାଇଥିବା କୁକୁରକୁ ଧରାଯାଇ ସେଗୁଡ଼ିକର ବନ୍ଧ୍ୟାକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।