କୋଲକାତା, ୯।୫: ପଶ୍ଚିମବଙ୍ଗକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟିର ଶୁଭେନ୍ଦୁ ଅଧିକାରୀ ବଙ୍ଗଳାର ନୂଆ ଶାସନ ଗାଦିରେ ବସିଛନ୍ତି । ଶନିବାର ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି । ତେବେ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବା ପରେ ଏବେ ସାଧାରଣରେ ଗୋଟିଏ ପ୍ରଶ୍ନ ଘୂରି ବୁଲୁଛି ଯେ, ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କୁ ମାସିକ କେତେ ଦରମା ମିଳିବ ଏବଂ ସରକାରଙ୍କ ତରଫରୁ ତାଙ୍କୁ କେଉଁ ସବୁ ଭତ୍ତା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ?
କେତେ ମିଳିବ ମାସିକ ଦରମା ?
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦରମା କୌଣସି ଗୁଣରେ କମ୍ ନୁହେଁ । ରିପୋର୍ଟ ଅନୁସାରେ, ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କୁ ମାସିକ ପ୍ରାୟ ୨.୧୦ ଲକ୍ଷ ଟଙ୍କା ଦରମା ମିଳିବ । ତେବେ ଏହି ଦରମା କେତେକ ଭାଗରେ ବିଭକ୍ତ:
ମୂଳ ଦରମା: ଜଣେ ବିଧାୟକ ଭାବେ ତାଙ୍କର ଦରମା ୫୦ ହଜାର ଟଙ୍କା ଥିବାବେଳେ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ପାଇଁ ଅତିରିକ୍ତ ୫୧ ହଜାର ଟଙ୍କା ମିଳିବ । ଏହିପରି ଭାବେ ତାଙ୍କର ବେସିକ୍ ସାଲାରୀ ପ୍ରାୟ ୧ ଲକ୍ଷ ଟଙ୍କା ହେବ ।
ଭତ୍ତା ସହିତ ମୋଟ୍ ଦରମା: ଯେତେବେଳେ ଏଥିରେ ନିର୍ବାଚନ ମଣ୍ଡଳୀ ଭତ୍ତା ଏବଂ କମ୍ପେନ୍ସେଟୋରୀ ଭତ୍ତାକୁ ଯୋଡ଼ାଯିବ, ସେତେବେଳେ ମୋଟ ଅଙ୍କ ୨.୧ ଲକ୍ଷ ଟଙ୍କାରେ ପହଞ୍ଚିବ ।
ଅନ୍ୟାନ୍ୟ ଭତ୍ତା ଓ ସୁବିଧା ସୁଯୋଗ:
ଜଣେ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ଅନେକ ସରକାରୀ ସୁବିଧା ମିଳିବ:
ଆତିଥ୍ୟ ଭତ୍ତା: ବାର୍ଷିକ ପ୍ରାୟ ୫୧,୬୦୦ ଟଙ୍କା ଆତିଥ୍ୟ ଭତ୍ତା ଭାବେ ମିଳିବ।
କାର୍ଯ୍ୟାଳୟ ପରିଚାଳନା ଭତ୍ତା: ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଅଫିସ୍ କାମ ପାଇଁ ଅଲଗା ଭାବେ ବାର୍ଷିକ ୪୮,୦୦୦ ଟଙ୍କା ମିଳିବ ।
ଦୈନିକ ଭତ୍ତା: ସରକାରୀ କାର୍ଯ୍ୟରେ ଯୋଗଦେଲେ ଦୈନିକ ୨୦୦୦ ଟଙ୍କା ସିଟିଂ ଆଲାଉନ୍ସ ମିଳିବ, ଯାହା ମାସକୁ ପ୍ରାୟ ୬୦ ହଜାର ଟଙ୍କା ହେବ ।
ସରକାରୀ ବାସଭବନ ଓ ଗାଡ଼ି: କୋଲକାତାରେ ତାଙ୍କୁ ଏକ ସୁସଜ୍ଜିତ ସରକାରୀ ବଙ୍ଗଳା ମିଳିବ । ଏହାସହ ସରକାରଙ୍କ ତରଫରୁ ଗାଡ଼ି ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସୁରକ୍ଷା କାରକେଡ୍ ମଧ୍ୟ ଯୋଗାଇ ଦିଆଯିବ ।
କେତେ ସମ୍ପତ୍ତିର ମାଲିକ ଶୁଭେନ୍ଦୁ ଅଧିକାରୀ ?
ଶୁଭେନ୍ଦୁଙ୍କ ନେଟୱର୍ଥ କୋଟି କୋଟି ନୁହେଁ । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ:
ମୋଟ ସମ୍ପତ୍ତି: ପ୍ରାୟ ୮୫,୮୭,୬୦୦ ଟଙ୍କା ।
ଚଳ ସମ୍ପତ୍ତି: ତାଙ୍କ ପାଖରେ ୨୪,୫୭,୫୯୭ ଟଙ୍କାର ଚଳ ସମ୍ପତ୍ତି ଅଛି । ଏଥିରେ ବ୍ୟାଙ୍କ ଜମା, ଏଲଆଇସି ଏବଂ ପୋଷ୍ଟ ଅଫିସ୍ ନିବେଶ ସାମିଲ । ଆଶ୍ଚର୍ଯ୍ୟଜନକ କଥା ହେଉଛି, ତାଙ୍କ ନାଁରେ କୌଣସି ଗାଡ଼ି କିମ୍ବା ସୁନା ଗହଣା ନାହିଁ ।
ଅଚଳ ସମ୍ପତ୍ତି: ପ୍ରାୟ ୬୧.୩୦ ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ଅଛି । ଯେଉଁଥିରେ ୨୪.୭୫ ଲକ୍ଷ ଟଙ୍କାର ଘର ଏବଂ କିଛି ଚାଷ ଜମି ରହିଛି ।
ସୂଚନାଯୋଗ୍ୟ ଯେ, ନନ୍ଦୀଗ୍ରାମ ଆସନରେ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ରେ ପରାସ୍ତ କରି ଶୁଭେନ୍ଦୁ ବଙ୍ଗଳା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । ସେହି ଐତିହାସିକ ବିଜୟର ଉପହାର ସ୍ୱରୂପ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛି ।
ଆହୁରି ପଢ଼ନ୍ତୁ... କାହିଁକି ବିବାହ କରିନାହାନ୍ତି ଶୁଭେନ୍ଦୁ ? ଜାଣନ୍ତୁ ବଙ୍ଗଳାର ନୂଆ ‘ସୁଲତାନ’ଙ୍କ ବ୍ୟକ୍ତିଗତ ଜୀବନର ଅକୁହା କାହାଣୀ