ନୂଆଦିଲ୍ଲୀ,୧୨/୦୫; ଚଳିତ ଲା’ ଲିଗା ସିଜନରେ ଏଫ୍ସି ବାର୍ସେଲୋନା ଆଧିପତ୍ୟ ଜାରି ରଖି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ଟୁର୍ଣ୍ଣାମେଣ୍ଟ ଶେଷ ହେବାକୁ ଆଉ ୩ ରାଉଣ୍ଡ ବାକି ଥିବାବେଳେ ଏହା ପୂର୍ବରୁ ବାର୍ସେଲୋନା ଟାଇଟଲ ଜିତି ନେଇଛି । ୩୫ତମ ରାଉଣ୍ଡ୍ରେ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରିୟଲ ମାଦ୍ରିଦକୁ ୨-୦ ଗୋଲ୍ରେ ପରାସ୍ତ କରିଥିଲା । ଏହି ବିଜୟ ସହ ବାର୍ସେଲୋନାର ଟାଇଟଲ ନିଶ୍ଚିତ ହୋଇ ଯାଇଥିଲା । ମ୍ୟାଚର ନବମ ମିନିଟ୍ରେ ମାର୍କସ ରସଫୋର୍ଡ ଏକ ଦର୍ଶନୀୟ ଫ୍ରିକିକ ଜରିଆରେ ପ୍ରଥମ ଗୋଲ୍ କରିଥିଲେ । ସେହିପରି ୧୮ତମ ମିନିଟ୍ରେ ଫେରାନ ଟୋର୍ସ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଏହାପରେ ମଧ୍ୟ ବାର୍ସେଲୋନାର ପ୍ରଭାବ ଜାରି ରହିଥିଲା ।
୯୦ ମିନିଟ୍ ମଧ୍ୟରେ ଦଳ ୧୧ଟି ସୁଯୋଗ ସୃଷ୍ଟି କରିଥିଲା । ଜବାବରେ ରିୟଲ ମାଦ୍ରିଦ ମାତ୍ର ୬ଟି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଲା’ ଲିଗା ଇତିହାସରେ ଏହା ବାର୍ସେଲୋନାର ୨୯ତମ ଟାଇଟଲ ରହିଥିଲା । ଅବଶ୍ୟ ରିୟଲ ମାଦ୍ରିଦ ସର୍ବାଧିକ ୩୬ଥର ଲା’ଲିଗା ଚାମ୍ପିଅନ୍ ହୋଇଛି । ୩୫ଟି ମ୍ୟାଚରୁ ବାର୍ସେଲୋନା ୩୦ ବିଜୟ ଓ ଗୋଟିଏ ଡ୍ର’ (୪ପରାଜୟ) ସହ ମୋଟ୍ ୯୧ ପଏଣ୍ଟ ଅର୍ଜନ କରି ସାରିଛି । ସମାନ ସଂଖ୍ୟକ ମ୍ୟାଚ ଖେଳି ରିୟଲ ମାଦ୍ରିଦ ୨୪ ବିଜୟ, ୫ ଡ୍ର’ ଓ ୬ ପରାଜୟ ସହ ମୋଟ୍ ୭୭ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ଉଭୟ ଦଳ ମଧ୍ୟରେ ୧୪ ପଏଣ୍ଟର ବ୍ୟବଧାନ ରହିଛି । ଫଳରେ ଶେଷ ୩ଟି ମ୍ୟାଚରେ ରିୟଲ ମାଦ୍ରିଦ ବିଜୟ ହାସଲ କଲେ ମଧ୍ୟ ୯୧ ପଏଣ୍ଟରେ ପହଞ୍ଚି ପାରିବ ନାହିଁ ।
ଚଳିତ ସିଜନରେ ବାର୍ସେଲୋନା କୋପା ଡେଲ୍ ରେ ସେମି ଫାଇନାଲ୍ ଓ ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟର ଫାଇନାଲ୍ରେ ପରାଜିତ ହୋଇଥିଲେ ହେଁ ଲା’ ଲିଗାରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲା । ସିଜନରେ ଦଳ ମୋଟ୍ ୫୩ଟିରୁ ୪୨ଟି ମ୍ୟାଚରେ ବିଜୟ ହାସଲ କରିଛି । ବାର୍ସେଲୋନା ଶେଷ ୩ଟି ମ୍ୟାଚରେ ଯଥାକ୍ରମେ ଆଲାଭେସ (ମେ ୧୪), ରିୟଲ ବେଟିସ୍ (ମେ ୧୭) ଓ ଭାଲେନସିଆ (ମେ ୨୫)କୁ ଭେଟିବ । ସେହିପରି ରିୟଲ ମାଦ୍ରିଦ ଶେଷ ୩ଟି ମ୍ୟାଚରେ ଯଥାକ୍ରମେ ରିୟଲ ଓଭେଡୋ (ମେ ୧୫), ସେଭିଲା (ମେ ୧୭) ଓ ଆଟଲେଟିକୋ ମାଦ୍ରିଦ (ମେ ୨୫) କୁ ସାମ୍ନା କରିବ । ୩୫ତମ ରାଉଣ୍ଡର ଅନ୍ୟ ମ୍ୟାଚଗୁଡ଼ିକରେ ଯଥାକ୍ରମେ ଲେଭାଣ୍ଟ ୩-୨ ଗୋଲ୍ରେ ଓସାସୁନାକୁ ପରାସ୍ତ କରିଥିବାବେଳେ ସେଭିଲା ୨-୧ ଗୋଲ୍ରେ ଏସ୍ପାନୟଲକୁ, ସେଲ୍ଟା ୧-୦ ଗୋଲରେ ଆଟଲେଟିକୋ ମାଦ୍ରିଦକୁ ଓ ଭାଲେନସିଆ ୧-୦ ଗୋଲ୍ରେ ଆଟଲେଟିକ୍ କ୍ଲବକୁ ପରାସ୍ତ କରିଥିଲେ ।