ନୂଆଦିଲ୍ଲୀ, ୨୪।୨: ବିଶ୍ୱରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୌହାର୍ଦ୍ଧ୍ୟ ବୃଦ୍ଧି କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୬୪ ଦେଶଙ୍କ ସହ ସୋମବାର ‘ଫ୍ରେଣ୍ଡସିପ୍ ଗ୍ରୁପ୍' ଗଠନ କରିଛନ୍ତି । ଏଥିରେ ଏନ୍‌ଡିଏର ସହଯୋଗୀ ଦଳମାନଙ୍କ ସହିତ ବିରୋଧୀ ପକ୍ଷଙ୍କ ସମସ୍ତ ନେତା ସ୍ଥାନ ପାଇଛନ୍ତି । ଫଳରେ ଏହି ଦେଶମାନଙ୍କ ସଂସଦୀୟ ସମ୍ପର୍କ ଆହୁରି ଦୃଢିଭୂତ ହେବ ବୋଲି ଆଶା କରାଯାଉଛି । ବିଜେପିର ବରିଷ୍ଠ ସାଂସଦ ବୈଜୟନ୍ତ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଆମେରିକା ଫ୍ରେଣ୍ଡସିପ୍ ଗ୍ରୁପ୍‌ର ନେତୃତ୍ୱ କରୁଥିବାବେଳେ ବିଜେପିର ଅନ୍ୟତମ ବରିଷ୍ଠ ନେତା ଭର୍ତ୍ତୃହରି ମହତାବଙ୍କୁ ଇସ୍ରାଏଲ ଫ୍ରେଣ୍ଡସିପ୍ ଗ୍ରୁପ୍‌ର ଦାୟିତ୍ୱ ଦିଆଯାଇଛି । ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଜର୍ଜିଆ ଓ ବିଜେପିର ବରିଷ୍ଠ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ତାଞ୍ଜାନିଆ ଗ୍ରୁପ୍ର ଦାୟିତ୍ୱ ଦିଆଯାଇଛି ।

ଏହା ବି ପଢ଼ନ୍ତୁ... ନମାଜ ପଢ଼ିବାକୁ ଯାଇଥିଲେ ବାପା, ଜଳିଗଲା ପୂରା ପରିବାର: ମେରଠ ଅଗ୍ନିକାଣ୍ଡରେ ମହିଳା ଓ ୫ ଶିଶୁଙ୍କ ସମେତ ୬ ମୃତ

କଂଗ୍ରେସର ଶଶି ଥରୁର୍, କେସି ଭେଣୁଗୋପାଳ, ମନିଷ ତିୱାରୀ, ଗୌରବ ଗୋଗୋଇ ଓ ପି ଚିତାମ୍ବରମଙ୍କୁ ବିଭିନ୍ନ ଫ୍ରେଣ୍ଡସିପ୍ ଗ୍ରୁପ୍‌ର ନେତୃତ୍ୱ ପାଇଁ ମନୋନୀତ କରାଯାଇଛି । ବିଜେପିର ରବି ଶଙ୍କର ପ୍ରସାଦ, ନିଶିକାନ୍ତ ଦୁବେ, ଅନୁରାଗ ଠାକୁର, ଡି.ପୁରନ୍ଦେଶ୍ୱରୀ, ହେମାମାଳିନୀ, ବିପ୍ଳବ କୁମାର ଦେବ ଓ ଜଗଦମ୍ବିକା ପାଲ୍ଙ୍କୁ ମଧ୍ୟ ବିର୍ଲା ନିଯୁକ୍ତ କରିଛନ୍ତି । ଏମାନଙ୍କ ସହ ଟି ଆର ବାଲୁ (ଡିଏମ୍କେ), କାନି ମୋଝି (ଡିଏମ୍କେ), ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି), ସଞ୍ଜୟ କୁମାର ଝା (ଜନତା ଦଳ ୟୁ), ଡେରେକ୍ ଓ ବ୍ରିଏନ (ତୃଣମୂଳ କଂଗ୍ରେସ), ଅଭିଷେକ ବାନାର୍ଜି (ତୃଣମୂଳ କଂଗ୍ରେସ), ଏମ୍ ଥମ୍ବିଦୁରାଇ (ଏଆଇଏଡିଏମ୍କେ), ରାମଗୋପାଳ ଯାଦବ (ସମାଜବାଦୀ ପାର୍ଟି), ସୁପ୍ରିୟା ସୁଲେ (ଏନ୍ସିପିଏସ୍ପି) ଓ ସଞ୍ଜୟ ସିଂହ (ଆପ୍) ନିଯୁକ୍ତ ହୋଇଛନ୍ତି ।

ଶଶି ଥରୁର ଫ୍ରାନ୍ସ, ପି.ଚିଦାମ୍ବରମ୍ ଇଟାଲି, ଅଖିଳେଶ ଯାଦବ ଜାପାନ, ମନିଷ ତିୱାରୀ ଅଷ୍ଟ୍ରେଲିଆ, ସୁପ୍ରିୟା ସୁଲେ ସିଙ୍ଗାପୁର, କାନିମୋଝି ଗ୍ରୀସ୍, ହେମାମାଳିନୀ ଦକ୍ଷିଣ ଆଫ୍ରିକା, ନିଶିକାନ୍ତ ଦୁବେ ରଷିଆ, ସଞ୍ଜୟ ଝା ଜର୍ମାନୀ ଓ ଡେରେକ୍ ଓ ବ୍ରିଏନଙ୍କୁ ଚିଲି ଭଳି ଗୁରୁତ୍ୱପୂର୍ଣ୍ଣ ଦେଶ ସକାଶେ ନିଯୁକ୍ତ କରାଯାଇଛି । ଏହି ନେତାମାନଙ୍କ ଅଧୀନରେ ଗଠନ ହୋଇଥିବା ଫ୍ରେଣ୍ଡ୍ସିପ୍ ଗ୍ରୁ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ଅଛନ୍ତି । ସେମାନେ ଏହିସବୁ ଦେଶକୁ ଗସ୍ତ କରି ଆଲୋଚନା ମାଧ୍ୟମରେ ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଝବୁତ କରିବାରେ ସହାୟକ ହେବେ । ସୂଚନାଯୋଗ୍ୟ, ଅପରେସନ୍ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ନେତୃତ୍ୱରେ ଅନେକ ଦେଶକୁ ସଂସଦୀୟ ପ୍ରତିନିଧିମଣ୍ଡଳ ପଠାଇ ଏହି ଅପରେସନ୍ ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ସ୍ପଷ୍ଟ କରାଇଥିଲେ ।