ପୁରୀ,୧୮/୦୩: ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରାଯିବାକୁ  ଇତି ମଧ୍ୟରେ ସାତ ମାସ ବିତିଛି । କିନ୍ତୁ  ପୁରୀରେ ଏହାର କାରବାର ଉପରେ  କୌଣସି ପ୍ରଭାବ ପକାଇନଥିବା ଦେଖିବାକୁ ମିଳିଛି । ପୁରୀରେ ‘ମରିଚି  ପାଣି’ ଭାବେ ପରିଚିତ ଭାଙ୍ଗ ପଣାର  ମଉଜ ପୂର୍ବ ଭଳି ଜୀବିତ ରହିଛି ।  ଏପରିକି ଭାଙ୍ଗର ଚାହିଦା ଏଣିକି ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି । ସହରର ସାହି ଛକରୁ ଗାଁର ଗଳିକନ୍ଦି ଯାଏଁ  ଭାଙ୍ଗ ବେପାର ବେଶ୍‌ ସକ୍ରିୟ ରହିଛି । 

ଗତ ବର୍ଷ ଅଗଷ୍ଟ ମାସରେ ଭାଙ୍ଗକୁ  ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଥିଲେ  ସରକାର । ଅର୍ଥାତ୍‌ ଭାଙ୍ଗ କାରବାର  ଉପରେ ରୋକ୍‌ ଲଗାଇବାକୁ ଯୋଜନା  କରାଯାଇଥିଲା । ଏଭଳି ସରକାରୀ ଛାଟ  ବସିବା ପରେ ଭାଙ୍ଗ ନପାଇବା ଆଶଙ୍କା  କରି ସହରରେ ଭାଳେଣି ପଡ଼ିଥିଲା ।  ଗଳି କନ୍ଦିରୁ ମନ୍ଦିର ସବୁଠି ଗୋଟିଏ ଚର୍ଚ୍ଚା  ହୋଇଥିଲା । ସକାଳୁ ଟେଳେ ନପଡ଼ିଲେ  ପୋଖରୀପାଣି କେମିତି ଯିବେ? ଦିନ  ବିତିବ କିପରି? ଦେଶସାରା ଚର୍ଚ୍ଚାରେ  ଥିବା ପୁରୀର ନିଆରା ଚଳଣିକୁ ନେଇ  ସଭିଏଁ ଦ୍ୱନ୍ଦ୍ୱରେ ଥିଲେ । କେବଳ  ଯେ, ସହର ନୁହେଁ । ଗାଁର ଚଳଣି  ମଧ୍ୟ ଭାଙ୍ଗ ପଣା ସହ ଜଡ଼ିତ । ତେଣୁ  ସାଙ୍ଗ, ଭାଙ୍ଗ ଓ ପଙ୍ଗତର ମାହୋଲକୁ  ଲୋକେ ଆଦରରେ ଗ୍ରହଣ କରି  ନେଉଥିବା ବେଳେ ଭାଙ୍ଗ ବିକିଲେ  ସରକାରୀ କାର୍ଯ୍ୟାନୁଷ୍ଠାନ ଶୁଣିବା ପରେ  ଦିନ ଚର୍ଯ୍ୟା ନେଇ ସନ୍ଦେହ ଘେରରେ  ପଡ଼ିଥିଲେ ହଜାର ହଜାର ପୁରୀବାସୀ । 

କିନ୍ତୁ ମାତ୍ର ଅଳ୍ପ କିଛି ଦିନ ଏଭଳି  ଚର୍ଚ୍ଚା ଲାଗି ରହିଥିଲା । ଏହାପରେ  ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ପୁଣି  ଚାଲିଲା ଭାଙ୍ଗ ବେପାର । ଖୁଲମଖୁଲା  ବିକ୍ରି ହେଲା ଭାଙ୍ଗ । ଗଳି କନ୍ଦିରରେ  ଅବାଧରେ ମିଳୁଛି ଭାଙ୍ଗ ପଣା । ବିଭିନ୍ନ  ପାନ ଦୋକାନରେ ବୋତଲରେ ଭର୍ତ୍ତି  କରି ଭାଙ୍ଗ ଓ ମିଶ୍ରି ପଣା ବିକ୍ରି ଚାଲିଛି ।  ଭାଙ୍ଗର ଏଠି ବିଭିନ୍ନ ରୂପ ରହିଛି । ନେଳି  ପାଣି, ମରିଚି ପାଣି, ଟେଳେ ଗୁଳେ ଓ  ଚୁରୁମା(ଭାଙ୍ଗ ଗୁଣ୍ଡ) ଆଦି ନାମରେ  ଚାଲିଛି ବିକ୍ରି । ଭାଙ୍ଗକୁ କିଏ ସର୍ବତ୍‌ ଭାବେ  ପିଇ ଦେଉଛନ୍ତି ତ ଆଉ କିଏ ଶୁଖିଲା  ଗୁଣ୍ଡ କରି ଖାଇଦେଉଛନ୍ତି । ଏପରିକି  ଅନେକ ବଟା ଭାଙ୍ଗକୁ ଗୁଳା କରି ଢୋକି  ଦେଉଛନ୍ତି । ଅନ୍ୟପଟେ ମାତ୍ରାଧିକ  ନିଶା ଆବଶ୍ୟକ ଥିବା ନିଶାଖୋରଙ୍କ  ପାଇଁ ମଧ୍ୟ ବେପାରୀଙ୍କ ବ୍ୟବସ୍ଥା ଟିକିଏ  ଅଲଗା ରହିଛି । ଭାଙ୍ଗରେ ନିଶା ବଟିକା  ମିଶାଇ ବେପାରୀ ବିକ୍ରି କରୁଥିବା ବେଳେ  ସେଠାରେ ବହୁ ସଂଖ୍ୟାରେ ନିଶାଖୋରଙ୍କ  ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର  ଅନୁଯାୟୀ ପୁଲିସକୁ କୁଆଡ଼େ ଏହି  ବେପାରୀମାନେ ମାସିକିଆ ଦେଇ ବେପାର ଜାରି ରଖିଛନ୍ତି । ଗୋଟିଏ ପଟେ ପୁଲିସ ଏଦିଗରେ ନିରବ ରହୁଥିବା  ବେଳେ ଅନ୍ୟପଟେ ବେପାରୀ ଓ ଗ୍ରାହକମାନେ ବୋଲିବାଣୀ କରି ପୁରୀରୁ  ଭାଙ୍ଗ କେବେ ହଟିଛି ନା ହଟିବ ବୋଲି  କହିବାକୁ ବି ପଛାଉନଥିବା ଦେଖିବାକୁ  ମିଳିଛି । ଅର୍ଥାତ୍‌ ଆଇନ୍‌ ଆଖିରେ ଆଙ୍ଗୁଠି  ଗେଞ୍ଜି ନିର୍ଭୟରେ ଭାଙ୍ଗ ବେପାର ଜାରି  ରହିଛି । ଧର୍ମକୁ ଆଖିଠାର ମାରିବା  ଭଳି ସହରରେ ଏହି ୭ ମାସ ମଧ୍ୟରେ  ମାତ୍ର ପାଞ୍ଚରୁ ଦଶଟି ଭାଙ୍ଗ ଜବତ  ମାମଲା ରୁଜୁ କରିଛି ପୁଲିସ । ଅବକାରୀ  ବିଭାଗ ସମ୍ପୂର୍ଣ୍ଣ ଭାବେ ଏ କ୍ଷେତ୍ରରେ  ନିରବ ରହିଥିବା ଦେଖିବାକୁ ମିଳିଛି । 

ଏସମ୍ପର୍କରେ ଅତିରିକ୍ତ ଏସ୍‌ପି  ସୁଶିଲ୍‌ ମିଶ୍ର କହିଛନ୍ତି, ଅବକାରୀ  ବିଭାଗ ଓ ପୁଲିସ ଜିଲ୍ଲାରେ ଭାଙ୍ଗ  କାରବାର ଉପରେ ନଜର ରଖିଛି ।  ଚଢ଼ଉ ବେଳେ ଯାହା କିଛି ମିଳୁଛି ଜବତ କରାଯାଉଛି । ଆଗକୁ ମଧ୍ୟ ଏହି ଚଢ଼ଉ ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।