ନୂଆଦିଲ୍ଲୀ,୧୩/୦୨; ବାଂଲାଦେଶ ସାଧାରଣ ନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଏନପି ମୁଖ୍ୟ ତାରିକ ରହମାନଙ୍କ ଦମଦାର ବିଜୟ ହୋଇଛି । ଦୁଇ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବାଜିମାତ ହୋଇଛି । ମୁଖ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀ ଜମାତ ଏ ଇସଲାମି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ନିର୍ବାଚନରେ ବିଏନପିର ଜବରଦସ୍ତ କମବ୍ୟାକ ହୋଇଛି । ୧୫୧ ଆସନରେ ବାଜି ମାରିଛି ବିଏନପି । ଦେଶରେ ସରକାର ଗଠନ ନେଇ ପ୍ରସ୍ତୁତ ହେଉଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାରିକ ରହମାନ କିଏ ? ଭାରତ ସହ ତାଙ୍କ ସମ୍ପର୍କ କିପରି ରହିବ ଜାଣନ୍ତୁ ଏହି ରିପୋର୍ଟରେ ।
ତାରିକ ରହମାନ କିଏ ? ବାଂଲାଦେଶ ନିର୍ବାଚନରେ ବିଏନପି ବଡ଼ ବିଜୟ ନକଟତର ହେଉଛି । ଏ ପର୍ଯ୍ୟନ୍ତ ଫଳାଫଳରୁ ଜଣାପଡିଛି ଯେ ଦଳ ବହୁମତ ସଂଖ୍ୟା ପାର୍ କରି ସାରିଛି । ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ୬୦ ବର୍ଷୀୟ ତାରିକ ରହମାନ ଜଣେ ଦୃଢ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ବିଏନପି ପୂର୍ବରୁ କହିଥିବା ଯଦି ନିର୍ବାଚନ ପରେ ଜିଆ ଏହି ପଦରେ ରହିପାରିବେ ନାହିଁ ତେବେ ତାରିକଙ୍କୁ ପଦ ଦିଆଯିବ । ଦଳୀୟ ମୁଖ୍ୟ ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବେ ବୋଲି କଳ୍ପନାଜଳ୍ପନାକୁ ଆହୁରି ତୀବ୍ର ହୋଇଛି । ବାଂଲାର ୩ ଥର ପ୍ରଧାନମନ୍ତ୍ରୀ ବିଏନପି ନେତ୍ରୀ ଖାଲେଦା ଜିଆଙ୍କର ଗତବର୍ଷ ଡିସେମ୍ବର ୩୦ ତାରିଖରେ ଦେହାନ୍ତ ହୋଇଥିଲା । ଏହାପରେ ୧୭ ବର୍ଷର ନିର୍ବାସନ ପରେ ସ୍ୱଦେଶ ଫେରିଥିଲେ ଖାଲେଦାଙ୍କ ପୁଅ ରହମାନ । ତାଙ୍କୁ ବିଏନପି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ୨୦୦୮ ମସିହାରୁ ସେ ଲଣ୍ଡନରେ ରହୁଥିଲେ ଏବଂ ଭର୍ଚୁଆଲରେ ଦଳର ନେତୃତ୍ୱ ନେଉଥିଲେ । ରହମାନ ବାଂଲାଦେଶୀ ରାଜନୀତିରେ ତାରିକ ଜିଆ ନାମରେ ଜଣାଶୁଣା । ତାଙ୍କ ଜୀବନ ଏବଂ ରାଜନୈତିକ ପରିଚୟ ମୁଖ୍ୟତଃ ତାଙ୍କ ପରିବାରର ନାମ ସହିତ ଜଡିତ । ତାଙ୍କର ପ୍ରାଥମିକ ପରିଚୟ ହେଉଛି ସେ, ଜିଆଉର ରହମାନ ଏବଂ ଖାଲିଦା ଜିଆଙ୍କ ପୁଅ । ତାଙ୍କର ଜନ୍ମ ୧୯୬୭ ମସିହାରେ ହୋଇଥିଲା, ଯେତେବେଳେ ବାଂଲାଦେଶ ପୂର୍ବ ପାକିସ୍ତାନ ଭାବରେ ଜଣାଶୁଣା ଥିଲା, ଅର୍ଥାତ୍ ଏହା ବର୍ତ୍ତମାନର ପାକିସ୍ତାନର ଏକ ଅଂଶ ଥିଲା । ୧୯୭୧ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳରେ, ତାରିକ ମାତ୍ର ଚାରି ବର୍ଷ ବୟସର ଥିଲେ ଏବଂ ତାଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା । ଏହି କାରଣରୁ, ତାଙ୍କ ଦଳ ବିଏନପି ତାଙ୍କୁ "ସର୍ବକନିଷ୍ଠ ଯୁଦ୍ଧବନ୍ଦୀଙ୍କ ମଧ୍ୟରୁ ଜଣେ" ଭାବରେ ସମ୍ମାନିତ କରିଥିଲା ।
୨୦୦୭ରେ ଗିରଫ, ୨୦୦୮ରେ ଦେଶ ଛାଡିଲେ- କିଛି ବର୍ଷ ପରେ, ଜିଆଉର ରହମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସେବେ ତାରିକ ରହମାନ ମାତ୍ର ୧୫ ବର୍ଷ ବୟସର ଥିଲେ । ତାପରେ ସେ ତାଙ୍କ ମାଆଙ୍କ ଛାୟାରେ ବଡ଼ ହୋଇଥିଲେ । ଖାଲେଦା ଜିଆ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନହେବା ଯାଏ ହସିନା ଏବଂ ଜିଆ ନିରନ୍ତର କ୍ଷମତାରେ ଥିଲେ । ସେମାନେ ପରସ୍ପରକୁ ରାଜନୈତିକ ଚ୍ୟାଲେଞ୍ଜ ଦେଉଥିଲ । ବିଏନପି ଅନୁଯାୟୀ, ତାରିକ ରହମାନ ୨୩ ବର୍ଷ ବୟସରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଢାକା ବିଶ୍ୱବିଦ୍ୟାଳୟରେ କିଛି ସମୟ ପାଇଁ ଆନ୍ତର୍ଜାତୀୟ ସମ୍ପର୍କ ଅଧ୍ୟୟନ କରିଥିଲେ । ତାପରେ ସେ ସାମରିକ ଶାସକ ହୁସେନ ମହମ୍ମଦ ଏରଶାଦଙ୍କ ବିରୋଧରେ ଆନ୍ଦୋଳନ ସମୟରେ ବିଏନପିରେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ରହମାନଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା । ଜେଲରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ରିପୋର୍ଟ ଅନୁଯାୟୀ, ରାଜନୀତିରୁ ଦୂରେଇ ରହିବା ସର୍ତ୍ତରେ ତାଙ୍କୁ ଜାମିନ ମିଳିଥିଲା । ଜେଲରୁ ମୁକୁଳିବା ପାଇବା ପରେ, ସେ ୨୦୦୮ ମସିହାରେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଏବଂ ଆଉ କେବେ ବାଂଲାଦେଶ ଫେରି ନଥିଲେ ।
୨୦୦୮ ମସିହାରେ ଶେଖ୍ ହାସିନା କ୍ଷମତାକୁ ଫେରିବା ପରେ, ବହୁ ସଂଖ୍ୟକ ବିଏନପି ନେତା ଏବଂ କର୍ମୀଙ୍କୁ ଜେଲ ପଠାଯାଇଥିଲା । ପରେ, ୨୦୧୮ ମସିହାରେ, ୨୦୦୪ ମସିହାରେ ହସିନାଙ୍କ ରାଲି ଉପରେ ଆକ୍ରମଣ ଷଡ଼ଯନ୍ତ୍ର ପାଇଁ ତାରିକ୍ ରହମାନଙ୍କୁ ତାଙ୍କ ଅନୁପସ୍ଥିତିରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ବିଏନପି ଦାବି କରିଥିଲା ଯେ ଏହା ଜିଆ ପରିବାରକୁ ରାଜନୀତିରୁ ସ୍ଥାୟୀ ଭାବରେ ହଟାଇବାକୁ ଷଡଯନ୍ତ୍ର କରାଯାଇଛି । ଶେଖ ହସିନାଙ୍କ ବହିଷ୍କାର ଏବଂ ତାଙ୍କ ମାଆଙ୍କ ଅସୁସ୍ଥତା ପରେ, ସେ ପୁଣି ଥରେ ବାଂଲାଦେଶୀ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆରମ୍ଭ କରିଥିଲେ ।
ଭାରତ ସହ କିପରି ହେବ ସମ୍ପର୍କ- ଭାରତୀୟ ପର୍ଯ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି କି, ଭାରତ ତାରିକ ରହମାନଙ୍କ ସହିତ କାମ କରିପାରିବ । ଯଦିଓ ବେଗମ ଖାଲେଦା ଜିଆଙ୍କ ୨ ଥର କ୍ଷମତାରେ ଥିବା ସମୟରେ ବିଏପି ମୌଳବାଦୀ ଇସଲାମିକ ଗୋଷ୍ଠୀ ଏବଂ ପାକିସ୍ତାନ ବିରୁଦ୍ଧରେ ଏକ ମନୋଭାବ ଗ୍ରହଣ କରିଥିଲା । ବିଏନପି ଇସ୍ତାହରରେ ସାମୂହିକ ପ୍ରଗତି ପାଇଁ ପଡୋଶୀ ଦେଶମାନଙ୍କ ସହ ମମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ଆହ୍ୱାନ କରିଥିଲା । ରହମାନଙ୍କ ଦ୍ୱାରା ଜାରି କରାଯାଇଥିବା ୫୧ ସୂତ୍ରୀ ନିର୍ବାଚନ ଇସ୍ତାହାରରେ ହିନ୍ଦୁ ଏବଂ ଅନ୍ୟାନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ପାଣ୍ଠି ବଢାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା- ବାଂଲାଦେଶ ନିର୍ବାଚନରେ ବିରାଟ ବିଜୟ ମୁହାଁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଦଳର ଏହି ବିପୁଳ ସଫଳତା ସହିତ ବିଏନପି ଅଧ୍ୟକ୍ଷ ତାରିକ ରହମାନ ଢାକା-୧୭ ଏବଂ ବୋହରା-୬ ଉଭୟ ନିର୍ବାଚନ ମଣ୍ଡଳୀରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଲେଖିଛନ୍ତି,'' ନିର୍ବାଚନରେ ମିଳିଥିବା ଏହି ବିଜୟ ତୁମ ଉପରେ ଜନତା କରିଥିବା ଭରସା-ବିଶ୍ୱାସର ପ୍ରମାଣ । '' ଭାରତ ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ବାଂଲାଦେଶର ସମର୍ଥନରେ ଠିଆ ହେବ । ଆମର ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆମର ସାଧାରଣ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
I convey my warm congratulations to Mr. Tarique Rahman on leading BNP to a decisive victory in the Parliamentary elections in Bangladesh.
— Narendra Modi (@narendramodi) February 13, 2026
This victory shows the trust of the people of Bangladesh in your leadership.
India will continue to stand in support of a democratic,…
ଏହା ବି ପଢନ୍ତୁ...ବାଂଲାଦେଶରେ ବିଏନ୍ପି ଝଡ଼; ହାତେଇଲା ଦୁଇ-ତୃତୀୟାଂଶ ବହୁମତ, ଭାରତ ବିରୋଧୀ ଜମାତର ସ୍ଥିତି ଖରାପ