କେନ୍ଦ୍ରାପଡ଼ା/ଚୌଦ୍ୱାର-ଗୁରୁଡ଼ିଝାଟିଆ,୦୩/୧୧: କେନ୍ଦ୍ରାପଡ଼ା ଉପକଣ୍ଠ ବାରିମୂଳ ଜେଲ୍ରେ ୱାର୍ଡେନ୍ ଭାବେ କାର୍ଯ୍ୟରତ ଗୁରୁଡ଼ିଝାଟିଆ ଖଣ୍ଡାୟତ ସାହିର ସ୍ୱର୍ଗତ ନବକିଶୋର ପରିଡ଼ାଙ୍କ ଏକମାତ୍ର ପୁଅ ବିଜୟ ପରିଡ଼ା(୨୫)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଠିଛି । ଏହା ଆତ୍ମହତ୍ୟା ନୁହେଁ, ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜୟଙ୍କ ପତ୍ନୀ ରୂପାଲି ଧଳ ଅଭିଯୋଗ କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ପଙ୍ଖାରେ ଗାମୁଛା ବନ୍ଧାଯାଇ ବିଜୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଡାକ୍ତର ତାଙ୍କୁ ଘୋଷଣା କରିଥିଲେ । ବିଜୟଙ୍କୁ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପରିବାର ଲୋକେ ମାରି ଫ୍ୟାନ୍ରେ ଟାଙ୍ଗି ଦେଇଥିବା ପତ୍ନୀ ରୂପାଲି ଏତଲାରେ ଦର୍ଶାଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ହୋଇ ଶନିବାର ଅପରାହ୍ନରେ ଆସିବା ପରେ ଗୁରୁଡ଼ିଝାଟିଆ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ୱାମୀଙ୍କୁ ହରାଇ ପତ୍ନୀ ବାରମ୍ବାର ଅଚେତ ହୋଇଯାଉଥିଲେ । ବିଜୟଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଦାଦା ପୁଅ ଭାଇ ସ୍ମୃତି ରଞ୍ଜନ ପରିଡ଼ା ମୁଖାଗ୍ନି ଦେଇଥିଲେ ।
ବିଜୟଙ୍କ ପତ୍ନୀ ରୂପାଲି ଦେଇଥିବା ଏତଲା ମୁତାବକ ବିଜୟ ୨ ବର୍ଷ ହେବ ଗୁରୁଡ଼ିଝାଟିଆ ଥାନା ଓରନ୍ଦା-କପୁରସିଂର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ । ଘର ଲୋକେ ଏହା ଜାଣିବାରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦୁଇ ପକ୍ଷର ଭଦ୍ରଲୋକ ବସି ନିଷ୍ପତ୍ତି ନେଇଥିଲେ କି ସେମାନେ ଆଉ ମିଳାମିଶା କରିବେ ନାହିଁ କି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିବ ନାହିଁ । ପରସ୍ପରଠାରୁ ସେମାନେ ଦୂରେଇ ରହିବେ । ହେଲେ କିଛିଦିନ ପରେ ସମ୍ପୃକ୍ତ ପ୍ରେମିକା ତାଙ୍କ ବାପା ଓ ଭାଇଙ୍କୁ ଧରି ବିଜୟ ରହୁଥିବା ବାରିମୂଳ ଜେଲ୍ ବାରାକ୍କୁ ଆସିଥିଲେ । ପ୍ରେମିକାଙ୍କ ବାପା ଓ ଭାଇ ବିଜୟଙ୍କୁ ତଥାକଥିତ ପ୍ରେମିକାଙ୍କୁ ପାଖରେ ରଖିବାକୁ ବାଧ୍ୟ କରିଥିଲେ । ନ ହେଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ସମୟରେ ସେ ନିଜେ ଉପସ୍ଥିତ ଥିଲେ । ଜେଲ୍ର ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ବୁଝାଶୁଝା କରି ସେଠାରୁ ବିଦା କରିଥିଲେ ।ବିଜୟଙ୍କ ସହିତ ରହୁଥିବା ସହକର୍ମୀ ମଧ୍ୟ ସମ୍ପୃକ୍ତ ପ୍ରେମିକାଙ୍କ ସହ ଫୋନ୍ରେ କଥା ହୁଅନ୍ତି । ତେଣୁ ବିଜୟଙ୍କ ପ୍ରେମିକା, ତାଙ୍କ ପରିବାର ଓ ଜେଲ୍ ସହକର୍ମୀ ସମସ୍ତେ ମିଳିମିଶି ତାଙ୍କ ସ୍ୱାମୀଙ୍କୁ ମାରିଦେଇଛନ୍ତି ବୋଲି ରୂପାଲି ଅଭିଯୋଗ କରିଛନ୍ତି ।
ବିଜୟଙ୍କ ଦାଦା କୃଷ୍ଣଚନ୍ଦ୍ର ପରିଡ଼ା ଓ ଶିବରାମ ପରିଡ଼ା କହିଛନ୍ତି, ବିଜୟ ସରକାରୀ ଚାକିରି କରିବା ପରେ ଯୁବତୀ(ପ୍ରେମିକା) ଜଣକ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା । ଏନେଇ ବିଜୟଙ୍କ ପରିବାର ଲୋକେ ଯୁବତୀଙ୍କ ପରିବାର ଲୋକଙ୍କୁ ଡାକି ଏଥିରୁ ନିବୃତ୍ତ ରହିବାକୁ କହିଥିଲେ । ହେଲେ କିଛି ସୁଫଳ ମିଳି ନ ଥିଲା । ଏପରିକି ଯୁବତୀଙ୍କ ବାପା ୫ଲକ୍ଷ ଟଙ୍କା ଦେଲେ ଏଥିରୁ ଓହରିଯିବୁ ବୋଲି କହିଥିବା ବିଜୟଙ୍କ ଦୁଇ ଦାଦା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ, ବିଜୟଙ୍କ ପଡ଼ୋଶୀ ଓ ତାଙ୍କ ଗ୍ରାମବାସୀଙ୍କଠାରୁ ଯାହା ସୂଚନା ମିଳିଛି ବିଜୟ ଛୋଟ ଥିବା ବେଳେ ତାଙ୍କ ବାପାଙ୍କ ନବକିଶୋର ପରିଡ଼ାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ବିଜୟଙ୍କ ଦାୟିତ୍ୱ ବଡ଼ବାପା ଓ ଦାଦା ବୁଝୁଥିଲେ । ବିଜୟ କଲେଜରେ ପଢୁଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । ପରିବାର ଲୋକେ ରୂପାଲିଙ୍କ ସହ ତାଙ୍କ ବିବାହ କରିଥିଲେ । ବିବାହ ପରେ ମଧ୍ୟ ପ୍ରେମିକା ଓ ବିଜୟଙ୍କ ମଧ୍ୟରେ ପୂର୍ବବତ୍ ସମ୍ପର୍କ ରହିଥିଲା । ପ୍ରେମିକା ବେଙ୍ଗାଲୁରୁର ଏକ କଲ୍ ସେଣ୍ଟର୍ରେ କାମ କରୁଥିବା ବେଳେ ବିଜୟଙ୍କ ସହ ଫୋନ୍ରେ କଥା ହେଉଥିଲେ । ଏପରିକି ତାଙ୍କୁ କଲ୍ କରି ବେଙ୍ଗାଲୁରୁ ଡାକିଥିଲେ । କେବଳ ସେତିକି ନୁହେଁ, ପ୍ରେମିକା ଜଣକ କେତେଥର ବାରିମୂଳ ଜେଲ ବାରାକ୍କୁ ମଧ୍ୟ ଆସିଛନ୍ତି । କୌଣସିମତେ ସେ ବିଜୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ।
ଗତକାଲି ବିଜୟ ସକାଳ ୬ଟାରୁ ୧୨ଟା ଯାଏ ଡ୍ୟୁଟି ସାରି ବାରାକ୍କୁ ଫେରିଥିଲେ । ଉକ୍ତ ବାରାକ୍ରେ ତାଙ୍କର ଅନ୍ୟ ଦୁଇ ଜଣ ସହକର୍ମୀ ରହୁଥିଲେ । ସେମାନେ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୬ଟା ଯାଏ ଡ୍ୟୁଟି ସାରି ଫେରିବା ପରେ ୬ଟା ୪୫ ମିନିଟ୍ରେ ବାରାକ୍କୁ ଫେରିଥିଲେ । ବାରାକ୍ରେ ବିଜୟଙ୍କୁ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ବିଜୟଙ୍କ ମୃତଦେହ ଆଜି ଉଦ୍ଧାର କରାଯିବା ପରେ ତାଙ୍କ କାନରେ ଇୟର୍ଫୋନ୍ ଲାଗି ରହିଥିବାର ଦେଖାଯାଇଥିଲା । ସେ ଫୋନ୍ରେ କଥା ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପୂର୍ବରୁ ସେ ଫୋନ୍ରେ କଥା ହେଉଥିବା ବ୍ୟକ୍ତି ନିହାତି ତାଙ୍କ ମୃତ୍ୟୁ ବାବଦରେ ଜାଣି ଥାଇପାରନ୍ତି ଅବା ତାଙ୍କ ସହ କୌଣସି ମତଭେଦ କାରଣରୁ ସେ ଜୀବନ ହାରି ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ଏନେଇ ବାରିମୂଳ ଜେଲ୍ ଅଧୀକ୍ଷକ ବାବୁଲି ବାରିକ୍ଙ୍କୁ ପଚାରିବାରୁ ସେ କହିଛନ୍ତି କି, ଅଭିଯୋଗ ଆଧାରରେ ତଦନ୍ତ ଏବେ ଚାଲିଛି । ତଦନ୍ତ ସରିବା ପରେ ସତ ଜଣାପଡ଼ିବ । ବିଜୟଙ୍କ ପାରିବାରିକ ଜୀବନ ଓ ପ୍ରେମ ସମ୍ପର୍କ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ଜେଲ୍ ଅଧୀକ୍ଷକ କହିଛନ୍ତି । ସଦର ଥାନା ଆଇଆଇସି ବିମଳ ମଲ୍ଲିକ କହିଛନ୍ତି, ମୃତ ଜେଲ୍ ୱାର୍ଡେନ୍ଙ୍କ ପତ୍ନୀଙ୍କ ଏତଲା ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛୁ । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।