କଟକ,୦୫/୦୪: ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ସୀମା ପାର୍‌ କରାଇ ଓଡ଼ିଶା ଆଣି ଦେହ ବ୍ୟବସାୟରେ  ନିୟୋଜିତ କରିବା ଘଟଣାର ତଦନ୍ତ ଭାର୍‌ ଶେଷରେ ଏନ୍‌ଆଇଏ(ନାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି)  ନେଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନ୍‌ଆଇଏ ଏନେଇ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ  ଆରମ୍ଭ କରିଛି । ପୂର୍ବରୁ ମାମଲାର ତଦନ୍ତ କରୁଥିବା  କଟକ ମଧୁପାଟଣା ଥାନାରୁ ଆବଶ୍ୟକ କାଗଜପତ୍ର  ଏନ୍‌ଆଇଏ ସଂଗ୍ରହ କରିବ । ଇତିମଧ୍ୟରେ ମାମଲାରେ  ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କୁ  ଜାମିନ୍‌ ମିଳିସାରିଛି ।  

ଗତବର୍ଷ ନଭେମ୍ବର ୯ ତାରିଖ ରାତିରେ ମଧୁପାଟଣା  ଥାନା ପୁଲିସ ଜଣେ ନାବାଳିକାଙ୍କୁ ଅସହାୟ ଅବସ୍ଥାରେ  ଉଦ୍ଧାର କରିଥିଲା । ଶିଶୁ ମଙ୍ଗଳ କମିଟି ବା ସିଡବ୍ଲୁସିରେ  ହାଜର କରାଇ ନାବାଳିକାଙ୍କୁ ବସୁନ୍ଧରା ସେଲ୍‌ଟର୍‌ ହୋମ୍‌ରେ  ରଖାଯାଇଥିଲା । ସେଠାରେ ନାବାଳିକା ଜଣକ ନିଜ ପରିଚୟ  ଓ ଗତ କିଛିଦିନ ହେବ ତାଙ୍କ ସହିତ ଘଟିଥିବା ଅଘଟଣ  ନେଇ ସୂଚନା ଦେବା ପରେ ଉଭୟ ପୁଲିସ ଓ ପ୍ରଶାସନ  ଚକିତ ହୋଇଯାଇଥିଲେ । ବାଂଲାଦେଶରୁ ବେଆଇନ  ଭାବେ ସୀମା ପାର୍‌ କରାଇ ନାବାଳିକାଙ୍କୁ କୋଲକାତା  ଅଣାଯାଇଥିଲା । କୋଲକତାର ଦୁଇ ପେସାଦାର  ଦଲାଲ୍‌ ଲିଟନ୍‌ ଓ ମୌସୁମୀ କିଛି ଦିନ ପରେ ତାଙ୍କୁ  ଭୁବନେଶ୍ୱର ପଠାଇ ଦେଇଥିଲେ । ଏହାପରେ ତାଙ୍କୁ ସେକ୍ସ  ର‌୍ୟାକେଟ୍‌ରେ ନିୟୋଜିତ କରାଯାଇଥିଲା । ଭୁବନେଶ୍ୱରରେ  ସେକ୍ସ ର‌୍ୟାକେଟ୍‌ ଚଲାଉଥିବା ଏକାଧିକ ଦଲାଲ୍‌ ତାଙ୍କୁ  ଭୁବନେଶ୍ୱର, କଟକ, ବ୍ରହ୍ମପୁର, ମୟୂରଭଞ୍ଜ ଓ କେନ୍ଦୁଝର  ଅଞ୍ଚଳକୁ ନେଇ ଦେହ ବ୍ୟବସାୟରେ ଲଗାଇଥିଲେ ।