ଭୁବନେଶ୍ୱର,୦୨/୭: ଆସନ୍ତା ୭ ତାରିଖ ଯାଏ  ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଉତ୍ତର  ଏବଂ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ସ୍ଥାନରେ ବି ଭୀଷଣ ବର୍ଷିବ। ପାଣିପାଗ  ବିଭାଗ ଏଭଳି ଆଶା ଦେଖାଇଛି । ଉତ୍ତର ବଙ୍ଗୋପସାଗର  ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଥିଲା । ୩ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ  ହେବ । ଏହା ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ପୂରା ଓଡ଼ିଶାରେ ବର୍ଷା ଢାଳିବ । ଗୁରୁବାରଠାରୁ ଲଗାଣ ବର୍ଷା  ଚାଲିବ । ମୟୂରଭଞ୍ଜ ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ ।  ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା,  ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।

୩ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ଉତ୍ତର ଓ  ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ  ଭଲ ବର୍ଷା ହେବ । ୫ ତାରିଖରେ ଏହି ସବୁ ସ୍ଥାନ ସମେତ  ଉପକୂଳ  ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୭ ତାରିଖ  ଯାଏ ବର୍ଷା ଜାରି ରହିବ ।

ଅଧିକ ପଢ଼ନ୍ତୁ :-  ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ କର୍ମଶାଳା ଉଦ୍‌ଯାପିତ

ଗତ ୨୪ ଘଣ୍ଟାରେ ବୌଦ୍ଧରେ ପ୍ରବଳ  ବର୍ଷା ହୋଇଛି । ଏଠାରେ ୧୬୮ମିମି ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ୯୨, ଜଗତସିଂହପୁରରେ ୬୦, ଫୁଲବାଣୀରେ  ୫୯, ନୟାଗଡ଼ରେ ୫୩, ଦେବଗଡ଼ରେ ୫୨, ପୁରୀରେ ୪୬.୯,  ଭୁବନେଶ୍ୱରରେ ୪୪, ବଲାଙ୍ଗୀରରେ ୪୦, ଭବାନୀପାଟଣାରେ  ୩୫.୪ ମିମି ବର୍ଷା ରେକର୍ଡ ହୋଇଛି । ବୁଧବାର ସକାଳରୁ ସନ୍ଧ୍ୟା  ଭିତରେ କେନ୍ଦୁଝରରେ ୪୯, ବୌଦ୍ଧରେ ୨୭, ସୋନପୁରରେ  ୨୫,  ନବରଙ୍ଗପୁରରେ ୧୧.୬ ମିମି ବର୍ଷା ରେକର୍ଡ ହୋଇଛି ।