ନୂଆଦିଲ୍ଲୀ, ୧୩/୦୨ : ବାଂଲାଦେଶର ନିର୍ବାଚନ ଫଳାଫଳରୁ ଭାରତକୁ ଝଟକା। ଚିକେନ୍ ନେକ୍ ଆଖପାଖ ଅଞ୍ଚଳରେ କଟ୍ଟରପନ୍ଥୀ ଦଳ ଜମାତ-ଏ-ଇସଲାମୀକୁ ବହୁମତ। ଭାରତର ବଢିଲା ଟେନସନ୍। ବାଂଲାଦେଶରେ ୨୯୯ ଆସନରେ ନିର୍ବାଚନ ହୋଇଥିଲା। ନିର୍ବାଚନରେ ବିଏନପିକୁ ଦୁଇ ଶହରୁ ଅଧିକ ସିଟ୍ ରେ ବିଜୟ ମିଳିଛି। ହେଲେ ବିରୋଧୀ ଜମାତ ଏବଂ ତାର ସହଯୋଗୀ ଦଳ ୬୮ ଆସନରେ ବିଜୟ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଚିକେନ୍ ନେକ୍ ପାଖରେ ଥିବା ଦୁଇଟି ଡିଭିଜନରେ ଜମାତକୁ ବହୁମତ ମିଳିଛି। ତେଣୁ ଭାରତ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିବ ବୋଲି ଅନୁମାନ କରାଯାଉଛି।
ବାଂଲାଦେଶର ରଙ୍ଗପୁର ଡିଭିଜନ୍ ଏବଂ ଖୁଲନା ଡିଭିଜନ ଭାରତର ଚିକେନ୍ ନେକ୍ ପାଖରେ ରହିଛି। ରଙ୍ଗପୁର ଡିଭିଜନ ସିଲିଗୁଡ଼ି କରିଡର ନିକଟରେ ରହିଥିବା ବେଳେ ଖୁଲନା ଡିଭିଜନ ପଶ୍ଚିମବଙ୍ଗର ୨୪ ପ୍ରାଗଣାକୁ ଲାଗିଛି। ଏହି ଦୁଇ ଡିଭିଜନ ମଧ୍ୟରେ ଥିବା ରାଜଶାହୀ ଡିଭିଜନରେ ମଧ୍ୟ ଜମାତକୁ ବହୁମତ ମିଳିଛି। ବଡ଼ କଥା ହେଲା ପଶ୍ଚିମବଙ୍ଗ ଆଖପାଖରେ ଉତ୍ତରରୁ ନେଇ ଦକ୍ଷିଣ ଯାଏଁ ଜମାତର ଦବଦବା ରହିବ ବୋଲି ସ୍ପଷ୍ଟ ହୋଇସାରିଛି।
ସୂଚନାନୁଯାୟୀ, ରଙ୍ଗପୁର ଡିଭିଜନର ୩୩ଟି ଆସନରୁ ୧୩ଟି ସିଟ୍ ଏବଂ ଖୁଲନାର ୩୬ ସିଟ୍ ରୁ ୨୩ଟି ଆସନରେ ଜମାତ ପ୍ରାର୍ଥୀ ଜିତିଛନ୍ତି। ଆଉ କିଛି ସିଟ୍ ରେ ଫଳାଫଳ ବାକି ଅଛି। ହେଲେ ଟ୍ରେଣ୍ଡ୍ ରୁ ଜମାତକୁ ବହୁମତ ମିଳିବ ବୋଲି ସ୍ପଷ୍ଟ ହୋଇଛି। ରଣନୈତିକ ଦୃଷ୍ଟିରୁ ଭାରତ ପାଇଁ ଏହା ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। କାରଣ ଏହା ନିର୍ବାଚନୀ ଗଣିତ ନୁହେଁ, ଏହା ଉଭୟ ଭୂଗୋଳ, ବିଚାରଧାରା ଏବଂ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ। ସିଲିଗୁଡ଼ି କରିଡର ସାତ ଭଉଣୀର ରାଜ୍ୟ ଆସାମ, ଅରୁଣାଚଳ, ମେଘାଳୟ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଏବଂ ତ୍ରିପୁରାକୁ ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ସହ ଯୋଡ଼ୁଛି। ତେଣୁ ଚିକେନ୍ ନେକ୍ ରେ ସାମାନ୍ୟ ଗଡ଼ବଡ଼ ହେଲେ ଭାରତର ସୁରକ୍ଷା ଉପରେ ଏହା ସିଧା ପ୍ରଭାବ ପକାଇବ।
ଚିକେନ୍ ନେକ୍ ଚ୍ୟାଲେଞ୍ଜ୍
ଇସଲାମିକ ମୌଳବାଦରେ ବିଶ୍ଵାସ କରୁଥିବା ନେତା ହେଉଛନ୍ତି ଜମାତ ମୁଖ୍ୟ ଶଫିକୁର ରହମାନ। ବିଭିନ୍ନ ସମୟରେ ସେ ଭାରତ ବିରୋଧୀ ଏବଂ ମହିଳା ବିରୋଧୀ ବୟାନ ପାଇଁ ବିବାଦକୁ ଆସନ୍ତି। ଏପରିକି ଜମାତ ନେତା ବିଭିନ୍ନ ସମୟରେ ଚିକେନ୍ ନେକ୍ କୁ କାଟି ଦେବୁ ବୋଲି ଭାରତ ବିରୋଧୀ ଧମକ ଦିଅନ୍ତି। ଯାହାକି ଚିନ୍ତାର ବିଷୟ।
୨୪ ପ୍ରାଗଣା ଟେନସନ୍
ଖୁଲନା ଡିଭିଜନ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଖୁବ୍ ସମ୍ବେଦନଶୀଳ। ଏହି ଅଞ୍ଚଳ ପଶ୍ଚିମବଙ୍ଗର ଦକ୍ଷିଣ ଅଂଶ, ବିଶେଷକରି ୨୪ ପ୍ରାଗଣା ସୀମାରେ ରହିଛି। ଏହି ଅଞ୍ଚଳ ପୂର୍ବରୁ ଅନୁପ୍ରବେଶ, ଚୋରାଚାଲାଣ ଏବଂ ଉଗ୍ରବାଦୀ ନେଟୱାର୍କ ଦ୍ଵାରା ପ୍ରଭାବିତ। ଯଦି ଜମାତକୁ ଏଠାରେ ଦୃଢ଼ ସମର୍ଥନ ମିଳେ, ତାହେଲେ ସୀମା ସୁରକ୍ଷାକୁ ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଜମାତ ଏହି ଅଞ୍ଚଳର ସ୍ଥାନୀୟ ପ୍ରଶାସନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକୁ ପ୍ରଭାବିତ କରିବାରେ ସୁଯୋଗ ପାଇବ। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଉଗ୍ରବାଦ ବଢିଲେ, ଏହାର ପ୍ରଭାବ ଭାରତ ଉପରେ ପଡ଼ିବ।
ଏହି ଖବରଟିକୁ ପଢନ୍ତୁ- ୪ ବର୍ଷରେ ଜେଲରୁ ପିଏମ୍ ଚୌକି ଯାଏଁ... ବାଂଲାଦେଶର 'ଡାର୍କ ପ୍ରିନ୍ସ' କିଏ ? ଜାଣନ୍ତୁ ତାରିକଙ୍କ ରାଜନୈତିକ ଯାତ୍ରା