ଭୁବନେଶ୍ୱର, ୨୦/୦୨: ସହର ଉପକଣ୍ଠରେ ନୂଆ ସହର ଠିଆ ହେବ । ବଜେଟ୍ରେ ଗ୍ରୀନ ସିଗ୍ନାଲ ମିଳିବା ପରେ ବିଡିଏ ଆଉ ପାଦେ ଆଗକୁ ବଢ଼ିଛି । ଖୁବ୍ଶୀଘ୍ର ନିୟୁ ସିଟିର ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି । ଏହା ସହ ରେଳ ଷ୍ଟେସନ ସମ୍ମୁଖରେ ବିକାଶ ପାଇଁ ଭୁବନେଶ୍ୱର ଟାଉନ ସେଣ୍ଟର (ବିଟିସି)ର ସମୀକ୍ଷା ହୋଇଛି । ବିଡିଏ ଉପାଧ୍ୟକ୍ଷ ଏନ୍ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାର ସୁନେଲି ନକ୍ସା ଆଙ୍କିବାକୁ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
ପ୍ରାଥମିକ ପର୍ଯ୍ୟୟରେ ବିଡିଏ ପକ୍ଷରୁ ୩୨୨ ହେକ୍ଟର ଜମିରେ ନୂଆ ସହର ନିର୍ମାଣ କରାଯିବ । ଏହା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ବିକାଶକୁ ଗୁରୁତ୍ୱ ଦେଇ ଏହାକୁ କ୍ରମେ ୩୬୦୦ ହେକ୍ଟରକୁ ବୃଦ୍ଧି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ଗୋଠପାଟଣା, ମଳିପଡ଼ା, ଦାସପୁରକୁ ଲାଗି ଏହି ନ୍ୟୁ ସିଟି ନିର୍ମାଣ ହେବ । ସହରରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକେ ରହିବା ଭଳି ଭିତ୍ତିଭୂମି ନିର୍ମାଣ କରାଯିବ । ରାସ୍ତା, ଡ୍ରେନ୍, ଗମନାଗମକୁ ଗୁରୁତ୍ୱ ଦେଇଛି ବିଡିଏ । ଏହାକୁ ଦୃଷ୍ଟିରେ ରଖି ନାକାଗେଟ୍ ଛକରୁ କାଟେଣୀ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ନିର୍ମାଣ କରାଯିବ । ସେହିପରି ଆଗକୁ ରିଙ୍ଗ ରୋଡ୍ ସହିତ ରାସ୍ତା ସଂଯୋଗ କରିବାକୁ ଯୋଜନା କରାଯାଇଛି । ଟ୍ରାଫିକ୍ ଭିଡ଼ କମାଇବାକୁ ଶାଖା ରାସ୍ତା ନିର୍ମାଣ କରିବାକୁ ଯୋଜନା ହୋଇଛି । ସେହିପରି ସିଟିରେ ମୋ ବସ୍ ଚଳପ୍ରଚଳ କରିବ । ସମ୍ପୂର୍ଣ୍ଣ ଭାବେ ଇ- ବସ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି । ସେଠାରେ ଇ-ବସ୍ ଡିପୋ ନିର୍ମାଣ ହେବ । ସେହିପରି ମେଟ୍ରୋ ସଂଯୋଗ ମଧ୍ୟ କରାଯିବ । ସହର ଭିତରେ ମାର୍କେଟ କମ୍ପେ୍ଲକ୍ସ, ଷ୍ଟାଡିୟମ, ସିନେମା ହଲ, ଖେଳ ପଡିଆ, ସ୍କୁଲ, କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ୪୦ ପ୍ରତିଶତ ଜାଗା ଫାଙ୍କା ରଖାଯିବ ।
ଏହା ସହ ଭୁବନେଶ୍ୱର ରେଳଷ୍ଟେସନ ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା ହୋଇଛି । ଏଲିଭେଟେଡ୍ ଡ୍ରାଇଭ୍ ୱେ ନିର୍ମାଣ ପାଇଁ ଅନୁମତି ମିଳିବା ଫଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍ ଏବଂ ଏକଜିଟ୍ ରୋଡ୍ ନିର୍ମାଣ ହେବ । ପୂର୍ବତଟ ରେଳପଥ ଏବଂ ବିଡିଏ ମିଶି କାମ କରିବେ । ଷ୍ଟେସନ ପରିସରରେ ପାର୍କିଂ କ୍ଷେତ୍ର ଏବଂ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ କରାଯିବ । ବିଡିଏ ମାର୍କେଟ୍ କମ୍ପେ୍ଲକ୍ସ ତଥା ଆଖି ଝଲସାଇବା ଭଳି ମଲ୍ କରିବାକୁ ଯୋଜନା କରିଛି । ମୋଟ୍ ୧୨ ଏକର ଜିମରେ ବିକାଶ କରିଯିବ । ଫଳରେ ଯାତ୍ରୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧାମାନ ମିଳିପାରିବ ।
ଭୁବନେଶ୍ୱର ଷ୍ଟେସନ୍ ପ୍ରବେଶ ପଥକୁ ଯିବାକୁ ଥିବା ରାସ୍ତା ନିର୍ମାଣ କରାଯିବା ସହ ସୌନ୍ଦର୍ଯ୍ୟକରଣ କରାଯିବ । ପୂର୍ବରୁ ମଲ୍ଟି ମୋଡାଲ ହବ୍ ପ୍ରକଳ୍ପ ନାଁ ରହିଥିଲା । ଏହାକୁ ପରିବର୍ତ୍ତନ କରାଯାଇ ଭୁବନେଶ୍ୱର ଟାଉନ ପ୍ଲାନ ରଖାଯିବ । ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଷ୍ଟେସନ, ମେଟ୍ରୋ ଷ୍ଟେସନ୍ ଓ ସଡ଼କ ପଥ ସହ ଯୋଡ଼ିବା ବ୍ୟବସ୍ଥା କରାଯିବ । ଷ୍ଟେସନର ସାମ୍ନା ଭାଗରେ ବ୍ୟାପକ ବୃକ୍ଷରୋପଣ କରାଯାଇ ପରିବେଶ ଉପଯୋଗୀ କରାଯିବ । କାର୍, ବାଇକ୍ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା ରହିବ