ଭଦ୍ରକ ୧୩/୧୦: ଭଦ୍ରକ ପ୍ରସିଦ୍ଧ କାଳୀପୂଜାକୁ ନେଇ ଲାଗି ରହିଥିବା ବିବାଦରେ ଅନ୍ତ। ଏଥର ୭ ନୁହେଁ ୯ ଦିନ ହେବ ଭଦ୍ରକ କାଳୀପୂଜା । ପୂଜାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ଯାହାକୁ ନେଇ ଭଦ୍ରକରେ ଉତ୍ସାହର ବଢ଼ିଛି । ପୂର୍ବରୁ ୭ଦିନ ପାଳନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ସୂଚନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।
ଭଦ୍ରକ କାଳୀପୂଜା ପାଇଁ ପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ଭଦ୍ରକର କାଳୀପୂଜାକୁ ଏଥର ଆହୁରି ଭବ୍ୟ ଓ ଦିବ୍ୟ କରାଯିବ। ଏଥିଲାଗି ପୂଜା ମହୋତ୍ସବର ସମୟସୀମା ୭ ଦିନରୁ ୯ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୨୯ରେ ଭସାଣ ଉତ୍ସବ ଲାଗି ସ୍ଥିର କରାଯାଇଛି। ଏହାସହ ସଂସ୍କୃତି ବିଭାଗ ପକ୍ଷରୁ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ରାଶି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଟ୍ରୁପ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଦିବ୍ୟାଙ୍ଗଙ୍କ ସୁବିଧା ଲାଗି ସହରର ଗୋଟିଏ ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ କାଳୀପୂଜା ଦର୍ଶନର ବ୍ୟବସ୍ଥା କରାଯାଇଛି । ଅନୁଷ୍ଠିତ ବୈଠକରେ ଭଦ୍ରକ ବିଧାୟକ , ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ଓ ଭଦ୍ରକ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।