ଭୁବନେଶ୍ବର,୧/୭ : “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ଦୃଷ୍ଟିକୋଣ” ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପରିସରରେ ଚାଲିଥିବା ଏହି କର୍ମଶାଳା ବୁଧବାର ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ଉଦ୍ଯାପନୀ ଅଧିବେଶନ ସହ ଶେଷ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ଅନୁଯାୟୀ ବୈଷୟିକ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ ଉପରେ ଆଲୋଚନା କରିବା ପାଇଁ ଓଡ଼ିଶାର ବିଭିନ୍ନ ଇଞ୍ଜିନିୟରିଂ ପ୍ରତିଷ୍ଠାନରୁ ୨୦୦ରୁ ଅଧିକ ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ଏହି କର୍ମଶାଳାରେ ଏକତ୍ରିତ ହୋଇଥିଲେ।
କର୍ମଶାଳାର ଦ୍ୱିତୀୟ ଦିନରେ ପ୍ରତିଷ୍ଠିତ ଶିକ୍ଷାବିତମାନଙ୍କ ଦ୍ୱାରା ଆଧୁନିକ ବୈଷୟିକ ଶିକ୍ଷା ସହିତ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ସେମିକଣ୍ଡକ୍ଟର ଶିକ୍ଷା ବିଷୟରେ ଆଲୋକପାତ କରିଥିବାବେଳେ ରାଜସ୍ଥାନର ବିକାନେର ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଖିଳ ରଞ୍ଜନ ଗର୍ଗ ଭାରତର ବୈଜ୍ଞାନିକ ଐତିହ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଗବେଷଣା-ଭିତ୍ତିକ ବୈଷୟିକ ଶିକ୍ଷା ଉପରେ ଜୋର ଦେଇଥିଲେ । ବୁର୍ଲା ଭିସୁଟ୍ ର ପ୍ରଫେସର ସିଦ୍ଧାର୍ଥ ପଣ୍ଡା ବିଜ୍ଞାନ ଓ ଇଞ୍ଜିନିୟରିଂରେ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ । ଏନଆଇଟି ନାଗାଲାଣ୍ଡର ନିର୍ଦ୍ଦେଶକ ପ୍ରଫେସର ଏ. ଏଲୟାପେରୁମାଲ ସାମଗ୍ରିକ ସୁସ୍ଥତା ପାଇଁ ଯୋଗ, ଧ୍ୟାନ ଏବଂ ଆୟୁର୍ବେଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ ଏବଂ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ସିଭିଲ୍ ଇଞ୍ଜିନିୟରିଂରେ ଭାରତୀୟ ଜ୍ଞାନ ପରମ୍ପରାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଉଦ୍ଯାପନୀ ଅଧିବେଶନ ବିପିୟୁଟିର କୁଳସଚିବ ନିଶି ପୁନମ ମିଞ୍ଜଙ୍କ ସ୍ୱାଗତ ଭାଷଣ ସହିତ ଆରମ୍ଭ ହୋଇଥିଲା। ବିପିୟୁଟିର ମାନ୍ୟବର କୁଳପତି ପ୍ରଫେସର ଅମିୟ କୁମାର ରଥ ନିଜ ଅଭିଭାଷଣରେ କହିଥିଲେ ଯେ, ଏହି କର୍ମଶାଳା ଭାରତର ଜ୍ଞାନ ପରମ୍ପରାକୁ ଆଧୁନିକ ବୈଷୟିକ ଶିକ୍ଷା ସହିତ ଯୋଡ଼ିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଭଳି ପ୍ରୟାସ ଓଡ଼ିଶାର ସମସ୍ତ ବିପିୟୁଟି ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଯାହା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଉଦ୍ଭାବନ-ଧର୍ମୀ ଏବଂ ସାମାଜିକ ଭାବେ ଦାୟିତ୍ୱବାନ ଇଞ୍ଜିନିୟର ପ୍ରସ୍ତୁତ କରିବାରେ ସହାୟକ ହେବ।
ରାଉରକେଲା ମ୍ୟୁନିସିପାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ମତବ୍ୟକ୍ତ କରିଥିଲେ ଯେ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାର ସାର୍ଥକ ସମନ୍ୱୟ ଆଗାମୀ ପିଢ଼ି ମଧ୍ୟରେ ଉଭୟ ଶୈକ୍ଷିକ ଶ୍ରେଷ୍ଠତା ଏବଂ ସାଂସ୍କୃତିକ ଚେତନାକୁ ସୁଦୃଢ଼ କରିବ। ପାଠ୍ୟକ୍ରମ ବିକାଶ ନିର୍ଦ୍ଦେଶକ ପ୍ରଫେସର ସୁଜିତ କୁମାର ଖୁଣ୍ଟିଆ କର୍ମଶାଳାରୁ ଆସିଥିବା ପ୍ରମୁଖ ସୁପାରିଶଗୁଡ଼ିକର ସଂକ୍ଷିପ୍ତ ସାରାଂଶ ଉପସ୍ଥାପନ କରିବା ସହ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ। ଏହି ଉଦ୍ଯାପନୀ ଉତ୍ସବରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ଜାତୀୟ କୋଷାଧ୍ୟକ୍ଷ ସୁରେଶ ଗୁପ୍ତ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସହଯୋଗୀ ପ୍ରଫେସର ଡ. ଦେବଶ୍ରୀତ ଦାସ ସଂଯୋଜନା କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଏହା ସଫଳତାର ସହ ଆୟୋଜିତ ହୋଇଥିଲା। ଏନଇପି ୨୦୨୦ ରୂପରେଖ ଅଧୀନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ଏହି କର୍ମଶାଳାର ଆଲୋଚନାକୁ କାର୍ଯ୍ୟକାରୀ ପାଠ୍ୟକ୍ରମ ସଂସ୍କାରରେ ରୂପାନ୍ତରିତ କରିବାର ଦୃଢ଼ ସଂକଳ୍ପ ସହିତ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।