ଭୁବନେଶ୍ୱର,୨୨|୭ (ବ୍ୟୁରୋ): ଆଜିର ସମୟରେ ବାହାଘର ଅର୍ଥ ଭବ୍ୟ ଆୟୋଜନ, ଦାମୀ ସାଜସଜ୍ଜା ଓ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ । ଠିକ୍ ଏହି ସମୟରେ ଗୋଶାଳାରେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଏକ ଦମ୍ପତି । ଖାଲି ଗୋଶାଳାରେ ବିବାହ କଲେନି ବରଂ ଗୋଟିଏ ନନ୍ଦୀକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ । ଗୋମାତାଙ୍କୁ ଭଲପାଉଥିବା ଏମିତି ଜଣେ ଦମ୍ପତି ହେଉଛନ୍ତି ବାରଙ୍ଗ ନିବାସୀ ସଂଗ୍ରାମ କେଶରୀ ବରାଳ ଓ ଶୁଭଲକ୍ଷ୍ମୀ ବରାଳ । ପେଶାରେ ଜଣେ ନିଷ୍ଠାପର ଗୋସେବକ ଭାବେ ପରିଚିତ ସଂଗ୍ରାମ ପ୍ରତିଦିନ ଗୋମାତାଙ୍କ ସେବାରେ ନିଜକୁ ସମର୍ପିତ କରିଥାନ୍ତି । ଗୋମାତା କିପରି ସୁସ୍ଥ ରହିବେ ଓ ସେମାନଙ୍କର ସୁରକ୍ଷା ନିଶ୍ଚିତ ହେବ ସେହି ଲକ୍ଷ୍ୟ ନେଇ ସେ ଗତ ୫ ବର୍ଷ ହେବ କାମ କରୁଛନ୍ତି । ସଂଗ୍ରାମଙ୍କ ବିଶ୍ୱାସ, ଜୀବନର ପ୍ରତ୍ୟେକ ଶୁଭକାର୍ଯ୍ୟ ଗୋମାତାଙ୍କ ପୂଜା ଓ ଆଶୀର୍ବାଦରୁ ଆରମ୍ଭ ହେବା ଉଚିତ୍ । ସେଥିପାଇଁ ନିଜର ଦାମ୍ପତ୍ୟ ଜୀବନକୁ ମଧ୍ୟ ଗୋମାତାଙ୍କ ଆଶୀର୍ବାଦରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏହି କ୍ରମରେ ବାରଙ୍ଗସ୍ଥିତ ଆଣ୍ଠୁଆ ଗୋପାଳ ଗୋଶାଳାରେ ବେଦମନ୍ତ୍ର ଓ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଯେଉଁଠି ତାଙ୍କ ବିବାହର ସାକ୍ଷୀ ରହିଥିଲେ ଗୋମାତା । ବିବାହ ପରେ ଗୋଶାଳାର ଏକ ନନ୍ଦୀଙ୍କୁ ପୋଷ୍ୟ ଗ୍ରହଣ କରି ତାଙ୍କର ଖାଦ୍ୟ, ଚିକିତ୍ସା ଓ ସମସ୍ତ ଭରଣପୋଷଣର ଦାୟିତ୍ବ ନିଜେ ବହନ କରିବାକୁ ସଂକଳ୍ପ ନେଇଥିଲେ । ପରେ ଗୋଶାଳାରେ ଥିବା ସମସ୍ତ ଗୋମାତା ଓ ନନ୍ଦୀଙ୍କୁ ପେଟପୂରା ଖାଇବାକୁ ଦେଇଥିଲେ । ସଂଗ୍ରାମ କୁହନ୍ତି ଏଭଳି ବିବାହ କରିବାର ମୁଖ୍ୟ କାରଣ ହେଉଛି ଏହାକୁ ଦେଖି ଅନ୍ୟ ଭାଇ ଓ ଭଉଣୀମାନେ ପ୍ରେରିତ ହୁଅନ୍ତୁ । ଆମ ଗୋମାତା ଏବଂ ସଂସ୍କୃତିକୁ ଭଲପାଆନ୍ତୁ । କେମିତି ଗୋମାତାଙ୍କର ସୁରକ୍ଷା ହୋଇପାରିବ ସେଥିପାଇଁ ଆଜିର ଯୁବପିଢି ମନ ବଳାନ୍ତୁ ।