କଟକ ୧୪/୦୧: ଭଦ୍ରକର ବିକ୍ରି ହୋଇଥିବା ଶିଶୁ କଟକରୁ ଉଦ୍ଧାର। ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ଡାରିପୋଖରୀ ପୁଲିସ। ଉଦ୍ଧାର ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାହାରୁ ସ୍ବାସ୍ଥ ଯାଞ୍ଚପେର ଶିଶୁକୁ ମଙ୍ଗଳ କମିଟିରେ ହାଜର କରିବ ପୁଲିସ। ଅଭାବରେ ପଡ଼ି ଏକ ମାସର ଶିଶୁକନ୍ୟାକୁ ୩୫ ହଜାର ଟଙ୍କାରେ ବାପା ବିକ୍ରି କରି ଦେଇଥିଲେ।

ଅଭିଯୋଗ ଅନୁସାରେ, ସୋମବାର ସକାଳ ପ୍ରାୟ ସାଢ଼େ ୯ରେ ପୁଅ, ବୋହୂ ଏକ ମାସର ନାତୁଣୀକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ବାହାରି ଯାଇଥିଲେ । ରାତି ପ୍ରାୟ ୮ଟା ବେଳକୁ ପୁଅ, ବୋହୂ ଘରକୁ ଫେରିଥିଲେ । ହେଲେ ଶିଶୁକନ୍ୟା ନ ଥିଲା । ଜେଜେମାଆ ନାତୁଣୀ ସମ୍ପର୍କରେ ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ମାଡ଼ ଧମକ ଦେଇଥିଲେ । ଘରେ ବୋହୂଙ୍କ ମାଆ ତଥା ତାଙ୍କ ସମୁଦୁଣି ମଧ୍ୟ ରହୁଛନ୍ତି । ପୁଅ, ବୋହୂ ଓ ସମୁଦୁଣି ମିଶି ଷଡ଼ଯନ୍ତ୍ର କରି ନାତୁଣୀକୁ ବିକି ଦେଇଥିବା ଅଥବା ମାରିଦେଇଥିବା ସନ୍ଦେହ କରିଥିଲେ ଜେଜେମାଆ । ଏନେଇ ମଙ୍ଗଳବାର ସେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କେସ୍ (ନଂ ୧୭/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଭଣ୍ଡାରିପୋଖରୀ ପୁଲିସ୍ କଟକ ରାଜାବଗିଚା ଅଞ୍ଚଳରୁ ଶିଶୁକନ୍ୟାକୁ ଉଦ୍ଧାର କର଼ିଛି । ଅନ୍ୟପକ୍ଷରେ ଶିଶୁର ବାପାମାଆ ଋଣ ଶୁଝିବା ପାଇଁ ଶିଶୁକୁ ବିକି ଦେଇଥିବା ପ୍ରକାଶ କରିଛନ୍ତି । ଜଣେ ସମ୍ପର୍କୀୟ ମାଉସୀଙ୍କର ପିଲା ନ ଥିବାରୁ ତାଙ୍କୁ ୩୫ ହଜାର ଟଙ୍କାରେ ଝିଅକୁ ବିକ୍ରି କରିଥିବା ଶିଶୁର ମାଆ କହିଛନ୍ତି । ଅଭିଯୁକ୍ତ ବାପାମାଆ ପୁଲିସ୍ ହେପାଜତରେ ଅଛନ୍ତି ।