ବେଙ୍ଗାଲୁରୁ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ ବା ଅଙ୍ଗ ପ୍ରତିରୋପଣ ବରଦାନ ସଦୃଶ । ଅଙ୍ଗ ପ୍ରତିରୋପଣ ଲାଗି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି ଡାକ୍ତର । କିନ୍ତୁ ଏଥିପାଇଁ ସମୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ସଠିକ୍ ସମୟରେ ଅଙ୍ଗ ମିଳିବା ଏବଂ ଏହାକୁ ସମ୍ବନ୍ଧିତ ରୋଗୀର ଶରୀରରେ ପ୍ରତିରୋପଣ କରିପାରିଲେ ହିଁ ଜୀବନ ବଞ୍ଚାଇ ହେବ । ଅନେକ ସମୟରେ ଆମେ ଦେଖୁ ଯେ, କୌଣସି ଅଙ୍ଗକୁ ରୋଗୀଙ୍କ ପାଖରେ ପହଞ୍ଚାଇବା ଲାଗି ଗ୍ରୀନ କରିଡର କରାଯାଏ । ଏହା ମୁଖ୍ୟତଃ ସଡ଼କ ପଥରେ କରାଯାଇଥାଏ । କିନ୍ତୁ କର୍ଣ୍ଣାଟକରେ ମେଟ୍ରୋରେ ମାନବ ଅଙ୍ଗ ପରିବହନ (ଅର୍ଗାନ୍ ଟ୍ରାନ୍ସପୋର୍ଟ) ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଜଣେ ରୋଗୀଙ୍କୁ ବଞ୍ଚାଇବାକୁ ଡାକ୍ତରଙ୍କ ପ୍ରଚେଷ୍ଟା ପ୍ରଶଂସା ସାଉଁଟିଛି । କର୍ଣ୍ଣାଟକରେ ପ୍ରଥମ ଥର ପାଇଁ, ମେଟ୍ରୋ ରେଳ ମାଧ୍ୟମରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ମାନବ ଅଙ୍ଗ ପରିବହନ କରାଯାଇଛି । ଏହି ମିଶନରେ, ବହୁତ କମ୍ ସମୟ ମଧ୍ୟରେ ଏକ ଯକୃତ ପରିବହନ କରାଯାଇଥିଲା । ସାଧାରଣତଃ, ବେଙ୍ଗାଲୁରୁ ସହରରେ ଟ୍ରାଫିକ୍ ସମସ୍ୟା ଅଙ୍ଗ ପରିବହନରେ ଏକ ବଡ଼ ପ୍ରତିବନ୍ଧକ । କିନ୍ତୁ ଏଥର ମେଟ୍ରୋ ସାହାରା ପାଲଟିଥିଲା ।
ଏହି ଐତିହାସିକ କାର୍ଯ୍ୟ ପାଇଁ, ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ (BMRCL), ସ୍ୱାସ୍ଥ୍ୟ ବିଭାଗ ଏବଂ ବେଙ୍ଗାଲୁରୁ ପୁଲିସ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ। ମେଟ୍ରୋକୁ ନନଷ୍ଟପ୍ ଚାଲିବାକୁ ଅନୁମତି ଦିଆଯାଇଥିଲା - ଅର୍ଥାତ୍ ମେଟ୍ରୋ ପାଇଁ ଏକ ଗ୍ରୀନ କରିଡର ସୃଷ୍ଟି କରାଯାଇଥିଲା । ଏହା ଦ୍ଵାରା ଅଙ୍ଗ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିପାରିଥିଲା ।