ଚାଣକ୍ୟ ନୀତିରେ- ସମାସ୍କନ୍ଧ ଓ ସମଭାବାପନ୍ନ ସହ ମିତ୍ରତା  ଦୀର୍ଘସ୍ଥାୟୀ ରହେ । ମିତ୍ରତାର ପ୍ରଥମ ସୋପାନ ବୈବାହିକ  ଜୀବନ ଯଦି ହୁଏ, ତେବେ ସମବୃତ୍ତିଧାରୀ ଜଣେ ଚାଷୀ  ଚାଷବନ୍ଦୀ ଘରେ, ଡାକ୍ତର ଡାକ୍ତରଙ୍କୁ, ଶିକ୍ଷକ ସେହି  ଶିକ୍ଷାବୃତ୍ତି ମନସ୍କଙ୍କୁ ବିବାହ କଲେ ଜଣେ ଅନ୍ୟର ଦାୟିତ୍ୱଟିକୁ  ବୁଝିପାରେ, ସମ୍ପର୍କ ଅତୁଟ ରହେ ।

ଫେସବୁକ୍‌ରୁ ପ୍ରେମ, ସତେଇଶ ବର୍ଷୀୟା ଚାରି  ଛୁଆର ମାଆ ସୀମା ହାଇଦର ମଇ ୨୦୨୩ରେ  ଆନ୍ତର୍ଜାତିକ ନିୟନ୍ତ୍ରଣ ରେଖା ପାରିହୋଇ ଭାରତରେ ।  ପୁଣି ସେହି ଏକା ବର୍ଷ ଜୁଲାଇରେ ପାକିସ୍ତାନର ଖିବର  ପାଖତୁନଖ୍ୱା ପ୍ରଦେଶର ନାସରୁଲ୍ଲାକୁ ଖୋଜିବାକୁ ଯାଇ  ଭାରତର ସୀମା ଡେଇଁଲେ ୩୪ବର୍ଷୀୟା ରାଜସ୍ତାନୀ ମହିଳା  ଅଞ୍ଜୁ । ବନ୍ଧୁକର ଗୁଳି ଯେଉଁଠି ଅନୁମତି ମାଗୁଛି ସେଠାରେ  ପ୍ରେମ ଆଉ ବନ୍ଧୁତା ବୁଝୁନି ଅନ୍ତର୍ଜାତୀୟ ସୀମା ଲଙ୍ଘିବାର  କଠିନ ନିୟମ । ୨୫ ଡିସେମ୍ବର ୨୦୧୫ର କଥା । ନୂଆକରି  ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି କାବୁଲରୁ ଫେରିବା  ବାଟରେ ହଠାତ୍‌ ସମୟ ବାହାର କରି ପାକିସ୍ତାନ ପ୍ରଧାନମନ୍ତ୍ରୀ  ନୱାଜ ସରିଫଙ୍କ ଲାହୋର ଘରେ ପହଞ୍ଚି ତାଙ୍କ ମାଆ  ବେଗମ ସମିମ ଅଖତରଙ୍କୁ ଭେଟି ପାଦ ଛୁଇଁଲେ । ପଶ୍ମୀନା  ଚାଦରଟିଏ ଉପହାର ଦେଲେ ଆଉ ଲୁହ ଗଡ଼ାଇ ଭାବବିହ୍ୱଳ  ହେଲେ । ପାରମ୍ପରିକ ଦୁଇ ଶତ୍ରୁଦେଶ ଭାରତ-ପାକିସ୍ତାନ  ବନ୍ଧୁତା ଆଉ ସମ୍ପର୍କର ଡୋରି ନେଇ ବିଶ୍ୱ ଗଣମାଧ୍ୟମ  ଆଲୋଡ଼ିତ ହେଲା । ହେଲେ ସାତଟି ଦିନ ଯାଇନି ଜୈସଇ-ମହମ୍ମଦ ଆତଙ୍କୀ ଜରିଆରେ ପଠାଣକୋଟ, ପଞ୍ଜାବ  ବାୟୁସେନା ଘାଟି (ଏସିଆର ସର୍ବବୃହତ) ଉପରେ  ଆକ୍ରମଣ କରାଗଲା । ସାତ ସେନା, ଜଣେ ସାଧାରଣ  ଲୋକଙ୍କୁ ମିଶାଇ ଆଠ ପ୍ରାଣବଳି ଦେଲେ ଆଉ ୩୭  ଗୁରୁତର ହେଲେ । ସମସ୍ତ ଛଅ ଆତଙ୍କୀ ପାକିସ୍ତାନ ସେନା  ପୋଷାକରେ ଥିଲେ ଏବଂ ଘାଟିରାସ୍ତା ପାରିହୋଇ ଯେମିତି  ସମ୍ବେଦନଶୀଳ ସ୍ଥାନରେ ପହଞ୍ଚିପାରିଲେ ସେଥିରୁ ଆଇ. ଏସ.ଆଇ ସମ୍ପୃକ୍ତି ସ୍ପଷ୍ଟ ହୋଇଗଲା । ଫେବ୍ରୁଆରୀ ୨୧,  ୧୯୯୯ ଲାହୋର ଚୁକ୍ତିରେ ବାଜପାୟୀଙ୍କ ମିତ୍ର ସମ୍ଭାଷଣର  ତିନିମାସ ପରେ ନୱାଜ ସରିଫଙ୍କ ତରଫରୁ କାର୍ଗିଲ ଯୁଦ୍ଧ  ଭେଟି ଦିଆଗଲା । ବନ୍ଧୁଭାବରେ ମୁଶାରଫଙ୍କୁ ଚାରି ତାରକା  ଆର୍ମି ଜେନେରାଲ ପଦୋନ୍ନତି ଦେଇ କାର୍ଗିଲ ପଛର  ମହାନାୟକ କରିଦିଆଗଲା । ଭାରତ ଉପରେ ଯେତେବେଳେ  ଆକ୍ରମଣ ହୋଇଛି ପାକିସ୍ତାନ ଉଗ୍ରବାଦୀଙ୍କ ପାଇଁ ସଫେଇ  ଦେଇ ନିଜକୁ କୁମ୍ଭୀର-ମାଙ୍କଡ଼ ଗଳ୍ପର କପଟମିତ୍ର ସାଜିଛି । 

ଜୀବନ-ମରଣ ସନ୍ଧିକ୍ଷଣରେ ଯିଏ ସାଥୀ ଦେଲା ସିଏ ସାଙ୍ଗ ।  ରାବଣ ଆକାଶମାର୍ଗରେ ମାତା ସୀତାଙ୍କୁ ଘେନି ଗଲାବେଳେ  ଜଟାୟୁ ପଥରୋଧ କଲେ । ବୟସାଧିକ୍ୟ କାରଣରୁ ରାବଣ  ସହ ବେଶୀ ସମୟ ଲଢ଼ିପାରିଲେନି ପକ୍ଷୀରାଜ ଜଟାୟୁ ।  ଗୋଟିଏ ପକ୍ଷଛେଦନରୁ ତଳେ ପଡ଼ିଗଲେ । ଅପହୃତାଙ୍କ  ଆତ୍ମଚେତନ ହେଲା, କେହିତ ଜଣେ ଏ ମାୟାବୀର  ସାମ୍‌ନା କରିପାରିବ । ଦଶରଥଙ୍କ ସାଙ୍ଗ ହୋଇଥିବାରୁ  ଜଟାୟୁ ଜୀବନ ଦେଲେ, ପ୍ରମାଣ କଲେ ବୟସ ନୁହେଁ  ମିତ୍ରତା ହିଁ ବିଶ୍ୱସ୍ତତା । ବର୍ଷ ୨୦୨୨ରୁ ୟୁକ୍ରେନ ଉପରେ  ଋଷର ଅଘୋଷିତ ଯୁଦ୍ଧକୁ ସହିପାରିଲେନି ଆମେରିକା ଓ  ବ୍ରିଟେନ । ୩୨ ମିତ୍ରରାଷ୍ଟ୍ର ‘ନାଟୋ' ନାମରେ ଯୁକ୍ରେନର  ଗଡ଼ରକ୍ଷା ଦାୟିତ୍ୱ ନେଲେ । ଶେଷରେ ସ୍ୱିଡେନ ଆସି  ଚଳିତ ଫେବ୍ରୁଆରୀରେ ଯୋଗଦେବାରେ ଅଧିକ ଉତ୍ସାହିତ  ହୋଇ ଆମେରିକା ବିବୃତି ଦେଲା, ଯେତେବର୍ଷ ଲାଗିଲେ  ବି ମିତ୍ରରାଷ୍ଟ୍ରର ସୀମାସୁରକ୍ଷା ନାଟୋ କରିବ । ପ୍ରତିରକ୍ଷା  ସହାୟତା ଶହେ ବିଲିୟନ ଆମେରିକା ଡଲାର ଛୁଇଁବାରେ  ଏବେ କହିଲାଣି ଏହା ଦୀର୍ଘମିଆଦି ସହାୟତା! ଆଗକୁ  ବେକ ମୋଡ଼ିକି ସୁଧ ମାଗିବ ନତୁବା ୟୁରୋପର  ସର୍ବବୃହତ ଜାପୋରିଝିଆ ପରମାଣୁ ପ୍ରକଳ୍ପ, ଯାହା ଦେଶର  ଦକ୍ଷିଣ-ପୂର୍ବରେ ଅବସ୍ଥିତ, ନାମରେ କରିଦେ କହିବ ।  

ମିତ୍ରତା ଛଳରେ ଯୁକ୍ରେନର ଗହମ ଆଉ ସୂର୍ଯ୍ୟମୁଖୀ  କ୍ଷେତର ଆକର୍ଷଣ ଆମେରିକାକୁ ଲାଳାୟିତ କରିଛି ଏକଥା  ଅଛପା ନୁହେଁ କାହାକୁ । ଫିନଲ୍ୟାଣ୍ଡ ପରେ ଦ୍ୱିତୀୟ,  ୧.୦୯ ବିଲିଅନ କ୍ୟୁବିକ ମିଟର ଗଚ୍ଛିତ ଗ୍ୟାସ ୟୁକ୍ରେନରୁ  ସହାଭାଗୀ ଉତ୍ତୋଳନରେ ମିତ୍ରରାଷ୍ଟ୍ର ଯୁଦ୍ଧ ବ୍ୟୟ ଅସୁଲି  କରି ଆହୁରି ଫାଇଦା ପାଇବ ବୋଲି ଋଷକୁ ଜଣା । ଗାଁରେ ଦୁଇ ପଡ଼ୋଶୀ ସୀମା ବିବାଦକୁ ନେଇ  ଲଢ଼ିବାରେ ଅନିମନ୍ତ୍ରିତ ମିତ୍ର ହରି ମିଶ୍ରେଙ୍କ ପ୍ରବେଶ ହୁଏ ।  ମୁଣ୍ଡ ଲଢ଼େଇକୁ ଅସମର୍ଥ ଗରିବ ଲୋକଟାର ଦୁଃସମୟରେ  ମିତ୍ର କହି ଟେହି, ଥାନା, କୋର୍ଟ ପର୍ଯ୍ୟନ୍ତ ଟର୍ଚ୍ଚ ଆଲୁଅ  ଦେଖେଇବାରେ ‘ଦ୍ୱୟ ବିବାଦେନ ତୃତୀୟସ୍ୟ ଲାଭ' ପରି  କଥା । ଲାଭ-କ୍ଷତି ପଛକୁହା, ଅନ୍ୟର ସୁଖଶିରୀ ଦେହରେ  ନଯିବାରୁ ହରି ମିଶ୍ର ଚରିତ୍ର ହବାରେ ଗୋଟେ ଆନନ୍ଦ ।  ଏବେ ଗାଁଠାରୁ ସହର, ବନ୍ଦୋବସ୍ତ କାର୍ଯ୍ୟାଳୟଠୁ କଚେରି  ସବୁଠି ହରି ମିଶ୍ରେ । ନକଲି ଜମିପଟ୍ଟା ଧରି କଚେରିରେ  ନଙ୍ଗରପଙ୍ଗର ହଉଥିବା ହରି ମିଶ୍ରେ ଜାମିନଦାରଙ୍କ ପ୍ରତି  କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ କହିଛନ୍ତି । ହେଲେ ହରି  ମିଶ୍ରଙ୍କ ପରି ବନ୍ଧୁ ପାଇ କେତେ ଲୋକ କୃତକୃତ୍ୟ । 

 ସହରରେ ପାଞ୍ଚଟା କୋଠା, ପଚାଶଟା ଜାଗା ପକେଇ ବାବୁ  ଭୁଲିଯାଇଥିଲେ ମୋର କେହି ନିଜର ଭାଇ ବିରାଦରୀ ଅଛନ୍ତି  ବୋଲି । ଆଜି ଯେତେବେଳେ ଦୁର୍ନୀତି ନିବାରଣ ମାଡ଼ିବସିଲା  କୋଉ ଭାଇ ଆସିବେନି, ଆସିବେ ତ ଦୁଃଖର ବନ୍ଧୁ ହରି  ମିଶ୍ରେ । ଟଙ୍କା ଦଶହଜାର ଧରିଲେ ମାଜିଷ୍ଟ୍ରେଟ ସାମନାକୁ ଯାଇ  କହିବେ- ଭିଜିଲାନ୍ସ ଧରିଲା ଦିନ ମୁଁ ପରା ବାବୁଙ୍କ ଘରକୁ  ଯାଇଥିଲି, ଯାହାକୁ ଭିଜିଲାନ୍ସ ଧରିଲେ ତାଙ୍କ ନାକ ଉପରେ  ଗେଣ୍ଡୁ ଭଳିଆ କାଠ ବ୍ରଣଟାଏ ଥିଲା । ବାସ୍‌, ସତ ମିଛର  ଦୁନିଆରେ ଅସୁବିଧାରେ ପଡ଼ିଥିବା ଲୋକଟାକୁ ନଈପାରି  କରିଦେଲେ ହରି ମିଶ୍ରଙ୍କ ଆନନ୍ଦ । ଖବରକାଗଜଟାକୁ  ଲୋକସମ୍ପର୍କ ଦସ୍ତାବିଜ ମଞ୍ଜୁର କରିନବାକୁ ସେଠୀ ସାରଙ୍କ  ସହ ବନ୍ଧୁତା କରିବାକୁ ପଡିଲା । ଭାରି ସ୍ନେହୀ ଲୋକ  ସେ, ବାଳ, ବୃଦ୍ଧ କି ଅବଳାଙ୍କ କାମ ଆଗ କରିଦେବେ । କାମଟା ତୁରନ୍ତ ହେଇଯିବାକୁ ହରି ମିଶ୍ରଙ୍କୁ ଖୋଜିଲେ ସବୁ  ପଦାଧିକାରୀଙ୍କ ପାଖରେ ମିଳିବେ । 

ଯୁଦ୍ଧର ଫଳାଫଳ ନେଇ ଥିବା କୃଷ୍ଣଙ୍କ ଶଙ୍କା ଦୂର  ହେଇଗଲା, ଯେତେବେଳେ ସପ୍ତରଥୀ- ଦ୍ରୋଣ, କ୍ରୀତବର୍ମା,  ଅଶ୍ୱତ୍‌ଥାମା, କୃପାଚାର୍ଯ୍ୟ, କର୍ଣ୍ଣ, ଶଲ୍ୟ ଏବଂ ଜୟଦ୍ରଥ  ଆଦି ବାରବର୍ଷ ବୟସ୍କ ନିରସ୍ତ୍ର ଅଭିମନ୍ୟୁକୁ ଚକ୍ରବ୍ୟୂହରେ  ମାରିଦେଲେ । ରାଷ୍ଟ୍ରହିତରେ ଯେଉଁ ପାଞ୍ଚ ପଢ଼ିଆରୀ ଏକାଠି  ହେଲେ ସେମାନେ ସାଙ୍ଗ । ଏଠି ବୟସ , ପିତା-ପୁତ୍ର କି  ଗୁରୁ-ଶିଷ୍ୟର ବିଚାର ନାହିଁ । ଧନୁ ଆଉ ଗଦା ବିଦ୍ୟାରେ  କର୍ଣ୍ଣଙ୍କ ପରାକ୍ରମକୁ ଗୁରୁ ଦ୍ରୋଣାଚାର୍ଯ୍ୟ ସାବାସୀ ଦେଉଦେଉ  ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ ସାଙ୍ଗ ବୋଲି କୁଣ୍ଢେଇକି ନେଇ ଅଙ୍ଗ  ରାଜ୍ୟର ରାଜପଦ ଦେଇଦେଲେଣି । 

ନାଟୋ ସେନା ହେଉ ସପ୍ତରଥି ହେଉ କିମ୍ବା ଦୁର୍ଯ୍ୟାଧନ ହେଉ, ସବୁଠି ପଛରେ  ଭୟ ଆଉ ସୁରକ୍ଷାର କଥା । ଭୀମକୁ ଖେଳିବାକୁ ଡାକିନେଇ  ଦୁର୍ଯ୍ୟୋଧନ ଆଉ ଦୁଃଶାସନଙ୍କୁ ବିଷଲଡୁ ଦେବା ଓ ଅଚେତ  ହେବା ଦେଖି ଗଙ୍ଗାନଦୀରେ ପକାଇ ଆସିବା ପଛରେ ଈର୍ଷା  ଓ ଭୟର କଥା । ଜାଗା ଖଣ୍ଡେ ଡୁମୁଡୁମାରେ ପକେଇଲା ପରେ ପାରିବାରିକ ତଥା ପାରମ୍ପରିକ ବନ୍ଧୁ ଜାଣୁନି । ଧରାବନ୍ଧା ବନ୍ଧୁଙ୍କୁ ଭୟ, କାଳେ ପଇସା ଅଛି ଭାବି ପୁତୁରା  କହିବ- ମଉସା କଲେଜ ଆଡ଼ମିସନ ପାଇଁ ଟଙ୍କା ଦଶହଜାର  କମି ହଉଛି, ଦିଅ । ଭୟ ହେଲା କାଳେ ନଶୁଝିବେ! ହଁ  ଜାଗା ଖଣ୍ଡକ ଦେଖେଇଛି କେଇଜଣ ଫେସବୁକରୁ ନୂଆ  ଆମଦାନୀ ବନ୍ଧୁଙ୍କୁ । ଆମଦାନୀ ବନ୍ଧୁ ସମସ୍ତେ ଯେ ଶୁଭାକାଂକ୍ଷୀ  ହେଇପାରିବେନି ତାହା ନୁହେଁ, କିନ୍ତୁ ଆମେ ଟିକେ ସ୍ୱାର୍ଥପର ।  ଫେସବୁକ ବନ୍ଧୁ ଘରକୁ ଆସିଲେ ପାଦକୁ ପାଣିଲୋଟା କି  ରହିବା ଖାଇବା ପାଇଁ ନୟାନ୍ତ ହବାକୁ ପଡ଼ିବନି । ଅତିମାତ୍ରାରେ  ଆକାଂକ୍ଷୀ ହେବାରେ ପାରିବାରିକ ବନ୍ଧୁତା ଏବେ ସଂକଟରେ । 

ପ୍ରବାସରେ ବିଦ୍ୟା, ଗୃହରେ ସୁଗୃହିଣୀ, ରୋଗଶଯ୍ୟାରେ  ପଥ୍ୟ ଆଉ ମରଣ କାଳେ ଧର୍ମ ଆମର ମିତ୍ର । ବର୍ଣ୍ଣିତ  ଅଛି- ବିଦ୍ୟାମିତ୍ରଂ ପ୍ରବାସେଷୁ ଭାର୍ଯ୍ୟାମିତ୍ରଂ ଗୃହେଷୁ ଚ  ବ୍ୟାଧିତସୌଷଧଂ ମିତ୍ର, ଧର୍ମ ମିତ୍ର ମୃତସ୍ୟ ଚ । ଚାଣକ୍ୟ  ନୀତିରେ ସମାସ୍କନ୍ଧ ଓ ସମଭାବାପନ୍ନ ସହ ମିତ୍ରତା ଦୀର୍ଘସ୍ଥାୟୀ  ରହେ । ମିତ୍ରତାର ପ୍ରଥମ ସୋପାନ ବୈବାହିକ ଜୀବନ ଯଦି  ହୁଏ, ତେବେ ସମବୃତ୍ତିଧାରୀ ଜଣେ ଚାଷୀ ଚାଷବନ୍ଦୀ ଘରେ,  ଡାକ୍ତର ଡାକ୍ତରଙ୍କୁ, ଶିକ୍ଷକ ସେହି ଶିକ୍ଷାବୃତ୍ତି ମନସ୍କଙ୍କୁ ବିବାହ  କଲେ ଜଣେ ଅନ୍ୟର ଦାୟିତ୍ୱଟିକୁ ବୁଝିପାରେ, ସମ୍ପର୍କ ଅତୁଟ  ରହେ । ଖଳଭାବନ ଲୋକଟି ସାଧୁଙ୍କ ଗୋଷ୍ଠୀରେ ବେଶୀ  ସମୟ ରହିପାରେନି, ଯେମିତି ଶାଳଗ୍ରାମ ପରି ଶିଷ୍ଟ ପିଲାଟେ  କୁସଙ୍ଗୀରେ ଶିଳା ହେଇଯାଏ । ନୟନରେ କଜ୍ୱଳ ଲଗାଇଲେ  ଦୃଷ୍ଟିଦୋଷ ଦୂର ହୁଏ, ହେଲେ ଧୀଶକ୍ତି ପାଇଁ ପିତାମାତାଙ୍କ  ଦର୍ଶନ ଆବଶ୍ୟକ । 

ସୁ-ମିତ୍ର ଭଗବତ ସଦିଚ୍ଛାରୁ ହେଲେ  ଖୋଜିବାକୁ ହେବ । ଖୋଜିବା ଭିତରେ ସୁଗ୍ରୀବଙ୍କୁ ବହୁ  କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା । ଭାଇ ବାଳିଠାରୁ ଗଦା  ମାଡ଼ ଖାଇ, ରାଜ୍ୟ ହରେଇ ରାମଙ୍କ ମିତ୍ରତା ପର୍ଯ୍ୟନ୍ତ  ଅପେକ୍ଷା କରିବାକୁ ପଡ଼ିଲା । ଅର୍ଥ ଅପେକ୍ଷା ବଦଳୁଥିବା  ଜୀବନଶୈଳୀ ଯୋଗୁଁ ପିତା ମାତାଙ୍କୁ ଆଲୋକର ଉତ୍ସ ଜୀବନ  ମିତ୍ର ନଭାବି ବୋଝ ଭାବିଲେ କିଏବା ବାଧା ଦେବ! ପୁଣି  ବୃକ୍ଷମିତ୍ର, ଗୋ-ମିତ୍ର, ପରିବେଶ ମିତ୍ର ନହେବାରୁ ପିଲାଠି  ସଂସ୍କାର ଆସୁନି । ଇନ୍ଦ୍ରପୁରୀ ଗର୍ବରେ ସାମନା ଦୋକାନୀକୁ  ମିଠାକଥା ଦିନେ କହିନି, ଆଜି ଚୋର ପଶିଲେ ସେ କାହିଁକି  ଘଉଡ଼େଇବାକୁ ଆସିବ! ଆପଣା ଭାଇକୁ ଚିହ୍ନିସାରି ବି  ଗୋଲକସୁତ କହି ହସି ଉଡ଼େଇବା ମହାଭାରତ ଯୁଗର  ଜାତିଆଣ ଦୌରାତ୍ମ୍ୟ ନୁହେଁ କି? ଯାହାବି ହେଲେ ସବୁରି  ଜୀବନରେ ଉତ୍ତମ ମିତ୍ରଟିଏ ଲୋଡ଼ା । ସଙ୍ଘର ରାଜପଥ  ହାତମିଳାକୁ ରାଜାଙ୍କର ବି ଭୟ ଥାଏ ।