କଟକ,୧୦/୧୧: ବାଲିଯାତ୍ରାରେ ବିଦ୍ୟୁତ୍‌  ଆଘାତରେ ଜଗତସିଂହପୁର ଅଞ୍ଚଳର ଛାତ୍ର  ବିଶ୍ୱପ୍ରକାଶ ମନ୍ଥାନଙ୍କ ମୃତ୍ୟୁକୁ ଏହା ମଧ୍ୟରେ ବର୍ଷେ ପୂରିଛି । ହେଲେ ମୃତକଙ୍କ ପରିବାରକୁ  ଏଯାବତ କ୍ଷତିପୂରଣ ପ୍ରଦାନ କରାଯାଇନି ।  କ୍ଷତିପୂରଣ ବାବଦରେ ମୃତକଙ୍କ ବଡ଼ ଭାଇକୁ ଯୋଗ୍ୟତା ଅନୁସାରେ ଚାକିରି ଦେବେ ବୋଲି  କଟକ ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।  ମାତ୍ର ଏହି ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି । ବର୍ଷେ ପରେ ବି ଚାକିରିର ନାଁ ଗନ୍ଧ ନାହିଁ । ଯାହାକୁ  ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଛାତ୍ରଙ୍କ ବାପା । 

ଗତବର୍ଷ ୨୦୨୪ ନଭେମ୍ବର ମାସ ୧୭  ତାରିଖରେ ବାଲିଯାତ୍ରା ଚାଲିଥିଲା । ଏହି ଦିନ  ତୁଳସୀପୁର ସରସ୍ୱତୀ ଶିଶୁମନ୍ଦିରର ଛାତ୍ର  ଜଗତସିଂହପୁରର ବିଶ୍ୱପ୍ରକାଶ ସାଙ୍ଗମାନଙ୍କ ସହିତ  ଯାତ୍ରା ବୁଲିବାକୁ ଆସିଥିଲେ । ଭୁଆସୁଣୀ ପଠାରୁ  ଆସୁଥିବା ମାଗଣା ବସ୍‌ରେ ସେ ଯାତ୍ରା ଆସି ଦେଖିବା  ପରେ ରାତିରେ ପୁଣି ସ୍କୁଲ୍‌ ହଷ୍ଟେଲ୍‌କୁ ଫେରୁଥିଲେ ।  ଫେରିବା ବେଳେ ସେ ସେହି ମାଗଣା ବସ୍‌ରେ  ବସିବା ପାଇଁ କ୍ୟାଣ୍ଟନମେଣ୍ଟ୍‌ ଥାନା ସାମ୍ନାରେ ରାସ୍ତା  ପାର୍‌ କରୁଥିଲେ । ରାସ୍ତା ପାର୍‌ କରିବା ପାଇଁ ମଝିରେ  ଥିବା ଡିଭାଇଡର ଡେଇଁବା ବେଳେ ବିଦ୍ୟୁତ୍‌ ତାର  ସଂସ୍ପର୍ଶରେ ଚାଲିଆସିଥିଲେ । ସେହି ଡିଭାଇଡରରେ  ଥିବା ଛୋଟ ଛୋଟ ଗଛରେ ଲିଚୁ ସଜାଯାଇଥିଲା ।  ମାତ୍ର ଲିଚୁ ପାଇଁ ଲାଗିଥିବା ତାର ବିଭିନ୍ନ ସ୍ଥାନରେ  ଛିଣ୍ଡିଯାଇଥିଲା । ଏହି ଛିଣ୍ଡା ତାର ବିଶ୍ୱପ୍ରକାଶଙ୍କ  ଦେହରେ ଲାଗିଯିବାରୁ  ବିଦ୍ୟୁତ୍‌ ଆଘାତ ଲାଗିବା  ପରେ ଘଟଣା ସ୍ଥଳରେ  ତାଙ୍କର ମୃତ୍ୟୁ ଘଟିଥିଲା ।  ଆଉ ଏହି କଥାକୁ ନେଇ  ତମ୍ବିତୁଫାନ ହୋଇଥିଲା । 

ପ୍ରଶାସନର ଅବହେଳା ଓ  ଦାୟିତ୍ୱହୀନତା ପାଇଁ ଏଭଳି ଅଘଟଣ ହୋଇଥିବା  ଅଭିଯୋଗ ହୋଇଥିଲା । ଆଉ ଏସ୍‌ସିବିରେ  ବିଶ୍ୱପ୍ରକାଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ  ପରିବାର ଲୋକ ସେଠାରେ ଧାରଣାରେ ବସିଥିଲେ ।  ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ  ଶିନ୍ଦେ ଏସ୍‌ସିବିରେ ପହଞ୍ଚି ମୃତକଙ୍କ ପରିବାର  ସହିତ ଆଲୋଚନା କରିଥିଲେ । ମୃତ ପ୍ରକାଶଙ୍କ  ପରିବାରର ଜଣଙ୍କୁ ଅର୍ଥାତ୍‌ ତାଙ୍କର ବଡ଼ ଭାଇ  ପ୍ରଜ୍ଞା ପ୍ରକାଶ ମନ୍ଥାନଙ୍କୁ ସରକାରଙ୍କ ପକ୍ଷରୁ  ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରି ଦିଆଯିବ  ବୋଲି କୁହାଯାଇଥିଲା । ଏଥିସହିତ ଆବଶ୍ୟକୀୟ  କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ କହିଥିଲେ ।  ହେଲେ ଘଟଣାକୁ ବର୍ଷେ ବିତିଥିଲେ ବି ଏଯାବତ  ମୃତକଙ୍କ ଭାଇକୁ ଚାକିରି ପ୍ରଦାନ କରାଯାଇନି ।  ଏନେଇ ବିଶ୍ୱପ୍ରକାଶଙ୍କ ବାପା ପ୍ରଭାକର ମନ୍ଥାନ  ବାରମ୍ବାର ଯାଇ କଟକ ଜିଲ୍ଲାପାଳଙ୍କୁ ଭେଟିଥିଲେ ବି  କୌଣସି ଫଳ ମିଳିନି । ଚାକିରି ମିଳିବା ତ ଦୂରର  କଥା, କ୍ଷତିପୂରଣ ବି ମିଳିପାରିନି । ଏନେଇ ମୃତକଙ୍କ  ବାପା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତାକାଲି  ପୁଣି ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।