ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୫  ଆରମ୍ଭ ହେବାକୁ ଯାଉଛି । ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଆଗାମୀ ସିଜିନ୍ ପାଇଁ ସମସ୍ତ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ସମୟରେ, ସିଜିନ୍ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଖେଳାଳି ଏବଂ ଦଳ ପାଇଁ ନୂତନ ନିୟମ ଲାଗୁ କରିଛି । ନୂଆ ସିଜିନରେ ଖେଳାଳିମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ।

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ମ୍ୟାଚ୍ ପୂର୍ବରୁ ଏବଂ ସେହି ସମୟରେ PMOA ଅଞ୍ଚଳରେ ପରିବାର ସଦସ୍ୟଙ୍କ ଉପସ୍ଥିତି ସମ୍ପର୍କିତ ନିୟମକୁ ଆହୁରି କଡ଼ାକଡ଼ି କରିଛି । ଏହା ବ୍ୟତୀତ, ବୋର୍ଡ ଖେଳାଳିମାନଙ୍କୁ ଟିମ୍ ବସ୍ ଯୋଗେ ଯାତ୍ରା କରିବାକୁ ବାଧ୍ୟତାମୂଳକ କରିଛି। କିଛି ଦିନ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ସମାନ ନିୟମ ଲାଗୁ କରିଥିଲା ।

 ଖେଳାଳିମାନଙ୍କୁ ଟିମ୍ ବସ୍‌ରେ ଯାତ୍ରା କରିବାକୁ ପଡିବ

ବିସିସିଆଇର ନୂଆ ନିୟମ ଅନୁଯାୟୀ, ଖେଳାଳିମାନଙ୍କୁ ଅଭ୍ୟାସ ପାଇଁ ଟିମ୍ ବସରେ ଆସିବାକୁ ପଡିବ । ଦଳଗୁଡ଼ିକ ଦୁଇଟି ଗୋଷ୍ଠୀରେ ଯାତ୍ରା କରିପାରିବେ । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ଏକ ବୈଠକରେ ନିୟମ ପରିବର୍ତ୍ତନ ବିଷୟରେ ସମସ୍ତ ଦଳ ପରିଚାଳକଙ୍କୁ ଜଣାଇବା ପରେ ସମସ୍ତ ଫ୍ରାଞ୍ଚାଇଜିଗୁଡ଼ିକୁ ଏକ ଇମେଲ୍ ମାଧ୍ୟମରେ ଏ ବିଷୟରେ ଅବଗତ କରାଯାଇଛି । ଏନେଇ ଫେବ୍ରୁଆରୀ ୧୮ ରେ ଜୁମ୍ କଲରେ ପରିଚାଳକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଲାଗି କଡ଼ା ନିୟମ 

ଖେଳାଳିଙ୍କ ପରିବାର ସଦସ୍ୟମାନେ ଅଭ୍ୟାସ ଦିନଗୁଡ଼ିକରେ ମଧ୍ୟ ଡ୍ରେସିଂ ରୁମରେ ପ୍ରବେଶ କରିପାରିବେ ନାହିଁ । ଅଭ୍ୟାସ ସମୟରେ (ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏବଂ ସେହୀ ସମୟରେ) କେବଳ ସ୍ୱୀକୃତିପ୍ରାପ୍ତ କର୍ମଚାରୀମାନଙ୍କୁ ଡ୍ରେସିଂ ରୁମ ଏବଂ ଖେଳ ପଡ଼ିଆକୁ ପ୍ରବେଶ ଅନୁମତି ଦିଆଯାଏ । ବିସିସିଆଇ ନିୟମ ଅନୁସାରେ, ଖେଳାଳିଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଏକ ପୃଥକ ଗାଡ଼ିରେ ଯାତ୍ରା କରିବେ ଏବଂ ସେମାନେ ଅତିଥିମାନଙ୍କ ପାଇଁ ଥିବା ସ୍ଥାନରୁ ଦଳର ଅଭ୍ୟାସ ଦେଖିପାରିବେ । ଦଳର ସହାୟକ କର୍ମଚାରୀ ଙ୍କୁ ଡ୍ରେସିଂ ରୁମରେ ପ୍ରବେଶ କରିବା ପାଇଁ ବିସିସିଆଇ ପାଖରୁ ଅନୁମତି ନେବାକୁ ପଡିବ ।