ଭୁବନେଶ୍ୱର/ପୁରୀ/ବଳଙ୍ଗା/ନୂଆଦିଲ୍ଲୀ,୦୩/୦୮: ୧୫ ଦିନ ଧରି ଜୀବନ ସହ  ଲଢୁଥିଲେ । ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌ ଦିନ ରାତି  ଏକ୍‌ କରି ଚିକିତ୍ସା ଚଳାଇଥିଲେ । କିନ୍ତୁ ଶେଷରେ  ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା ।  ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଆଜି ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହେବ । ଦିଲ୍ଲୀ ଏମ୍‌ସରେ ରାତିବେଳା ଶବ ବ୍ୟବଚ୍ଛେଦ ନିୟମ  ନ ଥିବାରୁ ଆଜି ସକାଳୁ ଶବ ବ୍ୟବଚ୍ଛେଦ କରାଯିବ । ଏହାପରେ ତାଙ୍କ ମର ଶରୀର ଓଡ଼ିଶା  ଅଣାଯିବ ବୋଲି ସୂଚନା ମିଳିଛି ।  

ଗତ ୧୯ ତାରିଖରେ ସମ୍ପର୍କୀୟଙ୍କ ଘରକୁ  ଯିବାବେଳେ ପୀଡ଼ିତାଙ୍କ ସହ ଏହି ବର୍ବରୋଚିତ  ଅଘଟଣ ଘଟିଥିଲା । ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର-ହରିପୁର ରାସ୍ତାର ତେରହଳ ଗାଁ  ନଦୀ ବନ୍ଧ ତଳେ ତିନି ଦୁର୍ବୃତ୍ତ ତାଙ୍କ ଦେହରେ  କିରାସିନି ଢାଳି ନିଆଁ ଲଗାଇଥିଲେ ବୋଲି ସେ ନିଜେ ଅଭିଯୋଗ କରିଥିଲେ । ତାଙ୍କ ଶରୀରର  ୭୫% ପୋଡ଼ି ଯାଇଥିଲା । ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ  ଓ ପଛ ପାଶ୍ୱର୍ରେ ଗଭୀର ଜ୍ୱାଳା(ଡିପ୍‌ ବର୍ଣ୍ଣ) ସୃଷ୍ଟି  ହୋଇଥିଲା । ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ  ପରେ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା ।  

ଏମ୍‌ସ୍‌ ଭୁବନେଶ୍ୱରେ ଭର୍ତ୍ତି ସମୟରେ  ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏମ୍‌ସ କର୍ତ୍ତୃପକ୍ଷ ୧୪  ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଢ଼ିଥିଲେ । ପୀଡ଼ିତାଙ୍କୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ପାଇଁ ସରକାର ସମସ୍ତ  ତତ୍ପରତା ଦେଖାଇଥିଲେ । ୨୦ ତାରିଖରେ ସ୍ୱତନ୍ତ୍ର  ବିମାନ ଯୋଗେ ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍‌ସକୁ ପଠାଇଥିଲେ । ବର୍ଣ୍ଣ ଆଇସିୟୁରେ ଭର୍ତ୍ତି  କରି ଚିକିତ୍ସା ଚାଲିଥିଲା । ୨୧ ତାରିଖରେ ପୀଡ଼ିତାଙ୍କ ସ୍କିନ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲା ।  କେନ୍ଦ୍ରମନ୍ତ୍ରୀଙ୍କଠାରୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ବିଜେପି  ସାଂସଦମାନେ ଦିଲ୍ଲୀ ଏମ୍‌ସ ଯାଇ ଡାକ୍ତରୀ ଟିମ୍‌ ସହ  ଆଲୋଚନା କରିଥିଲେ । ପୀଡ଼ିତାକୁ ସୁସ୍ଥ କରିବାକୁ  ପୂରା ସରକାରୀ ଦଳ ଲାଗି ପଡ଼ିଥିଲା । କିନ୍ତୁ ପରେ  ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପ୍ରାଣ ହରାଇଛନ୍ତି ।  ପୀଡ଼ିତାଙ୍କୁ ଏୟାରଲିଫ୍ଟ କରିବା ଠାରୁ ନେଇ ତାଙ୍କ  ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଥିବା ୬ଲକ୍ଷ ଟଙ୍କାକୁ  ରାଜ୍ୟ ସରକାର ବହନ କରିଥିଲେ । ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ହୋଇଥିଲା ।   

ରବିବାର ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ହେବ ।  ଦିଲ୍ଲୀ ଏମ୍‌ସରେ ରାତିବେଳା ଶବ ବ୍ୟବଚ୍ଛେଦ ନିୟମ  ନ ଥିବାରୁ ରବିବାର ସକାଳୁ ଶବ ବ୍ୟବଚ୍ଛେଦ  କରାଯିବ । ଏହାପରେ ତାଙ୍କ ମର ଶରୀର ଓଡ଼ିଶା  ଅଣାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝି ଟ୍ୱିଟ୍‌ କରି ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର  ଶୋକପ୍ରକାଶ କରିଛନ୍ତି । ବଳଙ୍ଗା ଘଟଣାରେ ପୀଡ଼ିତା  ଝିଅର ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ସରକାରଙ୍କ  ସମସ୍ତ ପ୍ରୟାସ ଓ ଡାକ୍ତରୀ ଟିମ୍‌ର ଅହୋରାତ୍ର ଚେଷ୍ଟା  ସତ୍ତେ୍ୱ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲାନି ।  ଏହି ଅପୂରଣୀୟ କ୍ଷତି ସହିବାକୁ ତାଙ୍କ ପରିବାରକୁ  ଶକ୍ତି ଦେବାକୁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା  ଜଣାଇଛନ୍ତି । ନାବାଳିକାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ  ଓ ମର୍ମାହତ ବୋଲି ସେ କହିଛନ୍ତି ।

ରାଜ୍ୟପାଳ ଡା. ହରିବାବୁ କମ୍ଭମପାଟି, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି। ସବୁ  ଚେଷ୍ଟା ସତ୍ତେ୍ୱ ଆମେ ତାଙ୍କୁ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି ରାଜ୍ୟପାଳ  କହିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ  ଦୁଃଖପ୍ରକାଶ କରିଛନ୍ତି । ଘଟଣାକୁ ନେଇ ମୁଁ ବ୍ୟଥିତ ବୋଲି ସେ କହିଛନ୍ତି ।    

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ ଏହି ଘଟଣାର ତଦନ୍ତ କରୁଥିଲା ।  କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌, ସ୍ପେଶାଲ ବ୍ରାଞ୍ଚର ୧୦ ଜଣିଆ ଟିମ୍‌,  ସ୍ପେଶାଲ ସ୍କ୍ୱାଡ୍‌ର ୩ଟି ଟିମ୍‌ ଘଟଣାର ତଦନ୍ତ କରିଥିଲେ । ତଦନ୍ତକାରୀ ଦଳ  ଏକାଧିକ ଥର ଭୁବନେଶ୍ୱର ଏମ୍‌ସ ଓ ଦିଲ୍ଲୀ ଏମ୍‌ସକୁ ଯାଇ ଚିକିତ୍ସାଧୀନ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ତଦନ୍ତ ବେଳେ ପରିବାର  ସଦସ୍ୟଙ୍କ ସମେତ ସନ୍ଦେହ ଘେରରେ ଆସୁଥିବା ପ୍ରାୟ ୭୦ ଜଣଙ୍କ ବୟାନ ରେକର୍ଡ ହୋଇଥିଲା । 

ପୀଡ଼ିତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ  ହୋଇଥିବା ସ୍ଥାନରୁ କିରାସିନି ବୋତଲ ଓ ବୋତଲ ଭର୍ତ୍ତି ହୋଇଥିବା  ବ୍ୟାଗ୍‌ ସାଙ୍ଗକୁ, ଚୁଡ଼ି, ମୁଦି, ଚପଲ ଓ ପୋଡ଼ି ଯାଇଥିବା ପୋଷାକକୁ  ସାଇଣ୍ଟିଫିକ୍‌ ଟିମ୍‌ ଜବତ କରିଥିଲା ।  ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇ ବିଜେପି ସାଂସଦମାନେ ତତ୍କାଳ  ଏମ୍‌ସ ଦିଲ୍ଲୀରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ଭେଟି ସମବେଦନା  ଜଣାଇଥିଲେ । ବିଜେଡି ସାଂସଦମାନେ ବି ଏମ୍‌ସକୁ ଯାଇ ପୀଡ଼ିତାଙ୍କ  ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସାଂସଦ ସସ୍ମିତ ପାତ୍ର, ମୁନ୍ନା  ଖାଁ, ସୁଲତା ଦେଓ, ନିରଞ୍ଜନ ବିଶି ସେଠାରେ ପହଞ୍ଚିଥିଲେ ।