ନୂଆଦିଲ୍ଲୀ: ବାଂଲାଦେଶ ଏୟାରଲାଇନ୍ସ 'ବିମାନ ବାଂଲାଦେଶ'ର ଏକ ବିମାନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ସୂଚନା ଅନୁଯାୟୀ, ବାଂଲାଦେଶୀ ବିମାନରେ ଧୂଆଁ ଦେଖାଯିବା ପରେ ଏହାକୁ ନାଗପୁର ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଏହି ବିମାନଟି ବାଂଲାଦେଶର ରାଜଧାନୀ ଢାକାରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା । ନାଗପୁର ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ରାତି ୧୦:୪୫ ରେ ବାଂଲାଦେଶୀ ବିମାନଟି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହାକୁ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।  ଗୁରୁବାର ଅଧିକାରୀମାନେ କହିଥିଲେ ଯେ, ତଦନ୍ତ ପରେ ଜଣାପଡିଲା ବିମାନରେ ଅଗ୍ନିକାଣ୍ଡର କୌଣସି ଘଟଣା ଘଟି ନାହିଁ ।

ସୂଚନା ଅନୁଯାୟୀ, ବାଂଲାଦେଶୀ ବିମାନରେ ଅଗ୍ନିକାଣ୍ଡ ନେଇ ଆଲାର୍ମ ବାଜିବା ପରେ ପାଇଲଟ୍ ସତର୍କ ହୋଇଯାଇଥିଲେ । ପାଇଲଟ୍ ବିମାନବନ୍ଦର ଅପରେସନ୍ ନିୟନ୍ତ୍ରଣ କେନ୍ଦ୍ରକୁ ସୂଚନା ଦେଇଥିଲେ ଏବଂ ସିଷ୍ଟମ୍ ଅପରେସନ୍ କମାଣ୍ଡ ସେଣ୍ଟରକୁ ମଧ୍ୟ ସତର୍କ କରାଇଥିଲେ । ଏହା ପରେ, ବିମାନକୁ ନାଗପୁର ଅଭିମୁଖେ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ, ବିମାନଟିକୁ ନାଗପୁର ବିମାନବନ୍ଦରରେ ଅବତରଣ କରାଯାଇଥିଲା ।

ସୂଚନା ଅନୁଯାୟୀ, ଢାକାରୁ ଦୁବାଇ ଯାଉଥିବା ବିମାନରେ ୩୯୬ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ । ଯାତ୍ରୀମାନଙ୍କ ସହିତ କର୍ମଚାରୀମାନଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଥିଲା । ଏହା ପରେ ବିମାନରେ ରଖାଯାଇଥିବା ଲଗେଜକୁ ଖାଲି କରାଯାଇଥିଲା । ଅଗ୍ନିଶମ ବାହିନୀ ବିମାନକୂ ଯାଞ୍ଚ କରିଥିଲେ କିନ୍ତୁ ଅଗ୍ନିକାଣ୍ଡ ନେଇ କୌଣସି ସୁରାକ ମିଳିନଥିଲା। ସେପଟେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ବାଂଲାଦେଶ ଯୋଗେ ଦୁବାଇ ନିଆଯିବ।