ପୁରୀ,୧୮/୦୮: ଭୁବନେଶ୍ୱର ଏବଂ ପରେ ନୂଆଦିଲ୍ଳୀ  ଏମ୍‌ସରେ ଚିକିତ୍ସା  ହେଉଥିଲେ ବଳଙ୍ଗାର ନାବାଳିକା ପୀଡିତା । ତାଙ୍କଠାରୁ ବୟାନ ସଂଗ୍ରହ କରାଯାଉଥିବାର  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଘଟଣାକୁ  ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରାଯାଇଥିବା ନେଇ ରବିବାର ଗଣମାଧ୍ୟମକୁ ସୂଚନା  ଦେଇଛନ୍ତି ଏସ୍‌ପି ପିନାକ ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି, ଏହି ସମ୍ବେଦନଶୀଳ ଭିଡିଓ କିଏ  ଓ କ’ଣ ପାଇଁ ଭାଇରାଲ କରିଛି ତାହାର ଅନୁସନ୍ଧାନ ଜାରି ରହିଛି । କ୍ରାଇମ୍‌ବ୍ରାଞ୍ଚ ଓ ସାଇବର ଟିମ୍‌ର ଅଧିକାରୀମାନଙ୍କ ସହଯୋଗରେ ଏହାର ତଦନ୍ତ ଜାରି ରହିଛି । ଉକ୍ତ  ଘଟଣାର ଭିଡିଓ ଭାଇରାଲ କରିବା ଅନୁଚିତ୍‌ । ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଚୂଡ଼ାନ୍ତ ରିପୋର୍ଟ ଖୁବ୍‌ଶୀଘ୍ର କୋର୍ଟକୁ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଏହି  ଭିଡିଓକୁ ଭାଇରାଲ୍‌ ନ କରିବା ସହିତ ନ ଦେଖିବାକୁ ଅପିଲ କରିଛନ୍ତି ଏସ୍‌ପି।