ଭୁବନେଶ୍ୱର,୧୫/୦୬: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି ।  ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା,  ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ ହୋଇଛନ୍ତି ବେପାରୀ । ରବିବାର ପହିଲି ରଜରେ ମୋଟ ୪  କୋଟି ୯୬ଲକ୍ଷ ୪୦ହଜାର ଟଙ୍କାର ଆମିଷ ବେପାର ହୋଇଛି । ଯଦିଓ  ଏଥର ଟାର୍ଗେଟ ଥିଲା ସାତ କୋଟି । ମାତ୍ର ସେଭଳି ବେପାର ହୋଇନି ।  

ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ସୂଚନା ଅନୁସାରେ, ରବିବାର ମୋଟ ୩୪ଟି ଖାସି ଗାଡ଼ି ଆସିଥିଲା । ମୋଟ ୫୧୦ କୁଇଣ୍ଟାଲ (୫୧ଟନ୍‌) ର ଖାସି ବେପାର ହୋଇଥିବା ବେଳେ ତାର ଦାମ୍‌ ଥିଲା ୨କୋଟି ୪୬ଲକ୍ଷ  ୫୦ହଜାର । ଖାସି କିଲୋ ପିଛା ୮୫୦ ଓ ମଟନ୍‌ କିଲୋ ପିଛା ୭୦୦ଟଙ୍କାରେ  ବିକ୍ରି ହୋଇଥିଲା । ସେହିପରି ୮୬୨.୫  କୁଇଣ୍ଟାଲ(୮୬.୨୫ଟନ୍‌)ର ଚିକେନ୍‌ ବିକ୍ରି  ହୋଇଥିବା ବେଳେ ଏଥିରୁ ୧କୋଟି  ୧୭ଲକ୍ଷ ୩୦ହଜାର ଟଙ୍କା ରୋଜଗାର  ହୋଇପାରିଛି । ଆଜି ବ୍ରଏଲର କିଲୋ  ପ୍ରତି ୨୪୦, ଦେଶୀ ୬୦୦ ଓ କଲର ବାର୍ଡ  ୩୫୦ଟଙ୍କା ଥିଲା ।

 

ମାଛ କଥା କହିଲେ,  ମୋଟ ୮୮୨ କୁଇଣ୍ଟାଲ(୮୮.୨ ଟନ୍‌)ର  ମାଛ ବେପାର ହୋଇଥିଲା । ଯାହାର ଦାମ୍‌  ଥିଲା ୧କୋଟି ୧ଲକ୍ଷ ୫୨ ହଜାର । ତେବେ  ମାଛ ଶସ୍ତା ଥିଲା । ରୋହି କିଲୋ ପ୍ରତି ୧୮୦ରୁ  ୨୦୦, ଭାକୁର ୨୪୦, ଜଳଙ୍ଗ ୨୦୦, ମିରକାଳି ୨୦୦,  ଖଇଙ୍ଗା ୪୦୦, ଇଲିସି ୧୦୦୦ରୁ ୧୨୦୦, ଚିଙ୍ଗୁଡ଼ି  ୧୫୦ରୁ ୧୦୦୦, କଙ୍କଡ଼ା ୩୦୦ରୁ ୧୦୦୦ ଟଙ୍କା  ରହିଥିଲା । ଅଣ୍ଡା ବେପାର ବି ଠିକ୍‌ଠାକ ଥିଲା ।  ୨୨୨୦ କାର୍ଟୁନ ଅଣ୍ଡା ବିକ୍ରି ହୋଇଥିବା ବେଳେ  ୩୧ଲକ୍ଷ ୮ହଜାର ଟଙ୍କାର ଆୟ ହୋଇଥିଲା । ମହାସଂଘର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌  ବକ୍ସ କହିଛନ୍ତି, ବେପାର ଠିକ୍‌ ହୋଇଛି ।  ରବିବାର ଅଧିକାଂଶ ଘରେ ଗୃହିଣୀମାନେ  ଆମିଷ ଖାଆନ୍ତିନି । ତେଣୁ ବୁଧବାରକୁ ଅପେକ୍ଷା  କରାଯାଇଛି ।

ଅଧିକ ପଢ଼ନ୍ତୁ :-  Monday Open: ପହିଲି ରଜରେ ନନ୍ଦନକାନନ ବୁଲିଲେ ୩୦ ହଜାର ପର୍ଯ୍ୟଟକ, ସୋମବାରର ବି ଦେଖାଦେବ ପ୍ରବଳ ଭିଡ଼