ଚନ୍ଦାହାଣ୍ଡି, ୨୭।୩ - ନବରଙ୍ଗପୁର ଜିଲ୍ଲା ଜୁନାପାଣି ଗ୍ରାମର ଲକ୍ଷ୍ମୀ ସିନ୍ନା  ଜଣେ ମହିଳା ଅଟୋ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି।  ଜଣେ ସଫଳ ନାରୀ ଭାବରେ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଲକ୍ଷ୍ମୀଙ୍କୁ ଉପଢୌକନ ଏବଂ ଫୁଲ ତୋଡ଼ା ଦେଇ ସମ୍ମାନୀତ  କରିଛନ୍ତି। ନିଜକୁ ଅସହାୟ ମନେ ନ କରି ନିଜର କର୍ମ କରି ଚାଲିବା ପାଇଁ  ବିଡିଓ ଆହ୍ୱାନ ଦେଇଥିଲେ l 

 ଜନସାଧାରଣଙ୍କ ଆର୍ଶୀବାଦ ସହ   ପ୍ରଶାସନର ଯଦି ଏପରି ସହଯୋଗ ରହିଥାଏ  ତାହା ହେଲେ ସେ  ନିଶ୍ଚୟ ଆଗକୁ ଏପରି ନିଷ୍ଠା ର ସହ ନିଜ କର୍ମ କରି ଚାଲିବେ ବୋଲି କହିଛନ୍ତି l  ତାଙ୍କୁ ବାସଗୃହ, ରାସନ କାର୍ଡ ଖଣ୍ଡେ ଯୋଗାଇ ଦେବା କୁ ସେ ପ୍ରଶାସନ କୁ ନିବେଦନ କରିଛନ୍ତି ।  ଖୁବ ଶିଘ୍ର ତାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ।  ତାଙ୍କୁ ସରକାରୀ ଜାଗା ପ୍ରଦାନ କରିବା ପାଇଁ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୂତୃକା ସହ ଆଲୋଚନା କରାଯାଇଛି ବୋଲି  ବିଡିଓ  ସୁକାନ୍ତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି l

ପ୍ରକାଶ ଥାଉକି  ଜୁନାପାଣି ଗ୍ରାମର ଲକ୍ଷ୍ମୀ ସିନ୍ନା  ୨୦୧୫  ମସିହାରେ ଛତିଶଗଡ ଗରିଆବନ୍ଦ ଜିଲ୍ଲା ସଦରରେ ବିବାହ କରିଥିଲେ l  ତାଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି l  ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହେବାରୁ  ଲକ୍ଷ୍ମୀ ନିଜ ଝିଅ କୁ ଧରି ସେଠାରୁ ନିଜ ବାପା ମାଁ ଘର ଜୁନାପାଣିକୁ ଚାଲି ଆସି ଥିଲେ l   ସେ  ନିଜେ ରୋଜଗାର କରି ସ୍ବାବଲମ୍ବୀ ହେବା ପାଇଁ ସ୍ଥିର କରିଥିଲେ। ଧୂରୁଆପଡା ମେଡିକାଲ ପାଖରେ ପଞ୍ଚାୟତର ଏକ ଷ୍ଟଲ ଭଡା ନେଇ ବରା ପକୋଡ଼ି ତିଆର କରି lରୋଜଗାରକ୍ଷମ ହୋଇଥିଲେ।  ଏହା ପରେ ଏକ ଇଭି ଅଟୋ ଭଡାରେ ଚଳାଇଥି‌ଲେ। ସେଥିରୁ  କିଛି ଟଙ୍କା ରୋଜଗାର କରି  ନିଜର ଜମି ବାଡ଼ି ବିକ୍ରୀ କରି ନିଜେ ଏକ ଇଭି ଅଟୋ କିଣି   ରୋଜଗାରକ୍ଷମ ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି।