ମୁମ୍ବାଇ, ୧୫/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଫର୍ମୁଲା ୱାନ୍ ସିଜନ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ବର୍ଷର ଦୁଇ ଲୋକପ୍ରିୟ ରେସ୍ ବାହାରିନ ଓ ସାଉଦି ଆରବ ଗ୍ରାଁପ୍ରି ବାତିଲ ହେବା ଏକ ପ୍ରକାର ନିଶ୍ଚିତ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଫର୍ମୁଲା ୱାନ୍ର ସର୍ବୋଚ୍ଚ ସଙ୍ଘ ପକ୍ଷରୁ ଉଭୟ ଗ୍ରାଁପ୍ରି ବାତିଲ ବିଷୟ ଘୋଷଣା ହେବା ନିଶ୍ଚିତ ।
ଚଳିତ ବର୍ଷ ମୋଟ ୨୪ଟି ରେସ୍ ଅନୁଷ୍ଠିତ ହେବାର ଥିଲା । ବାହାରିନ୍ ଓ ସାଉଦି ଆରବ ଗ୍ରାଁପ୍ରି ବାତିଲ ହେବା ଫଳରେ ରେସ୍ ସଂଖ୍ୟା ୨୨କୁ ଖସିବ । ଯାହା ଫଳରେ ଆୟୋଜକ ଫିଆ (ଅନ୍ତର୍ଜାତୀୟ ଅଟୋମୋବାଇଲ ସଙ୍ଘ) ଅତି କମ୍ରେ ୧୦୦ ମିଲିୟନ ୟୁରୋ କ୍ଷତି ସହିବ । ଫର୍ମୁଲା ୱାନ୍କୁ ବାହାରିନ ଓ ସାଉଦି ଆରବ ସର୍ବାଧିକ ଆୟୋଜନ ପାଉଣା ପ୍ରଦାନ କରନ୍ତି ।
ଆସନ୍ତା ଏପ୍ରିଲ ୧୦ରୁ ୧୨ ତାରିଖ ମଧ୍ୟରେ ବାହାରିନ ଗ୍ରାଁପ୍ରି ଓ ଏପ୍ରିଲ ୧୭ରୁ ୧୯ ମଧ୍ୟରେ ସାଉଦି ଆରବିଆନ ଗ୍ରାଁପ୍ରି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଗତ ମାସ ୨୮ ତାରିଖରୁ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଯୁଦ୍ଧରେ ବାହାରିନ ରାଜଧାନୀ ମାନାମା ଓ ସାଉଦି ଆରବର ଜେଦାହ ସହର ବେଶ୍ କ୍ଷତିଗ୍ରସ୍ତ ହୋଇଛି । ଯାହା ଫଳରେ ସେଠାରେ ରେସ୍ ଆୟୋଜନ କରିବା ସମ୍ଭବ ନୁହେଁ । ଯୁଦ୍ଧ ଯୋଗୁଁ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି ।
ଉଭୟ ରେସ୍ ବାତିଲ ହେଲେ ପାଖା ପାଖି ୪ସପ୍ତାହର ବିଶ୍ରାମ ସମୟ ମିଳିବ । ମେ’ ୨୯ରେ ଜାପାନିଜ ଗ୍ରାଁପ୍ରି ଶେଷ ହେବ ଓ ମେ’ ୩ ତାରିଖରେ ଆରମ୍ଭ ହେବ ମାୟାମୀ ଗ୍ରାଁପ୍ରି । ମଝିରେ କେବଳ ବାହାରିନ ଓ ସାଉଦି ଆରବ ଗ୍ରାଁପ୍ରି ରହିଥିଲା ।
ଏହି ବ୍ୟବଧାନକୁ ସୀମିତ ରଖିବା ପାଇଁ ଆୟୋଜକ ଜାପାନରେ ଡବଲ୍ ରେସ ଆୟୋଜନ କରିବାକୁ ଚିନ୍ତା କରୁଛନ୍ତି । ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।