ଭୁବନେଶ୍ୱର ୧୦/୦୬: ଏଣିକି ମନଇଚ୍ଛା ଡ୍ରାଇଭିଂ  ଲାଇସେନ୍ସ (ଡିଏଲ୍‌) ବାତିଲ କରିପାରିବେନି ସରକାର । ଯଦି ଆପଣ ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି  ଏନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ । ସନ୍ତୋଷଜନକ ଉତ୍ତର ଦେଲେ, ଡିଏଲ୍‌ ବାତିଲ୍‌ ହେବନି ।  ପ୍ରକୃତରେ ନିୟମ ଉଲ୍ଲଂଘନ କରିଥିଲେ, ପରିବହନ ବିଭାଗ ଡିଏଲ୍‌ ବାତିଲ କରିବ । ଏମିତିକି ଡିଏଲ୍‌ ପୁନଃ ନବୀକରଣ ପୂର୍ବରୁ ସମ୍ପୃକ୍ତ ଅମାନିଆ ଗାଡ଼ି ଚାଳକଙ୍କୁ  ୩ ଦିନିଆ ରିଫ୍ରେର୍ସସ୍‌ ତାଲିମ୍‌ ବି ନେବାକୁ ପଡ଼ିବ ।

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ କିମ୍ବା ଟ୍ରାଫିକ୍‌ ପୁଲିସ ସମ୍ପୃକ୍ତ ଗାଡି଼  ଚାଳକର ଡିଏଲ୍‌କୁ ବାତିଲ କରୁଥିଲା । ୩ ମାସ ଅବଧି  ପରେ ଏହି ଡିଏଲ୍‌ଟି ସ୍ୱୟଂଚାଳିତ ଭାବେ ପୁନଃ କାର୍ଯ୍ୟକ୍ଷମ  ହେଉଥିଲା । କିନ୍ତୁ ସମ୍ପୃକ୍ତ ଅମାନିଆ ଗାଡ଼ି ଚାଳକର  ବେପରୁଆ ମନୋବୃତ୍ତିରେ ସେତେଟା ପରିବର୍ତ୍ତନ  ଆସୁନଥିଲା । ଡିଏଲ୍‌ ଫେରିପାଇବା ପରେ ପୁଣି  ନିୟମ ଭାଙ୍ଗୁଥିବାର ନଜିର ରହିଛି । ଏମିତିକି ମନଇଚ୍ଛା  ଡିଏଲ୍‌ ବାତିଲ୍‌ କରିବା ଯୋଗୁ ଅନେକ ଗାଡି଼ଚାଳକ  ନିର୍ଦ୍ଦୋଷରେ ଫସୁଥିବାର ଅଭିଯୋଗ ଉଠୁଥିଲା ।  

ସେଥିପାଇଁ ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି  ଡିଏଲ୍‌ ବାତିଲ୍‌ ପ୍ରକ୍ରିୟାରେ ଏକ ବଡ଼ ସଂଶୋଧନ  କରିଛନ୍ତି । ମୋଟରଯାନ (ସଂଶୋଧିତ) ଆଇନ୍‌ ୨୦୧୯ ଅନୁସାରେ ଉଂଲ୍ଲଘନକାରୀଙ୍କ ଡିଏଲ୍‌ ବାତିଲ  କରାଯିବା ପୂର୍ବରୁ ‘ସାରଥୀ’ ପୋର୍ଟାଲରେ ତଥ୍ୟ  ଅପଲୋଡ କରାଯିବ । ନିୟମ ଉଲ୍ଲଂଘନ ବାବଦକୁ  ଡିଏଲ୍‌ କ’ଣ ପାଇଁ ବାତିଲ କରାନଯିବ ଏନେଇ କାରଣ  ଦର୍ଶାଅ ନୋଟିସ୍‌ ଜାରି କରାଯିବ । ଯଦି ତାଙ୍କ ଉତ୍ତର  ସନ୍ତୋଷଜନକ ନ ହେଲା, ତେବେ ୩ ମାସ ପାଇଁ  ଡିଏଲ୍‌ ବାତିଲ କରାଯିବ । ୟା’ ଭିତରେ ଅମାନିଆଜଣକ  ଅନ୍‌ଲାଇନ୍‌ରେ ୩ ଦିନ ଯାଏ ସଡ଼କ ସୁରକ୍ଷା ସମ୍ପର୍କୀତ  ଟ୍ରେନିଂ ନେବାକୁ ବାଧ୍ୟ । ତା’ପରେ ତାଙ୍କୁ ଡିଏଲ୍‌କୁ  ନବୀକରଣ କରାଯିବ । ଯଦି ସେ ୩ ମାସ ଭିତରେ  ତାଲିମ ନ ନିଅନ୍ତି, ତେବେ ଡିଏଲ୍‌ ଫେରାଯିବନି ।

ଅଧିକ ପଢ଼ନ୍ତୁ :-  Crime News: ରାଜଧାନୀରେ ଚାକିରି ଲୋଭ ଦେଖାଇ ବିଉଟି ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ପାର୍ଲର ମାଲିକ ଓ କର୍ମଚାରୀ ଗିରଫ