ନୂଆଦିଲ୍ଲୀ,୩୦।୮: କେରଳରୁ ଆସିଛି ଏକ ଚକିତ କରିଦେବା ଭଳି ଘଟଣା। କୋଚିର ଜଣେ ବ୍ୟାଙ୍କ ମ୍ୟାନେଜର କ୍ୟାଣ୍ଟିନରେ ବିଫ୍‌ (ଗୋ ମାଂସ) ଉପରେ କଟକଣା ଲଗାଇ ଦେଇଥିଲେ। ଏହାର ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ବିଫ ପାର୍ଟିର ଆୟୋଜନ କରିଥିଲେ। ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କର ରିଜନାଲ ମ୍ୟାନେଜର ମୂଳ ରୂପରେ ବିହାରେ ରୁହନ୍ତି। ନିକଟରେ କେରଳର କୋଚି ସ୍ଥିତ ବ୍ୟାଙ୍କ ଶାଖାରେ ନିଯୁକ୍ତି ହୋଇଥିଲା। ବ୍ୟାଙ୍କ ଏମ୍ପଲଏଜ୍ ଫେଡେରସନ୍ ଅଫ୍ ଇଣ୍ଡିଆ (ବିଇଏଫ୍‌ଆଇ)ର ସଦସ୍ୟ ଅଧିକାରୀଙ୍କ କଥିତ ମାନସିକ ଉତ୍ପୀଡନକୁ ନେଇ ମ୍ୟାନେଜରଙ୍କ ବିରୋଧରେ ବିକ୍ଷୋଭ କରିବାର ଯୋଜନା କରିଥିଲେ। କିନ୍ତୁ ବିଫ୍‌ ଉପରେ କଟକଣା ଲାଗିବା ପରେ ବିରୋଧକୁ ନୂଆ ଦିଗ ମିଳିଯାଇଛି। 

ପ୍ରଦଶର୍ନକାରୀମାନେ ଅଫିସ ବାହାରେ ବିଫ୍‌ ଓ ପରଟା ଖାଇଥିଲେ। ଏହି ପ୍ରଦର୍ଶନକୁ କେରଳର କିଛି ନେତାମାନେ ମଧ୍ୟ ସମର୍ଥନ କରିଥିଲେ। ବାମପନ୍ଥୀ ସମର୍ଥିତ ନିର୍ଦଳୀୟ ବିଧାୟକ କେଟି ଜଲିଲ ଏହି ପ୍ରଦର୍ଶନକୁ  ପ୍ରଶଂସା କରି କହିଛନ୍ତି, କେରଳରେ ସଂଘ ପରିବାର କୌଣସି ବି ଏଜେଣ୍ଡାକୁ ଅନୁମତି ଦେବନି। ସେ ଫେସବୁକ୍‌ରେ ଲେଖିଛନ୍ତି, କ’ଣ ଖାଇବୁ, ପିନ୍ଧୁବୁ, କ’ଣ ଭାବିବୁ, ଏହାକୁ ବରିଷ୍ଠମାନେ ନିଷ୍ପତ୍ତି ନେବେନି। ଆମର ମାଟି ଲାଲ୍, ଆମର ହୃଦୟ ଲାଗ। ପତାକା ବି ଲାଲ, ଆପଣ ବିନା କୌଣସି  ଭୟରେ ଫାଶୀବାଦ ବିରୋଧରେ କହିପାରିବେ। କେହି ବି ଆପଣଙ୍କ କ୍ଷତି କରିପାରିବେନି।’

ବ୍ୟାଙ୍କ ଫେଡରେସନ୍‌ର ଜଣେ ନେତା ଏସ୍ଏସ୍ ଅନିଲ କହିଛନ୍ତି, ଏଠାରେ ଏକ ଛୋଟ କ୍ୟାଣ୍ଟିନ୍ ଚାଲିଛି। ଅଳ୍ପ କିଛି ଦିନ ଭିତରେ ବିଫ୍ ପରସା ଯାଏ। ମ୍ୟାନେଜର କ୍ୟାଣ୍ଟିନ୍ ଷ୍ଟାଫଙ୍କୁ କହିଛନ୍ତି, ଏବେ ବିଫ୍‌ ପରସା ଯିବନି। ଏହା ବ୍ୟାଙ୍କ ସମ୍ବିଧାନ ଅନୁସାରେ ଚାଲିଥାଏ।  ଖାଦ୍ୟ ନିଜ ପସନ୍ଦର ସବୁବେଳେ ରହିବା ଦରକାର। ଭାରତରେ ପ୍ରତ୍ୟେକ ବ୍ୟକ୍ତିର ଅଧିକାର ରହିଛି। ଆମେ କ’ଣ ଖାଇବୁ ସେଇଟା ଆମ ନିଜର ଏବଂ ବ୍ୟକ୍ତିଗତ। ଆମକୁ କେହି ବିଫ୍‌ ନଖାଇବାକୁ ବାଧ୍ୟ କରିପାରିବେନି। ଏହା ଆମର ବିରୋଧର ଷ୍ଟାଇଲ।