ନୂଆଦିଲ୍ଲୀ, ୦୯/୦୩ : ଉତ୍ତର ପ୍ରଦେଶ ବରେଲିର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ୨୮ ବର୍ଷୀୟା ନର୍ସ ପ୍ରିୟଙ୍କା। ରବିବାର ଦ୍ଵିପ୍ରହରରେ ହଷ୍ଟେଲ ରୁମ୍ ରୁ ସନ୍ଦେହଜନକ ଭାବେ ଉଦ୍ଧାର ହେଲା ପ୍ରିୟଙ୍କାଙ୍କ ଶବ। ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ମରିବା ପୂର୍ବରୁ ସାରା ରାତି ସ୍ଵାମୀଙ୍କୁ ଫୋନ୍ ଏବଂ ମେସେଜ୍ କରିଥିଲେ ପ୍ରିୟଙ୍କା। ହେଲେ ଗୋଟିଏ କଲ୍ କି ମେସେଜ୍ ର ଉତ୍ତର ଦେଇନଥିଲେ ସ୍ଵାମୀ।
ପିଲଭିତର କୁଅଁରପୁର ବଞ୍ଜରିଆ ନିବାସୀ ସୁନୀଲ ୨୦୧୪ରେ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ। ଦୁହେଁ ପେଶାରେ ନର୍ସ। କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିବାରୁ ପ୍ରିୟଙ୍କା ୬ ମାସ ହେବ ହସ୍ପିଟାଲ ସ୍ଥିତ ହଷ୍ଟେଲରେ ରହୁଥିଲେ। ଶନିବାର ରାତିରେ ପ୍ରିୟଙ୍କାଙ୍କ ଡ୍ୟୁଟି ଥିଲା। ହେଲେ ଦେହ ଖରାପ ଥିବା କହି ସେ ଛୁଟି ନେଇଥିଲେ। ରବିବାର ସକାଳେ ପ୍ରିୟଙ୍କାଙ୍କ ରୁମ୍ ପାର୍ଟନର ଆସ୍ଥା ଡ୍ୟୁଟି କରିବାକୁ ଚାଲିଯାଇଥିଲେ। ଦ୍ଵିପ୍ରହରରେ ଆସି ଦେଖନ୍ତି ତ ପ୍ରିୟଙ୍କା ନିସ୍ତେଜ ଅବସ୍ଥାରେ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରିୟଙ୍କାଙ୍କ ମୋବାଇଲ୍ ଯାଞ୍ଚ କରିବାରୁ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି। ମରିବା ପୂର୍ବରୁ ପ୍ରିୟଙ୍କା ରାତି ସାରା ତାଙ୍କ ସ୍ଵାମୀଙ୍କୁ ୬୩ କଲ୍ ଏବଂ ୪୭ ହ୍ଵାଟସଆପ୍ ମେସେଜ୍ କରିଛନ୍ତି। ପ୍ରିୟଙ୍କା ମେସେଜ୍ ରେ ବାରମ୍ବାର ସୁନୀଲଙ୍କୁ କ୍ଷମା ମାଗିଛନ୍ତି ଏବଂ ନିଜ ଭୁଲ୍ ସୁଧାରିବାକୁ ଗୋଟିଏ ସୁଯୋଗ ମାଗିଥିଲେ। ହେଲେ ସୁନୀଲ ଥରେ ହେଲେବି ଉତ୍ତର ଦେଇ ନାହାଁନ୍ତି। ପ୍ରିୟଙ୍କାଙ୍କ ଘର ଲୋକ ସୁନୀଲଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ପୁଲିସ ସୁନୀଲଙ୍କୁ ପଚରାଉଚରା କରିବାରୁ ସନ୍ଦେହ ଯୋଗୁଁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବା କହିଛନ୍ତି। ସେପଟେ ପ୍ରିୟଙ୍କାଙ୍କ ରୁମ୍ ରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ଏହି ଖବରଟିକୁ ପଢନ୍ତୁ- ଏକ ଟଙ୍କାରେ ପ୍ରିମିୟମ ଜୋତା ଅଫର୍: ଦୋକାନରେ ଲାଗିଲା ଗ୍ରାହକଙ୍କ ଭିଡ଼,ସମ୍ଭାଳିବା ପାଇଁ ଲାଠିଚାର୍ଜ କଲା ପୁଲିସ