ଭଦ୍ରକ,୧୦/୦୬: କୁକୁଡ଼ା ଗାଡ଼ିଠାରୁ ବଟି ନେବାକୁ ପୁଲିସ ବାୟା ହୋଇଥିଲା । ଏପରିକି ମାନବିକତା ଭୁଲି ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ପିସିଆର୍ରେ ନେବାକୁ ମନା କରିଦେଇଥିଲା । କେବଳ ମନା କରିନଥିଲା ଓଲଟି ଆହତ ଯୁବକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ତାଙ୍କଠାରୁ ପଇସା ଆଦାୟ କରିଥିବା ଜଣାପଡ଼ିଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଭଦ୍ରକ ପୁଲିସକୁ ନିନ୍ଦିତ ହେବାକୁ ପଡ଼ିଛି ।
ଗତ ଶନିବାର ବିଳମ୍ବିତ ରାତିରେ ଏକ କୁକୁଡ଼ା ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଭଦ୍ରକ ସୀମା ରାଣୀତାଲ ଅଞ୍ଚଳ ଟପିଥିଲା । ସେହି ସମୟରେ ଅନ୍ୟଏକ କାର କୁକୁଡ଼ା ଗାଡ଼ି ସହ ଧକ୍କା ହୋଇଥିଲା । କାର ଭିତରେ ଡ୍ରାଇଭର ସମେତ ଅନ୍ୟ ଜଣେ ବାଲେଶ୍ୱର ଅଞ୍ଚଳର ସନ୍ତୋଷ ମଲ୍ଲିକ ନାମକ ଯୁବକ ଗୁରୁତର ହୋଇଥିଲେ । ଉଭୟ ଚାପି ହୋଇ ରହିଥିଲେ । ହେଲେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ପୁଲିସ କିଛି ଶୁଣି ନ ଥିଲା । ବହୁ କଷ୍ଟରେ ସନ୍ତୋଷଙ୍କୁ ଉଦ୍ଧାର କରି ତାଙ୍କ ସହଯୋଗୀ ଜାତୀୟ ରାଜପଥ ସୁରକ୍ଷା ପ୍ରଚୀରକୁ ଡେରାଇ ଦେଇଥିଲେ । ସହଯୋଗୀ କହିଥିଲେ, ଆମ୍ବୁଲାନ୍ସ ଆସିବା ବିଳମ୍ବ ହେଉଛି । ତୁରନ୍ତ ଗୁରୁତର ଯୁବକଙ୍କୁ ପିସିଆର ଭ୍ୟାନରେ ମେଡିକାଲ ନିଅନ୍ତୁ । ହେଲେ ପିସିଆର ଭ୍ୟାନରେ ଥିବା ପୁଲିସ ବାବୁ ଓଲଟି ନାଲି ଆଖି ଦେଖାଇଥିଲେ । ଜଣେ ଖାକି ବାବୁ ତ ପୁରା ଧମକ ଦେବାର ଭିଡିଓ ଏବେ ଘୁରି ବୁଲୁଛି । ସାହଯ୍ୟ ମାଗିଥିବା ଯୁବକଙ୍କୁ ଓଲଟି ଗାଡ଼ିରେ ବସ, ଥାନାକୁ ଚାଲ ବୋଲି କହି ହାତ ଉଠାଉ ମାରିବାକୁ ଧମକ ଦେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ିଛି । ଏପରିକି ପୁଲିସ ବାବୁ ଜଣକ ଆମ ଗାଡ଼ିରେ ତେଲ ନାହିଁ, ଆମେ ଯାଇପାରିବୁ ନାହିଁ ବୋଲି କହିଥିଲେ ।
ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ଜାତୀୟ ରାଜପଥ ନିକଟରେ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଟି ଆଦାୟକୁ ପୁଲିସ ପ୍ରାଥମିକତା ଦେଲା । ହେଲେ ରକ୍ତ ଜୁଡ଼ୁୁବୁଡ଼ ଯୁବକଙ୍କୁ ମେଡିକାଲ ନେବାକୁ ପିସିଆର ଭ୍ୟାନକୁ ନେହୁରା ପରେ ପୁଲିସ ମାରିବାକୁ ହାତ ଉଠାଇବା କେତେ ଗ୍ରହଣ ଯୋଗ୍ୟ ତାକୁ ନେଇ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଓଲଟି କାର ମାଲିକଙ୍କ ଠାରୁ ଭଦ୍ରକ ପୁଲିସ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଉଛି । ରାତିବେଳା ପୁଲିସର ଏଭଳି ଦୌରାତ୍ମ୍ୟକୁ ନେଇ ଛବି ମଳିନ ପଡ଼ିଛି । କୁକୁଡ଼ା ଗାଡ଼ିରୁ ପୁଲିସ ପ୍ରତି ରାତିରେ ଚାନ୍ଦା ନେବା ନେଇ ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ :- Driving Licence Rules: ଏଣିକି ମନଇଚ୍ଛା ଡିଏଲ୍ ବାତିଲ୍ କରିପାରିବେନି, କାରଣ ଦର୍ଶାଅ ନୋଟିସ ଦେବ ପରିବହନ ବିଭାଗ
ଶନିବାର ଘଟଣା ସୋସିଆଲ ମିଡିଆକୁ ଆସିବା ପରେ ଏହାର ସତ୍ୟାସତ୍ୟ ନେଇ ତଦନ୍ତ କରିବାକୁ ଦାବି ହେଉଛି । ଯେଉଁ ପୁଲିସ ବାବୁ ଏଭଳି ଆଚରଣ ଦେଖାଇଛନ୍ତି ତାଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି । ଘଟଣାକୁ ନେଇ ଭଦ୍ରକ ଏସପି ମନୋଜ ରାଉତଙ୍କୁ ପଚାରିବାରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରାଙ୍କୁ ଦିଆଯାଇଛି । ସେ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।