ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶର ନିର୍ବାସିତ ଲେଖିକା ତସଲିମା ନସରିନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅପିଲ କରିଛନ୍ତି। ସେ କହିଛନ୍ତି ତାଙ୍କୁ ଭାରତରେ ରହିବାକୁ ଦିଆଯାଉ। ନସରିନା ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଶାହଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ପ୍ରିୟ ଅମିତ ଶାହ ଜୀ ନମସ୍କାର। ମୁଁ ଭାରତରେ ରୁହେ, କାରଣ ମୋତେ ଏହି ମହାନ ଦେଶ ପ୍ରତି ଭଲ ପାଇବା ଅଛି। ଗତ ୨୦ ବର୍ଷରେ ଏହା ମୋର ଦ୍ବିତୀୟ ଘର, କିନ୍ତୁ ଗୃହମନ୍ତ୍ରଣାଳୟ ୨୨ ଜୁଲାଇରେ ମୋର ନିବାସ ପରମିଟ୍‌କୁ ଆଗକୁ ବଢାଇ ନାହାନ୍ତି। ମୁଁ ବହୁତ ଚିନ୍ତିତ, ଯଦି ଆପଣ ମୋତେ ରହିବାକୁ ଦେବେ ତେବେ ମୁଁ କୃତଜ୍ଞତା ପ୍ରକାଶ କରିବି। ହାର୍ଦ୍ଧିକ ଶୁଭକାମନା।’

ଉଲ୍ଲେଖନୀୟ ଯେ, ସାମ୍ପ୍ରଦାୟିକ କଟ୍ଟରପନ୍ଥୀର ଆଲୋଚକ ଥିବା ତସଲିମା ନସରିନ ୧୯୯୪ ରୁ ନିର୍ବାସିତ ଜୀବନ ବିତାଉଛନ୍ତି। ସେ ୧୯୯୦ ଦଶକରୁ ନିଜର ଉପନ୍ୟାସ କାରଣରୁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ବାଂଲାଦେଶରେ ସାମ୍ପ୍ରଦାୟିକତା ଓ ମହିଳା ସମାନତା ଉପରେ ନିଜର ଲେଖା କାରଣରୁ ଇସ୍ଲାମ କଟ୍ଟରପନ୍ଥୀଙ୍କ ଟାର୍ଗେଟରେ ଅଛନ୍ତି। କଟ୍ଟରପନ୍ଥୀଙ୍କ ଆଲୋଚନା ଓ ଭୟ ଯୋଗୁଁ ତାଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ଏହାପରେ ସେ ୟୁରୋପ ଓ ଆମେରିକା ଚାଲି ଯାଇଥିଲେ। ପରେ ୨୦୦୪ ରେ ସେ ଭାରତ ଆସିଥିଲେ, ସେବେଠାରୁ ଏଠାରେ ରହୁଛନ୍ତି।

ତସଲିମା ୧୯୯୪ ରେ ପ୍ରକାଶିତ ନିଜର ଉପନ୍ୟାସ ‘ଲଜ୍ଜା’ କାରଣରୁ ସାହିତ୍ୟ ଜଗତରେ ଖୁବ୍ ଚର୍ଚ୍ଚାରେ ଥିଲେ। ଏହି ବହି ୧୯୯୨ ବାବ୍ରି ମସଜିଦ ଧ୍ବଂସ ପରେ ଆସିଥିଲା। ଏଥିରେ ବାବ୍ରି ମସଜିଦ୍ ଧ୍ବଂସ ପରେ ବଙ୍ଗାଳି ହିନ୍ଦୁଙ୍କ ବିରୋଧରେ ହିଂସା, ଦୁଷ୍କର୍ମ, ଲୁଟପାଟ୍‌ ଓ ହତ୍ୟା ବିଷୟରେ ଲେଖା ଯାଇଥିଲା। ତାଙ୍କର ପ୍ରଥମ ବହି ୧୯୯୩ ରେ ବଙ୍ଗାଳିରେ ପ୍ରକାଶିତ ହୋଇଥିଲା, କିନ୍ତୁ ଏହାପରେ ବାଂଲାଦେଶରେ ବ୍ୟାନ୍ କରି ଦିଆଯାଇଥିଲା। ଏହାପରେ ତାଙ୍କୁ ଜୀବନରେ ମାରିବାର ଧମକ ଦିଆଯାଇଥିଲା। ସେତେବେଳେ ତାଙ୍କୁ ଦେଶ ଛାଡି ପଳାୟନ କରିବାକୁ ପଡିଥିଲା।