ନୂଆଦିଲ୍ଲୀ – ୪୦ ବର୍ଷିୟ ବେଙ୍ଗାଲୁରୁ ନିବାସୀ ଜଣେ ବ୍ୟକ୍ତି ହୋଇଛନ୍ତି ଗିରଫ। ଏଚ୍ ମାରୁତି ନାମକ ଏହି ବ୍ୟକ୍ତିଙ୍କୁ ଟୁମକୁରୁ ପୁଲିସ କର୍ଣ୍ଣାଟକର ଗୃହମନ୍ତ୍ରୀ ଜୀ ପରମେଶ୍ୱର ଭାବେ ପରିଚୟ ଦେବା ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ଏପି-ସିଏମଓ)କୁ ସମ୍ୱୋଧିତ ଏକ ଚିଠିରେ, ତାଙ୍କର ନକଲି ଦସ୍ତଖତ କରିବା ଅଭିଯୋଗରେ ଗିରଫ କରିଛି। ଫେକ୍‌ ଚିଠିରେ ତିରୁମାଳା ମନ୍ଦିରରେ ଭଗବାନ ବାଲାଜୀଙ୍କ ଦର୍ଶନ ପାଇଁ ଭିଭିଆଇପି ପାସ୍‌ ମାଗୁ ଥିଲେ। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଆଧାରରେ ଏହା ପ୍ରକାଶ ପାଇଛି। 

ରିପୋର୍ଟ ଅନୁସାରେ , ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି , ଯେବେ ଗୃହମନ୍ତ୍ରୀଙ୍କ ବିଶେଷ ଅଧିକାରୀ କେ ନାଗନ୍ନା ଶନିବାର ତୁମକୁରୁ ପୁଲିସରେ ଅଭିଯୋଗ ରୁଜୁ କରାଇ ଥିଲେ। ଅଧିକାରୀମାନେ ରବିବାର ମାରୁତିଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ନ୍ୟାୟିକ ହେପାଜତକୁ  ପଠାଇ ଦେଇଛନ୍ତି। ନାଗନ୍ନା କହିଛନ୍ତି ,  ମାରୁତି ଏପି-ସିଏମଓ ସହ ସଂପର୍କ କରି ଥିଲେ ଏବଂ ହ୍ୱାଟ୍ସଆପ୍‌ ମାଧ୍ୟମରେ ଏକ ନକଲି ଚିଠି ସେୟାର କରିଥିଲେ , ଯେଉଁଥିରେ ତାଙ୍କ ଦ୍ୱାରା ସନ୍ଦର୍ଭିତ ବ୍ୟକ୍ତିଙ୍କ ପାଇଁ ଭିଭିଆଇ ପି ପାସ୍‌ ନେଇ ଅନୁରୋଧ କରାଯାଇ ଥିଲା। ଏହା ବ୍ୟତୀତ,ସେ କଥିତ ଭାବେ ପାସ୍‌ ହାସଲ କରିବା ବଦଳରେ ତୀର୍ଥଯାତ୍ରୀଙ୍କ ଠାରୁ ଟଙ୍କା ନେଇଥିଲେ।  

ନିକଟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଜଣେ ଅଧିକାରୀଙ୍କର ଲେଟରହେଡର ଜାଲିଆତି କରି ମୈସୂରର କେସାରେ ଗାଁରେ କୃଷି ଭୂମିକୁ ଅବୈଧ ରୂପେ ଆବାସୀୟ ଭୂଖଣ୍ଡରେ ବଦଳାଇବାକୁ ପ୍ରୟାସ କରାଯାଇ ଥିଲା। ବେଙ୍ଗାଲୁରୁରେ ବିଧାନ ସୌଧ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୬(୩)( ଠକେଇ ପାଇ ଜାଲିଆତି) ଓ ୩୪୦ ( ନକଲି କାଗଜପତ୍ରକୁ ଅସଲ ରୂପେ ବ୍ୟବହାର କରିବା) ଅନୁସାରେ ଏକ ଏଫଆଇଆର ରୁଜୁ କରିଥିଲା । ଉପମୁଖ୍ୟମନ୍ତ୍ରୀଙ୍କ ବିଶେଷ କାର୍ଯ୍ୟ ଅଧିକାରୀ ଶିବଶଙ୍କର ଏସ୍‌ ଅଭିଯୋଗ ରୁଜୁ କରାଇ ଥିଲେ।