କାକିରିଗୁମା,୦୨/୦୮: ତୁହାକୁ ତୁହା ବର୍ଷା ।  ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ  ବାଜି ଲାଗିଛି ସେମାନଙ୍କ ଜୀବନ । ପାଦେପାଦେ  ରହିଛି ବିପଦ । ଗୋଟିଏ ପଟେ ହିଂସ୍ର ଜନ୍ତୁ,  ଅନ୍ୟପଟେ ସରୀସୃପଙ୍କ ଭୟ । ଏଭଳି ନିଛାଟିଆ  ଜଙ୍ଗଲିଆ ପରିବେଶକୁ ସେମାନେ ଆପଣାଇବାକୁ  ବାଧ୍ୟ ହୋଇଛନ୍ତି । କୁକୁଡ଼ା ରହିଲା ଭଳି ଛୋଟିଆ  ଭାଡ଼ିଟିଏ ତିଆରି କରି ତା’ରି ତଳେ ମୁଣ୍ଡ ଗୁଞ୍ଜିଛନ୍ତି  ୩ ଛୁଆଙ୍କ ସହ ୫ ପ୍ରାଣୀ କୁଟୁମ୍ବ । ଯିବେ ତ  କୁଆଡ଼େ ଯିବେ । ନିଜ ମାଟିଘର ଖଣ୍ଡିକ ମାଟିରେ ମିଶିଯିବା ପରେ ନିହାତି ଗରିବ ଆଦିବାସୀ  ପରିବାର ପାଖରେ ବିକଳ୍ପ ନାହିଁ । ସବୁ ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ସେମାନେ କେବଳ ୧୦  କେଜି ଚାଉଳରେ ବଞ୍ଚି ଆସୁଛନ୍ତି ଏକ ବିଡ଼ମ୍ବିତ ଜୀବନ । ୩ ପିଲାଙ୍କ ପାଠପଢ଼ାରେ ବି ଡୋରି  ବନ୍ଧାଯାଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ  ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତରୁ ୩ କିମି  ଦୂର ଏକ ଜଙ୍ଗଲରେ । ଦୟନୀୟ ଜୀବନ ଜିଉଁଥିବା  ଏହି ପରିବାରର ମୁଖିଆ ହେଉଛନ୍ତି ବାରିଗୁଡ଼ାର  ବଲ୍ଲଭ ଜାନୀ । 

ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ସେବତୀ  ଜାନୀ ଓ ତିନି ପୁଅଙ୍କୁ ନେଇ ବଲ୍ଲଭଙ୍କ ସଂସାର ।  ନିଜର ବୋଲି କେବଳ ମାଟିଘର ଖଣ୍ଡିଏ  ଥିଲା । ସ୍ୱାମୀ-ସ୍ତ୍ରୀ କୁଲିଭୁତି କରି ବହୁ କଷ୍ଟରେ  ପରିବାର ଚଳାଉଥିଲେ । ୬ ମାସ ତଳେ ହଠାତ୍‌  ଝଡ଼ବର୍ଷାରେ ସେମାନଙ୍କ ମାଟିଘର ମାଟିରେ ମିଶି  ଯାଇଥିଲା । ଏହାପରେ ସେମାନଙ୍କୁ କେହି ଆଶ୍ରୟ  ଦେଲେ ନାହିଁ । ସ୍ଥାନୀୟ ସରପଞ୍ଚ କିମ୍ବା ଆର୍‌ଆଇ  ଘଟଣାସ୍ଥଳକୁ ଗଲେନି କି ଦୁଃଖ ବୁଝିଲେନି । ଆଡ଼େଇ ହୋଇ ରହିଲା ପ୍ରଶାସନିକ କଳ ।  ଶେଷରେ ଅନ୍ୟ ଉପାୟ ନ ପାଇ ବଲ୍ଲଭ  ଘରଠାରୁ ୩ କିମି ଦୂର ଏହି ଜଙ୍ଗଲରେ ଆଶ୍ରୟ  ନେଇଛନ୍ତି । କେଇଖଣ୍ଡ ଛୋଟ ଛୋଟ କାଠବାଉଁଶ  ପୋତି, ତା ଉପରେ ଚିରାଫଟା ପଲିଥିନ୍‌  ପକାଇ ଛୋଟିଆ ଭାଡ଼ିଟିଏ ତିଆରି କରିଛନ୍ତି ।  ଏଭଳି ଘରେ ୫ ପ୍ରାଣୀ ରହିବା କେତେ  ସୁରକ୍ଷିତ ପ୍ରଶାସନ ତାହା ବୁଝିବା ଦରକାର ।  

ବିଡ଼ମ୍ବନା, ଏପର୍ଯ୍ୟନ୍ତ ଏହି ଗରିବ  ପରିବାର ପାଖରେ ସରକାରୀ ଅଧିକାରୀ  କିମ୍ବା ଲୋକ ପ୍ରତିନିଧି କେହି ହେଲେ ପହଞ୍ଚି  ନାହାନ୍ତି । ଆଶାଦିଦି ସୁଲା ମୁଦୁଲିଙ୍କଠାରୁ  ସୂଚନା ପାଇବା ପରେ ଆମେ ପହଞ୍ଚିଥିଲୁ  ଜଙ୍ଗଲରେ । ଗରିବଗୁରୁବାଙ୍କ ପାଇଁ ଆବାସ  ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହାର  ଚିତ୍ର ସାଉଁଟିଥିଲୁ । ପଚାରିବାରୁ ଜଣାପଡ଼ିଲା,  ସରକାରୀ ସହାୟତା କହିଲେ ସ୍ୱାମୀ-ସ୍ତ୍ରୀଙ୍କୁ  ମିଳୁଛି ମାତ୍ର ୧୦ କେଜି ଚାଉଳ । ପିଲାଙ୍କ  ଭାଗରେ ତାହା ବି ଜୁଟିନି । ପିନ୍ଧିବା ଲାଗି  ଭଲ କପଡ଼ା ଖଣ୍ଡେ ବି ନାହିଁ । ପନିପରିବା, ତେଲଲୁଣ ବି ସ୍ୱପ୍ନ ହୋଇଯାଇଛି ସେମାନଙ୍କ  ପାଇଁ । ବଡ଼ପୁଅ ପାଖରେ ପ୍ୟାଣ୍ଟ୍‌ସାର୍ଟ ନ  ଥିବାରୁ କେଉଁଠୁ ଏକ ଝିଅ ଡ୍ରେସ୍‌ ସଂଗ୍ରହ  କରି ପିନ୍ଧୁଛି । କେବଳ ଡଙ୍ଗରରୁ ଯାହାକିଛି  ମାଣ୍ଡିଆ ଅମଳ କରୁଛନ୍ତି, ସେତିକିରେ ପେଟ  ପୂରାଉଛନ୍ତି । ଏ ସମ୍ପର୍କରେ ଆମେ ସରପଞ୍ଚ  ଲଳିତା ଜାନୀଙ୍କୁ ପଚାରିବାରୁ କହିଛନ୍ତି, ଘଟଣା  ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି ।  ବିଡିଓ ଗୁରେଶ୍ୱର ଭୋଇଙ୍କ ମତାମତ ନେବା ଲାଗି  ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇନି ।  ଦେଖାଯାଉ, ଜିଲ୍ଲା ପ୍ରଶାସନର କେବେ ନଜର  ପଡ଼ୁଛି ଏହି ଗରିବ ପରିବାର ଉପରେ । କେବେ  ସେମାନଙ୍କୁ ଏ ଦାରୁଣ ଦୁଃଖରୁ ମୁକ୍ତି ମିଳୁଛି ।