• ୫୦ ବର୍ଷ ଧରି ଝଡ଼ ବାତ୍ୟା ସବୁକିଛି ସାମ୍ନା କରିଆସୁଛି
  • ଗଛରେ ରହୁଛି ବିରାଟକାୟ ନାଗ
  • ମହାବାତ୍ୟା, ଫାଇଲିନ୍‌ରେ ଗଛର ହୋଇନି କ୍ଷତି
  • ଗଛ ସହ ସେଲ୍‌ଫି ଓ ରିଲ୍‌ସ ସୁଟିଂ ପାଇଁ ଭିଡ଼ ଲାଗୁଛ

ବାରିପଦା, ୧୫/୦୬(ସଞ୍ଜୟ କୁମାର ଚୌଧୁରୀ): ବେଳେ ବେଳେ ପ୍ରକୃତିର ବୈଚିତ୍ର‌୍ୟ ଓ ସ୍ରଷ୍ଟାଙ୍କ ଅଦ୍ଭୁତ ସଂରଚନା ଦେଖିଲେ ଚକିତ ହେବାକୁ ପଡ଼େ । ଆଖିରେ ଦେଖିଲା ପରେ ବି ରହସ୍ୟ ଘେରରେ ଥିବା ପ୍ରକୃତିର ବିସ୍ମୟକୁ ବିଶ୍ୱାସ କରି ହୁଏନି । ଏମିତି ଏକ ବିରଳ ତଥା ଅଦ୍ଭୁତ ଦୃଶ୍ୟ ବାରିପଦାର ମୁର୍ଗାବାଡିରୁ ୧୯ ନମ୍ବର ରାଜ୍ୟ ରାଜପଥରେ ଦେଉଳି ଆଡ଼କୁ ଗଲା ବେଳେ ବାଙ୍କିଶୋଳଠାରେ ରାସ୍ତା କଡ଼ରେ ଦେଖିବାକୁ ମିଳେ । ମୁର୍ଗାବାଡିରୁ ପ୍ରାୟ ୭କିମି ଯିବାପରେ ରାସ୍ତା କଡ଼ରେ ଏକ ବିରାଟ ବପୁବନ୍ତ ଜଙ୍ଗଲି ଗଛ ‘ଭରଡ଼ା’ ଛିଡ଼ା ହୋଇଛି ।

 ଏହି ଗଛକୁ ଦେଖିଲେ ମନେ ହେବ ମେଘ ପବନ ଝଡ଼ବତାସକୁ ସହି ଏହା ବଞ୍ଚିଛି କେମିତି ? କାରଣ ଗଛଟି ମୂଳରୁ ଅଗ୍ରଭାଗ ଯାଏଁ ଦୀର୍ଘ ୨୫ଫୁଟରୁ ଅଧିକ ଲମ୍ବର ଏଇ ବିରାଟ ଫମ୍ପା ବା ପୋଲା । ଗଛର ମୂଳଗଣ୍ଡି ଆଦୌ ନାହିଁ । ମଝିରେ ଥିବା ମଞ୍ଜ ଅଂଶ ବି ମୂଳରୁ ଅଗଯାଏଁ ନାହିଁ । ଗଛଟିକୁ ସଯତ୍ନରେ କେବଳ ବାହ୍ୟ ଆବରଣ (ବଳ୍କଳ ବା ଛାଲିର ପରସ୍ତ) ଘୋଡ଼ାଇ ରଖିଛି । ଗଛଟି ଛିଡ଼ା ହେବାପାଇଁ ସେମିତି କୌଣସି ଖାସ ସପୋର୍ଟ ନଥିଲେ ସୁଦ୍ଧା ବିଗତ ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ଏହା ଖୋଲା ଆକାଶକୁ ଚାଲେଞ୍ଜ ଦେଇ ଛିଡ଼ା ହୋଇ ରହିବା ବିସ୍ମୟର କାରଣ ପାଲଟିଛି । ୟା’ ଭିତରେ ୧୯୯୯ ମହାବାତ୍ୟା ହେଉ କି ୨୦୧୩ରେ ଫାଇଲିନ ପୁଣି ହୁଡହୁଡ, ତିତିଲି ଏମିତି କେତେ କେତେ ବାତ୍ୟା ଝଡ଼ କାଳବୈଶାଖୀ ବି ଯାଇଛି । କିନ୍ତୁ ଏହି ‘ଭରଡ଼ା’ ଗଛ ସେମିତି ଶକ୍ତ ଭାବେ ଛିଡ଼ା ହୋଇ ରହିଛି  । ତେବେ ଗଛଟି କେବଳ ବଞ୍ଚି ରହିନି ବରଂ ତାର ଅସ୍ତିତ୍ୱକୁ ବଜାୟ ରଖି ସତେ ଯେମିତି ଆକାଶକୁ ବି ଖୋଲା ଚାଲେଞ୍ଜ ଦେଉଛି ସେପରି ମନେ ହେବ । ପୂର୍ବରୁ ଏହି ଗଛ ମୂଳରେ ଏକ ବିରାଟ ଉଇ ହୁଙ୍କା ଥିବା ବେଳେ ବର୍ତ୍ତମାନ ତାହା ନାହିଁ ।

ହୁଏତ ଗଛକୁ ଉଇ ଖାଇ ଖାଇ ଏମିତି ଅବସ୍ଥା କରିଥାଇ ପାରନ୍ତି । ବାଙ୍କିଶୋଳର ସ୍ଥାନୀୟ ବାସିନ୍ଦା ସୋରେନ ମୁର୍ମୁ କହନ୍ତି ଏ ଗଛକୁ ସେ ତାଙ୍କ ପିଲାବେଳୁ ସେମିତି ଫମ୍ପା ଅବସ୍ଥାରେ ଦେଖି ଆସୁଛନ୍ତି । ୫୦ବର୍ଷରୁ ଅଧିକ ସମୟ ଧରି ଗଛଟି କେମିତି ଛିଡା ହୋଇ ରହିଛି ତାହା ହିଁ ବୈଚିତ୍ର ଓ ଚକିତ କଲା ଭଳି ଘଟଣା ନିଶ୍ଚୟ । ସୋରେନ ମୁର୍ମୁଙ୍କୁ ଏବେ ୬୦ ହେଲାଣି  । ସେ ତାଙ୍କ ନିଜ ଅନୁଭୂତିରୁ କହନ୍ତି ଏହି ଗଛରେ କୁଆଡେ ଏକ ବିରାଟକାୟ ନାଗସାପ ରହେ । ଆଜି ଯାଏ ଏହି ନାଗ ସାପ କାହାର କିଛି କ୍ଷତି କରି ନଥିବା ବେଳେ ମଝିରେ ମଝିରେ ଗର୍ଜନ ତର୍ଜନ କରି ଲୋକଙ୍କୁ ସତର୍କ କରାଇ ଦିଏ । ବିଶେଷ କରି ଝଡ଼ବାତ୍ୟା ପୂର୍ବରୁ ସେହି ନାଗ ସାପଟି ସତର୍କ କରାଏ ବୋଲି ସେ କହିଛନ୍ତି । କେତେକ ଏହାକୁ ଦୈବୀଶକ୍ତି ଥିବା ‘ବିସ୍ମୟ’ ବୃକ୍ଷ କହୁଥିବା ବେଳେ କେତେକ ଏହାକୁ ‘ତପସ୍ୱୀ’ ଗଛ ବୋଲି କହୁଛନ୍ତି । ଏହି ଗଛର ମୂଳ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଗଛ ଭିତରକୁ ଗଲେ ଚନ୍ଦ୍ର ସୂର୍ଯ୍ୟ ଦେଖା ଯାଉଛନ୍ତି । ଗଛଟି ସଂପୂର୍ଣ୍ଣ ଭାବେ ଫମ୍ପା ହୋଇଥିଲେ ସୁଦ୍ଧା ଡାଳ ପତ୍ରର ସବୁଜିମାରେ ସତେଜ ରହିଛି ।

ପ୍ରତିବର୍ଷ ଏହି ଗଛ ଶୀତଦିନେ ପତ୍ରଝଡା ଦେବା ସହିତ ବସନ୍ତରେ ଏହି ଗଛରେ ପୁଣି ନବ ଯୌବନ ଆସୁଛି ଏହାହିଁ ବୈଚିତ୍ର‌୍ୟ । ଉଦ୍ଭିଦ ବିଜ୍ଞାନୀ ତଥା ବିଶେଷଜ୍ଞଙ୍କ ମତରେ ଏହାକୁ ହୋଲୋ ଟ୍ରଙ୍କ ସିଣ୍ଡ୍ରୋମ କୁହାଯାଏ । ପୁରୁଣା ଗଛରେ କୁମ୍ଭୀଲାଗି ଭିତର କାଠ ପଚିଗଲେ ବି ବାହାର ଛାଲ ଓ ମୂଳ ଥିଲେ ଗଛ ବଞ୍ଚିବାରେ ଅସୁବିଧା ନାହିଁ । ଗଛର ଅସଲି ଜୀବନ ଛାଲ ତଳେ ଥିବା କ୍ୟାମ୍ବିୟମ ଲେୟରରେ ଥାଏ । ଏଇ ପତଳା ସବୁଜ ପରତ ହିଁ ଖାଦ୍ୟ ଓ ପାଣି ପ୍ରବାହ କରି ଯୋଗାଏ । ତେବେ ରାସ୍ତା କଡରେ ଏହି ବିଶାଳ ଫମ୍ପା ଗଛଟି ଥିବାରୁ କେତେବେଳେ ଯେ ଏହି ଗଛ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ତାହା କହିହେବ ନାହିଁ । ମାତ୍ର ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ, ଏହି ଗଛରେ ଦୈବୀ ଶକ୍ତି ବାସ କରୁଥିବାରୁ ଏବେ ବି ଏହି ଗଛ ଫମ୍ପା ହୋଇ ସୁଦ୍ଧା ସେମିତି ମୁଣ୍ଡଟେକି ଛିଡା ହୋଇଛି । ଏହି ରାସ୍ତାରେ ଯିଏ ଯାଉଛି ଏ ଗଛର ଅଦ୍ଭୁତ ସଂରଚନାକୁ ଦେଖି ଅଟକି ରହି ଘଡିଏ ଚାହୁଁଛି ମୋବାଇଲ ଯୁଗରେ କିଏ ଏହି ଗଛ ସହିତ ସେଲଫି ନେଉଛି ତ କିଏ ପୁଣି ଏଠାରେ ରିଲ୍‌ସ କରୁଛି । ପୁଣି କେତେକ ସୁଟିଂ ମଧ୍ୟ ଏହି ଗଛ ନିକଟରେ କରାଯାଉଛି ।

ଏ ସଂପର୍କରେ ପୂର୍ବତନ ପିସିସିଏଫ୍‌ ତଥା ସେଭ ଏଲିଫେଣ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ ଦେବବ୍ରତ ସ୍ୱାଇଁ କହିଛନ୍ତି ଯେ, ଏ ଗଛଟି ହୁଏତ ବହୁ ଆଗରୁ ବଜ୍ରପାତର ଶିକାର ହୋଇ ମଞ୍ଜ ଅଂଶ(ହାର୍ଟଉଡ) ସମୟକ୍ରମେ କ୍ଷୟ ହୋଇଥିବ । ତେବେ ଗଛଟି ଫମ୍ପା ହେଲେ ମଧ୍ୟ ଆଜି ଯାଏଁ ତିଷ୍ଠି ରହିବାର କାରଣ ହେଉଛି ଗଛର ଚେର ବହୁ ତଳକୁ ଯାଇଛି  । ପୁଣି ବଞ୍ଚି ରହିବା ପାଇଁ ଗଛର ବଳ୍କଳ ବା ଛାଲି ରହିଛି  । ଗୋଟେ ଗଛର ଜୀବନଶକ୍ତି ବା ପାଇପଲାଇନ୍‌ ବାହାର ଛାଲି ତଳେ ଥାଏ । ଏହି ପାଇପ୍‌ ମଧ୍ୟରୁ ଗୋଟାକି ଜାଇଲମ୍‌ ଏବଂ ଅନ୍ୟଟିକୁ ଫ୍ଲୋଏମ୍‌ କୁହାଯାଏ । ଜାଇଲମ ମୂଳରୁ ପତ୍ରକୁ ପାଣି ନିଏ । ପତ୍ର ଫ୍ଲୋଏମ୍‌ ମାଧ୍ୟମରେ ସାରାଗଛକୁ ଖାଦ୍ୟ ଯୋଗାଏ । ତେଣୁ ଗଛଟି ଆଜିଯାଏଁ ବଞ୍ଚିଛି  । ତେବେ ମୂଳରୁ ଅଗଯାଏଁ ଗଛଟି ପୋଲା ବା ଫମ୍ପା ହୋଇ ଯାଇଥିବାରୁ ପବନ ପଶିଲେ ମଧ୍ୟ ବାହାରିବାକୁ ରାସ୍ତା ଥିବାରୁ ଗଛଟି ସତ୍ତା ହରାଇ ନାହିଁ  ।

ଅଧିକ ପଢନ୍ତୁ- ପହିଲି ରଜରେ ଜମିଲା ଆମିଷ ଖିଆ: ରାଜଧାନୀ​‌ରେ ଦିନକରେ ୫ କୋଟି ଟଙ୍କା ବିକ୍ରି, ଡିମାଣ୍ଡରେ ରହିଲା ଦେଶୀ ଖାସି​​​​​​​