ନୂଆଦିଲ୍ଲୀ,୨୦/୦୫: ଚଳିତ ଆଇପିଏଲ୍ର ୬୧ତମ ଲିଗ୍ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଉଭ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଥିବାରୁ ଏହି ମ୍ୟାଚ୍ କୌଣସି ଗୁରୁତ୍ୱ ରଖୁନାହିଁ । ସୁପରକିଙ୍ଗ୍ସର ବିଶ୍ୱସ୍ତ ଫ୍ୟାନ୍ ଓ ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟରମାନେ ଏହି ମ୍ୟାଚ୍ର ରୋମାଞ୍ଚ ବଢ଼ାଇବେ ।
ସୁପରକିଙ୍ଗ୍ସ ୧୨ଟି ମ୍ୟାଚ୍ରୁ ଓ ରାଜସ୍ଥାନ ରୟାଲ୍ସ ୧୩ଟି ମ୍ୟାଚ୍ରୁ ୬ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଆଜି ସୁପରକିଙ୍ଗ୍ସ ଜିତିଲେ ନବମ ସ୍ଥାନକୁ ଉନ୍ନୀତ ହେବ ଓ ରାଜସ୍ଥାନ ରୟାଲ୍ସ ଦଶମକୁ ଖସିବ । ଏହି ମ୍ୟାଚ୍ ସହ ରାଜସ୍ଥାନ ରୟାଲ୍ସର ଅଭିଯାନ ଶେଷ ହେବ। ସୁପରକିଙ୍ଗ୍ସ ୨୫ ତାରିଖରେ ଅନ୍ତିମ ଲିଗ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ।
୧୭ତାରିଖ ପର୍ଯ୍ୟନ୍ତ କୌଣସି ଦଳ ପ୍ଲେ-ଅଫ୍ରେ ପ୍ରବେଶ କରି ନଥିଲେ । ୧୮ତାରିଖରେ ଏକ ସଙ୍ଗେ ୩ଟି ଦଳ (ଗୁଜରାଟ ଟାଇଟନ୍ସ, ପଞ୍ଜାବ କିଙ୍ଗ୍ସ, ରୟାଲ୍ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ) ପ୍ଲେ- ଅଫ୍ରେ ପ୍ରବେଶ କରିଥିଲେ । ବର୍ତ୍ତମାନ ଗୋଟିଏ ସ୍ଥାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଦୌଡ଼ରେ ରହିଛନ୍ତି ।
ଉଭୟ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପ୍ରଥମ ୨ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ ହେଁ ଅନେକ ଅନୁଭୂତି ସହ ଅଭିଯାନ ଶେଷ କରିବେ । ସର୍ବଦା ସିନିୟର କିମ୍ବା ଭେଟେରାନ ଖେଳାଳିଙ୍କୁ ପ୍ରାଥମିକତା ଦେଇ ଆସୁଥିବା ସୁପରକିଙ୍ଗ୍ସ ଏଥର ଆୟୂଷ ମାହତ୍ରେ, ଉର୍ଭିଲ ପଟେଲ, ସାଇକ ରସିଦଙ୍କ ଭଳି ଅନେକ ନୂଆ ଉଦୀୟମାନ ତାରକା ପାଇଛି । ଆଗାମୀ ସିଜନ ବେଳକୁ ଏମାନେ ସୁପରକିଙ୍ଗ୍ସ ଦଳର ପ୍ରମୁଖ ସଦସ୍ୟ ହୋଇଯିବେ । ଠିକ୍ ସେହିପରି ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଜଣେ ଯୁବ ବ୍ୟାଟିଂ ବିସ୍ମୟଙ୍କୁ ପାଇଛି। ଆଗାମୀ ସିଜନ ପୂର୍ବରୁ ଦଳକୁ ବୋଲିଂ ବିଭାଗ ସୁଧାରିବାକୁ ପଡ଼ିବ ।
ଆଜି ଦର୍ଶକମାନେ ଯୁବ ତାରକାମାନଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖିବାକୁ ସୁଯୋଗ ପାଇବେ । ଗତ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଯଶସ୍ୱୀ ଜୈସ୍ୱାଲ ଓ ବୈଭବ ଧୂଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ସେମାନଙ୍କୁ ସୁପରକିଙ୍ଗ୍ସର ସ୍ପିନର ନୂର ଅହମ୍ମଦଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ନୂର ଇତିମଧ୍ୟରେ ୨୦ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଉଭୟଙ୍କ ମଧ୍ୟରେ ଆଜି ଏକ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ସେହିପରି ସୁପରକିଙ୍ଗ୍ସର ଓପନର ମାହତ୍ରେ ଓ ଉର୍ଭିଲଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରତି ରାଜସ୍ଥାନ ରୟାଲ୍ସ ବୋଲର ସତର୍କ ରହିବେ ।
ଆଜିର ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର । ଉଭୟ ଦଳ ମଧ୍ୟରେ ମୋଟ୍ ୩୧ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ସୁପରକିଙ୍ଗ୍ସ ୧୬ଟି ଓ ରାଜସ୍ଥାନ ରୟାଲ୍ସ ୧୫ଟି ମ୍ୟାଚ୍ ଜିତିଛନ୍ତି । ଏଥର ସୁପରକିଙ୍ଗ୍ସର ବ୍ୟାଟିଂ ବିଭାଗ ଓ ରାଜସ୍ଥାନ ରୟାଲ୍ସର ବୋଲିଂ ବିଭାଗ ସବୁଠୁ ଖରାପ ପ୍ରଦର୍ଶନ କରିଛନ୍ତି । ସୁପରକିଙ୍ଗ୍ସର ଟପ ଅର୍ଡର ୨୩.୬୮ ହାରରେ ରନ ସଂଗ୍ରହ କରିଛି । ସେହିପରି ରାଜସ୍ଥାନ ରୟାଲ୍ସର ବୋଲିଂ ବିଭାଗ ୪୪.୮୪ ହାରରେ ରନ ଅପଚୟ କରିଛି ।
କୋଟଲା ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଶାଳ ସ୍କୋର କଲେ ଜିତି ପାରିବ । ରାତ୍ରିରେ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଟାଇଟନ୍ସ ୨୦୦ ରନ୍ର ଲକ୍ଷ୍ୟକୁ ୧୦ଟି ଯାକ ୱିକେଟ୍ ବାକି ଥାଇ ହାସଲ କରିଥିଲା ।
ରାଜସ୍ଥାନ ରୟାଲ୍ସ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ୍, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, କ୍ୱେନା ମଫାକା, ତୁଷାର ଦେଶପାଣ୍ଡେ, ଆକାଶ ମଧୱାଲ, ଫଜଲହକ୍ ଫାରୁକି ।
ସୁପରକିଙ୍ଗ୍ସ: ଆୟୂଷ ମାହତ୍ରେ, ଉର୍ଭିଲ ପଟେଲ, ଡେଭନ କନୱେ, ରବିନ୍ଦ୍ର ଜାଡ଼େଜା, ଡିୱାଲ୍ଡ ବ୍ରେଭିସ, ଶିବମ ଦୁବେ, ଆର ଅଶ୍ୱିନ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମଥିଶା ପତିରଣା ।