ନୂଆଦିଲ୍ଲୀ,୨୦/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଚାଲିଥିବା ଉତ୍ତେଜନା ପାଇଁ ଏସିଆ କପ୍ ୨୦୨୫ ଚର୍ଚ୍ଚାରେ ରହିଛି । ଆଇସିସି ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠି ଭାରତ ଏବଂ ପାକିସ୍ତାନ ପରସ୍ପର ସହ ମ୍ୟାଚ୍ ଖେଳନ୍ତି । ଏକ ରିପୋର୍ଟରେ ଦାବି ହୋଇଥିଲା କି ଭାରତ ଏସିଆ କପ୍ ଖେଳିବ ନାହିଁ । ବିସିସିଆଇ ପକ୍ଷରୁ ଏସିଆ କପ୍ ୨୦୨୫ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହାରି ଭିତରେ ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ।
କ'ଣ କହିଲା ବିସିସିଆଇ ?
ଭାରତ ଏସିଆ କପ୍ ସହ ଏସିଆ କ୍ରିକେଟ୍ କାଉନସିଲ (ଏସିସି)ର ସମସ୍ତ ପ୍ରତିଯୋଗିତାରୁ ଓହରି ଯାଇଛି ବୋଲି ଚର୍ଚ୍ଚା ହେଉଛି । ଏହାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ । ସେ କହିଛନ୍ତି,''ଏ ପର୍ଯ୍ୟନ୍ତ ଆଲୋଚନା ହୋଇ ନଥିବାରୁ ଏ ବିଷୟରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ବର୍ତ୍ତମାନ ଆମର ଫୋକସ୍ ଆଇପିଏଲ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ଉପରେ ରହିଛି । ଯେଉଁଥିରେ ପୁରୁଷ ଓ ମହିଳା ଦଳ ସାମିଲ ଅଛନ୍ତି । ''
ସେ ଆହୁରି କହିଛନ୍ତି, ''ଏସିଆ କପ୍ ମାମଲା କିମ୍ୱା ଅନ୍ୟ ଏସିସି ଇଭେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ତେଣୁ ଏହା ଉପରେ କୌଣସି ଖବର କିମ୍ୱା ରିପୋର୍ଟ ସମ୍ପୂର୍ଣ୍ଣ କାଳ୍ପନିକ । ବିସିସିଆଇ ଯେବେ ଏସିସିର କୌଣସି ଆୟୋଜନ ଉପରେ ଚର୍ଚ୍ଚା କରିବ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ, ତା'ର ଘୋଷଣା ମିଡିଆ ମାଧ୍ୟମରେ କରିବ । ନିଷ୍ପତ୍ତି ନିଆଗଲେ ସୂଚନା ଦିଆଯିବ । '' ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆ ସଫା ସଫା କହିଛନ୍ତି, ବର୍ତ୍ତମାନ ଏସିଆ କପ୍ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।
ଅଧିକ ପଢନ୍ତୁ...IPL 2025 : ଆଜି ସୁପରକିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
ଏସିଆ କପ୍ ୨୦୨୫ ସେପ୍ଟେମ୍ବରରେ ଖେଳାଯିବାର ସୂଚୀ ରହିଛି । ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଜାରି ହୋଇନାହିଁ । ଏଥର ଭାରତ ଆୟୋଜକ ରହିବ । ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ସାମିଲ ରହିଥିବାରୁ ଭାରତ ଖେଳିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଆୟୋଜକ ଥିଲା । ଭାରତ ପାକିସ୍ତାନ ଗସ୍ତ ନ କରି ତାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବି ଶ୍ରୀଲଙ୍କାରେ ହୋଇଥିଲା । ଯେଉଁଥିରେ ଭାରତ ବାଜି ମାରିଥିଲା ।