ବ୍ରହ୍ମପୁର,୨୨/୦୨: ବାଲିଗୁଡ଼ା ବନଖଣ୍ଡ ବେଲଘର ହାତୀ ମୃତ୍ୟୁ ମାମଲାରେ ଆଉ ୩ ଶିକାରୀଙ୍କୁ ବନ ବିଭାଗ ଶନିବାର ଗିରଫ କରିଛି । ସେମାନେ ହେଲେ ଝିରିପାଣି ଗାଁର କ୍ଷମା ପାତ୍ର(୭୬), ବୃଷଭ ପାତ୍ର(୪୪) ଓ ଗୋକୁଳ ପାତ୍ର(୪୧) । ହାତୀକୁ ବିଦ୍ୟୁତ୍ ତାର ବିଛାଇ ମାରିବାରେ ଏମାନେ ମୁଖ୍ୟ ଭୂମିକା ନେଇଥିବା ତଦନ୍ତକାରୀ ଅଧିକାରୀ ତଥା ଏସିଏଫ୍ ମନୋରଞ୍ଜନ ବାଗ୍ କହିଛନ୍ତି । ଘଟଣାରେ ଏବେ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ ଡେପୁଟି ରେଞ୍ଜର ବିନୟ ବିଶି ଏବେ ବି ଫେରାର ରହିଛନ୍ତି ।
ଏସିଏଫ୍ଙ୍କ ସୂଚନା ମୁତାବକ, ଜାନୁଆରୀ ୪ରେ ଉକ୍ତ ୩ ଅଭିଯୁକ୍ତଙ୍କ ସମେତ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୩ ଜଣ ମିଶି ଝିରିପାଣି ଗାଁରୁ ମୁଣ୍ଡୁତି ଗାଁକୁ ଯାଇଥିଲେ । ମୁଣ୍ଡୁତି ଗାଁ ନିକଟ ଝରଣାର ବାମପଟେ ଥିବା ବିଦ୍ୟୁତ୍ ଖୁଣ୍ଟରୁ ୧୧ କେଭି ଲାଇନରୁ ହୁକିଂ କରିଥିଲେ ଶିକାରୀ । ବ୍ରିଜ୍ ତଳ ଦେଇ ଝରଣାଠାରୁ ଶହେ ମିଟର ଦୂରରେ ପକାଇଥିଲେ । ସନ୍ଧ୍ୟାରେ ୩ ଜଣ ଶିକାରୀ ଝିରିପାଣି ଫେରିଥିବାବେଳେ ଆଉ ୩ ଜଣ ମୁଣ୍ଡୁତି ଗାଁରେ ଅପେକ୍ଷା କରିଥିଲେ । ବିଳମ୍ବିତ ରାତିରେ ହାତୀ ବିଦ୍ୟୁତ୍ ତାରରେ ଲାଗି ଚିତ୍କାର କରିଥିଲା । ଶବ୍ଦ ଶୁଣି ଅପେକ୍ଷାରତ ୩ ଶିକାରୀ ସେଠାକୁ ଯାଇଥିଲେ । ବିଦ୍ୟୁତ୍ ତାର ଖୋଲି ଫେରି ଆସିଥିଲେ । ସକାଳୁ ପୁଣି ସଭିଏଁ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସମସ୍ତ ତାର ନେଇ ଫେରିଥିଲେ ବୋଲି ତଦନ୍ତ ସମୟରେ ଶିକାରୀମାନେ ସ୍ୱୀକାର କରିଛନ୍ତି ।
ଆହୁରି ପଢ଼ନ୍ତୁ :- ବିବାହର ପ୍ରତିଶ୍ରୁତି ଦେଇ ହୋଟେଲ୍ ନାବାଳିକାଙ୍କ ସହ ସମ୍ପର୍କ, ବାହା ହେବାକୁ ମନା କରିବାରୁ ଯୁବକ ଗିରଫ