ମୁମ୍ବାଇ,୦୯ /୦୪: ମ୍ୟାଚ ଜିତିଲେ ହେଲେ ଫାଇନ୍ ଗଣିଲେ ଆରସିବି କ୍ୟାପ୍ଟେନ ରଜତ ପାଟିଦାର । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଲିଗ୍ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ବେଙ୍ଗାଲୁରୁ ଅଧିନାୟକ ରଜତ୍ ପାଟିଦାରଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରିଛି ବିସିସିଆଇ । ସେପଟେ ଚେନ୍ନାଇ ବିପକ୍ଷରେ କରିଥିବା ଭୁଲ ପାଇଁ ପଞ୍ଜାବର ଗ୍ଲେନ ମ୍ୟାକ୍ସୱେଲଙ୍କୁ ଜରିମାନା ହୋଇଛି ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଲିଗ୍ ମ୍ୟାଚ୍ରେ ମନ୍ଥର ବୋଲିଂ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଦଣ୍ଡିତ ହୋଇଛନ୍ତି । ଦଳ ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ ବୋଲିଂ ଶେଷ କରିଥିଲା । ସିଜନରେ ଏହା ଦଳର ପ୍ରଥମ ମନ୍ଥର ବୋଲିଂ ଅପମାନ ହୋଇଥିବାରୁ ଅଧିନାୟକ ଭାବେ ପାଟିଦାରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।
ଗତ ସୋମବାର ୱାଙ୍ଖଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୨ରନ୍ରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା । ଦଳ ଦୀର୍ଘ ୧୦ ବର୍ଷ ପରେ ୱାଙ୍ଖଡ଼େରେ ପ୍ରଥମ ବିଜୟ ହାସଲ କରିଥିଲା । ପାଟିଦାର ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । ସେ ୩୨ଟି ବଲ୍ରୁ ଦ୍ରୁତ ୬୪ରନ୍ର ଇନିଂସ୍ ଖେଳିବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଅନ୍ୟ ପଟରେ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।
ଅଧିକ ପଢ଼ନ୍ତୁ...ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ ଲଢ଼େଇ, ଘରୋଇ ମୈଦାନରେ ଭାରି ପଡ଼ିବ ଶୁବମନ ସେନା

ଅନ୍ୟପଟେ ଗତକାଲି (ମଙ୍ଗଳବାର) ଚେନ୍ନାଇ ବିପକ୍ଷରେ କରିଥିବା ଭୁଲ ପାଇଁ ପଞ୍ଜାବର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ଫାଇନ୍ ହୋଇଛି । ମଙ୍ଗଳବାର ଚେନ୍ନାଇ -ପଞ୍ଜାବର ଏକ ମ୍ୟାଚ ଥିଲା । ଏହାକୁ ୧୮ରନ୍ରେ ଜିତିଛି ପଞ୍ଜାବ । ମାତ୍ର ଦଳର ଖେଳାଳି ଗ୍ଲେନ ମ୍ୟାକ୍ସୱେଲଙ୍କୁ ଫାଇନ୍ ହୋଇଛି । ଏହା ସହିତ ତାଙ୍କ ଉପରେ ଡ଼ିମେରିଟ ପଏଣ୍ଟ ମଧ୍ୟ ଲାଗିଛି । ଆଇପିଏଲ ନିୟମ ଭାଙ୍ଗିବା ନେଇ ଜରିମାନା ହୋଇଛି । ଏମିତି କରିବାରେ ସେ ପ୍ରଥମ ଖେଳାଳି । ତାଙ୍କ ମ୍ୟାଚ ଫିସ୍ର ୨୫% କାଟ୍ ହୋଇଛି । ଆଇପିଏଲ କୋଡ଼୍ ଅଫ୍ କନଡକ୍ଟ ଉଲ୍ଲଘଂନ ନେଇ ଲେବଲ ୧ ଆଧାରରେ ତାଙ୍କୁ ଦଣ୍ଡିତ କରିଛି ବିସିସିଆଇ ।