ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ନେଇ ଏଥର ଉତ୍ସାହ ଦେଖିବାକୁ ମିଳୁନାହିଁ । କିନ୍ତୁ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ କଥା ଆସିଲେ ଖେଳପ୍ରେମୀଙ୍କ ଗହଣରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ । ମ୍ୟାଚ୍ ବିଶ୍ୱର ଯେକୌଣସି ଗ୍ରାଉଣ୍ଡରେ ହେଲେ ବି ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ଼ ଜମେ । କିନ୍ତୁ ଏଥର ଏସିଆ କପରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଚିତ୍ର ବିଲକୁଲ ଭିନ୍ନ। ଭାରତରେ ଏହି ମ୍ୟାଚ୍ ବର୍ଜନ କରିବାକୁ ଦାବି ହେଉଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ବିସିସିଆଇ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେବା ପରେ ଲୋକମାନେ ଅସନ୍ତୁଷ୍ଟ । ଲୋକମାନେ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏବେ ବିସିସିଆଇର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଏହି ମ୍ୟାଚ୍ ହେବାର ନିଷ୍ପତ୍ତିରୁ ନିଜକୁ ଦୂରେଇ ରଖିଛନ୍ତି । ସେମାନେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।
ପ୍ରକୃତରେ ଏସିଆ କପ୍ ୨୦୨୫ର ସୂଚୀ ପ୍ରକାଶିତ ହେବା ପରଠାରୁ ଭାରତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଲୋକମାନେ ସୋସିଆଲ ମିଡିଆରେ BCCI କୁ ସମାଲୋଚନା କରୁଛନ୍ତି । ଲୋକମାନେ ଆଶା କରିଥିଲେ ଯେ, ବିସିସିଆଇ ପାକିସ୍ତାନ ବରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ । ବହୁପାକ୍ଷିକ ଇଭେଣ୍ଟରେ ମଧ୍ୟ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବାକୁ ମନା କରିବ ବିସିସିଆଇ । ତଥାପି ଭାରତ ସରକାରଙ୍କ ଏକ ନୀତି ଅନୁସାରେ, ଭାରତୀୟ ଦଳ ବହୁପାକ୍ଷିକ ଇଭେଣ୍ଟରେ ପାକିସ୍ତାନ ସହିତ ଖେଳିପାରିବ ବୋଲି ଜଣାପଡ଼ିଛି । କିନ୍ତୁ ଭାରତୀୟମାନେ ବିସିସିଆଇର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଭାରତ-ପାକିସ୍ତାନ ମ୍ୟାଚ୍ରେ ବୟକଟ୍ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି ।
ଏମିତି ଜଣାପଡୁଛି ଯେ, ବିସିସିଆଇ ସୋସିଆଲ ମିଡିଆରେ ଚାଲିଥିବା ବୟକଟ ଅଭିଯାନକୁ ଗମ୍ଭୀରତାର ସହ ନେଇଛି । ଦୈନିକ ଜାଗରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ବିସିସିଆଇ ଅଧିକାରୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ଏ ମ୍ୟାଚ୍ ରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ବିସିସିଆଇର କୌଣସି ବରିଷ୍ଠ ଅଧିକାରୀ ଦୁବାଇରେ ପହଞ୍ଚି ନାହାନ୍ତି। ଯେତେବେଳେ ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ସେତେବେଳେ ବିସିସିଆଇର ସମସ୍ତ ଉଚ୍ଚ ପଦାଧିକାରୀ ସେଠାରେ ଉପସ୍ଥିତ ଥିଲେ ।
ରିପୋର୍ଟ ଅନୁଯାୟୀ, ବିସିସିଆଇ ସଚିବ ଦେବଜିତ ସାଇକିଆ, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମାଲ, କୋଷାଧ୍ୟକ୍ଷ ପ୍ରଭତେଜ ଭାଟିଆ ଏବଂ ଯୁଗ୍ମ ସଚିବ ରୋହନ ଦେଶାଇ ସେପ୍ଟେମ୍ବର ୧୪ ରେ ଖେଳାଯିବାକୁ ଥିବା ମ୍ୟାଚ୍ ପାଇଁ ଦୁବାଇ ଯାତ୍ରା କରିବେ ନାହିଁ। ହେଲେ ବିସିସିଆଇର କାର୍ଯ୍ୟକାରୀ ସଭାପତି ରାଜୀବ ଶୁକ୍ଳା ମ୍ୟାଚରେ ଯୋଗଦେବାର ସମ୍ଭାବନା ଅଛି । ସେ ଏସୀୟ କ୍ରିକେଟ ପରିଷଦର କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ ମଧ୍ୟ ଅଛନ୍ତି । ତେଣୁ, ସେ ମ୍ୟାଚ୍ ଦେଖିବା ପାଇଁ ଦୁବାଇ ଯାତ୍ରା କରିବେ ବୋଲି ଆଶା କରାଯାଉଛି।