ନୂଆଦିଲ୍ଲୀ,୨୫/୦୩; ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ୍ ଆଗାମୀ ଆଇପିଏଲରୁ ଓହରି ଯାଇଛନ୍ତି । ଗତ ମିନି ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୨କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ମାତ୍ର ନିଜ ଦେଶ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତି ଅଧିକ ଯତ୍ନବାନ ହେବାକୁ ଲକ୍ଷ୍ୟ ରଖି ସେ ଆଇପିଏଲରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳ ସ୍ୱରୂପ ସେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍ ଖେଳି ପାରିବେ ନାହିଁ ।
ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ବିଦେଶୀ ଖେଳାଳିଙ୍କ ପାଇଁ ଲାଗୁ କରାଯାଇଥିବା ନିୟମ ଅନୁଯାୟୀ କୌଣସି ଖେଳାଳି ଆଇପିଏଲ୍ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ କୌଣସି ଦଳ ସହ ଚୁକ୍ତି ବଦ୍ଧ ହେବା ପରେ ଓହରି ପାରିବ ନାହିଁ । ଏଭଳି ସ୍ଥଳେ କୌଣସି ଖେଳାଳି ଓହରିଲେ ତାଙ୍କୁ ୨ବର୍ଷ ପାଇଁ ନିଲମ୍ବିତ କରାଯିବ । ଡକେଟ୍ ସମ୍ପୂର୍ଣ୍ଣ ଫିଟ୍ ଥାଇ ଅନ୍ତିମ ମୁହୂର୍ତ୍ତରେ ଓହରି ଯାଇଥିବାରୁ ଦଣ୍ଡିତ ହେବା ନିଶ୍ଚିତ । ସେ ୨୦୨୮ ସିଜନ ପର୍ଯ୍ୟନ୍ତ ନିଲାମ ପାଇଁ ନାମ ଦାଖଲ କରିପାରିବେ ନାହିଁ ।
ସୂଚନାଯୋଗ୍ୟ, କୌଣସି ଖେଳାଳି ଆହତ ହୋଇ ଅନ୍ଫିଟ୍ ସାବ୍ୟସ୍ତ ହେଲେ ନିଜ ଦେଶର କ୍ରିକେଟ୍ ବୋର୍ଡ ପକ୍ଷରୁ ମେଡିକାଲ୍ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଯାହା ଫଳରେ ଖେଳାଳି ଜଣକ ଦଣ୍ଡିତ ହେବେ ନାହିଁ । ପରବର୍ଷ ସେ ଫିଟ୍ ହୋଇ ଖେଳି ପାରିବେ ।