ନୂଆଦିଲ୍ଲୀ : ରାଜସ୍ଥାନର ମ୍ୟାନେଜର ରୋମି ଭିଣ୍ଡର ମ୍ୟାଚ ସମୟରେ ମୋବାଇଲ ବ୍ୟବହାର କରିଥିଲେ । ସେ ଡଗ୍ ଆଉଟରେ ବସି ମୋବାଇଲ ଦେଖୁଥିବାବେଳେ ପାଖରେ ବସିଥିଲେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ । ଏହି ଭିଡିଓ ବେଶ ଭାଇରାଲ ହେବା ପରେ ଏବେ ବିସିସିଆଇ ଏକ ନୋଟିସ ରାଜସ୍ଥାନର ମ୍ୟାନେଜରଙ୍କୁ ପଠାଇଛି । ବୋର୍ଡର ଦୁର୍ନୀତି ନିବାରଣ ଏବଂ ସୁରକ୍ଷା ୟୁନିଟ୍ ଦ୍ବାରା ଏହି ନୋଟିସ୍ ଜାରି କରାଯାଇଛି ।
କହି ରଖୁଛୁ କି, ଭାଇରାଲ ହେଉଥିବା ଭିଡିଓଟି ଗତ ୧୦ ତାରିଖରେ ଘଟିଥିଲା । ଗୌହାଟୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସମୟର । ଡଗ ଆଉଟରେ ମୋବାଇଲ ବ୍ୟବହାର କରୁଥିବାର ଭିଡିଓ ଭାଇରାଲ ହେବାପରେ ତାଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଏହାସହ ବିସିସିଆଇ ସଚିବ ମଧ୍ୟ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ କି, ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।
ସୋମବାର ବିସିସିଆ ପକ୍ଷରୁ ଆସିଥିବା ନୋଟିସରେ ଦର୍ଶାଯାଇଛି କି, ୪୮ ଘଣ୍ଟା ମଧ୍ୟରେ କାରଣ ଦର୍ଶାଇବେ ସେ କାହିଁକି ମୋବାଇଲ ଦେଖୁଥିଲେ । ଏହା ସତ୍ତ୍ୱେ, ଫୋନ୍ ବ୍ୟବହାର PMOA (ଖେଳାଳି ଏବଂ ମ୍ୟାଚ୍ ଅଧିକାରୀ କ୍ଷେତ୍ର) ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରେ, ତେଣୁ ସେମାନଙ୍କୁ ଏକ ସ୍ପଷ୍ଟୀକରଣ ମଗାଯାଇଛି। ଏହା ଉଲ୍ଲେଖନୀୟ ଯେ IPL ପାଇଁ PMOA ଅନୁଯାୟୀ, କେବଳ ଦଳ ପରିଚାଳକ ଏବଂ ସୁରକ୍ଷା ପରିଚାଳକଙ୍କୁ ଫୋନ୍ ରଖିବାର ଅନୁମତି ଦିଆଯାଇଛି। ତଥାପି, ଏହି ଅନୁମତି କେବଳ ଡ୍ରେସିଂ ରୁମ୍ ପାଇଁ ସୀମିତ। ଡଗ୍ ଆଉଟରେ ଫୋନ୍ ବ୍ୟବହାର କରାଯାଇପାରିବ ନାହିଁ, ଯାହାକୁ ଦୁର୍ନୀତି ନିବାରଣ କୋଡର ଉଲ୍ଲଂଘନ ବୋଲି ବିବେଚନା କରାଯାଏ।
ଏହାସହ ପଢ଼ନ୍ତୁ : ପ୍ରତିଶ୍ରୁତି ରଖିଲେ ମୋହନ ସରକାର: ବଡ଼ବିଲ ଅଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ