ବାଲେଶ୍ୱର,୨୧/୦୮: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ(ଏସ୍‌ଏଫ୍‌ସି) ର ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ବୁଧବାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର) ଅଧୀନସ୍ଥ ଅବଦୁଲ କଲାମ ଦ୍ୱୀପ(ଧାମରା)ରୁ  ସଫଳତା ସହ କରାଯାଇଛି । ଏହି ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱ ବୃଦ୍ଧି ପାଇଛି । ବିଶେଷ କରି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ଚାଇନାକୁ ନିଜର ଶକ୍ତି ଦେଖାଇବାରେ  ଭାରତ ସଫଳ ହୋଇଛି ।  

ପ୍ରତିରକ୍ଷା ଗବେଷଣା ଓ ବିକାଶ  ସଙ୍ଗଠନ(ଡିଆର୍‌ଡିଓ) ପକ୍ଷରୁ  ସନ୍ଧ୍ୟା ୬ଟା ୩୦ରେ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ କାର୍ଯ୍ୟକ୍ଷମ ଓ  ବୈଷୟିକ ପାରାମିଟରକୁ ବୈଧ  କରିଥିଲା । ଏହି କ୍ଷେପଣାସ୍ତ୍ରଟି  ଡିଆର୍‌ଡିଓ ଦ୍ୱାରା ବିକଶିତ ହୋଇଛି । ଏହା ଅଗ୍ନି ସିରିଜ୍‌ର ସବୁଠାରୁ ଉନ୍ନତ  ସଂସ୍କରଣ । ଆକ୍ରମଣ କ୍ଷମତା ଓ  ସଠିକତାକୁ ବୃଦ୍ଧି କରିବା ପାଇଁ ଏହାକୁ  ଆଧୁନିକ ନାଭିଗେସନ୍‌, ମାର୍ଗଦର୍ଶନ,  ଯୁଦ୍ଧାସ୍ତ୍ର, ଇଞ୍ଜିନ୍‌ ପ୍ରଯୁକ୍ତିବିଦ୍ୟା ସହିତ  ଡିଜାଇନ୍‌ କରାଯାଇଛି । ‘ଅଗ୍ନି-୫’  କ୍ଷେପଣାସ୍ତ୍ରକୁ ପରମାଣୁ ବ୍ୟବହାର ପାଇଁ  ଡିଜାଇନ୍‌ କରାଯାଇଛି । ଏହି ଉନ୍ନତ  ସଂସ୍କରଣ କ୍ଷେପଣାସ୍ତ୍ର ଏକକାଳୀନ  ତିନୋଟି ଯୁଦ୍ଧାସ୍ତ୍ର ନିକ୍ଷେପ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମଧ୍ୟ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ଭାବେ  ବିବେଚନା କରାଯାଉଛି ।  

ମଲ୍‌ଟିପଲ୍‌ ଇଣ୍ଡିପେଣ୍ଡାଣ୍ଟଲି ଟାର୍ଗେଟ୍‌ବୁଲ୍‌ ରିଏଣ୍ଟ୍ରି  ଭେଇକିଲ(ଏମଆଇଆରଭି) ଜ୍ଞାନ କୌଶଳରେ ଏହା  ନିର୍ମିତ ହୋଇଛି ।ଏହି ମିସାଇଲ ଉତ୍‌କ୍ଷେପଣ ପରେ  ବାୟୁ ମଣ୍ଡଳର ଉପରକୁ ଯାଇ ପୁଣି ବାୟୁମଣ୍ଡଳକୁ ପ୍ରବେଶ କରିଥାଏ । ସେହିଠାରୁ ଏହି କ୍ଷେପଣାସ୍ତ୍ର ଏକାଧିକ ଟାର୍ଗେଟ୍‌  ଧ୍ୱଂସ କରିପାରିବାର କ୍ଷମତା ରଖିଛି । ଏହାର ସ୍ୱତନ୍ତ୍ରତା  ହେଉଛି ଏହା ଶତ୍ରୁପକ୍ଷର ସାଟେଲାଇଟ୍‌ ଟ୍ରାକ୍‌ କରିପାରିବନି ।   

ଏହାର ଓଜନ ୫ ହଜାର ୬୦୦ କି.ଗ୍ରା ଥିବାବେଳେ  ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ରହିଛି । ଏହା  ୧୫୦୦ କି.ଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ, ଆଣବିକ  ଯୁଦ୍ଧାସ୍ତ୍ର ବହନ କରିପାରିବ । ଉତ୍‌କ୍ଷେପଣ ସ୍ଥାନରୁ ନିଜ  ଲକ୍ଷ୍ୟଭେଦ ସୀମା ଭିତରେ ଥିବା ସ୍ଥାନକୁ ଘଣ୍ଟା ପ୍ରତି ୨୯  ହଜାର ୪୦୦ କି.ମି ବେଗରେ ଲକ୍ଷ୍ୟଭେଦ କରିପାରିବ।